ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। ‘ବନ୍ଦେ ଉତ୍କଳ ଜନନୀ ‘- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର ଜନତା ମଇଦାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅତିଥି ଓ ଜନସାଧାରଣ ସମବେତ ଭାବେ ଏହି ସଙ୍ଗୀତ ଗାଇଥିଲେ। ସେହିପରି ସାରା ଓଡ଼ିଶା ଏବଂ ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଇଭଉଣୀମାନେ ଅତ୍ୟନ୍ତ ଉତ୍ସାହର ସହ ଏହି ସଙ୍ଗୀତ ଉଚ୍ଚାରଣ କରି ଓଡ଼ିଆ ଭାଷା ଓ ଜାତିର ଜୟଗାନ କରିଥିଲେ।

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିନରେ ‘ ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ ‘ କୁ ନେଇ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର ଅଧିବେଶନ। ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟ ସହ ଓଡ଼ିଶୀ ନୃତ୍ୟ ଆଦି କ୍ଷେତ୍ରକୁ ସମୃଦ୍ଧ କରିବାରେ ମହିଳାମାନଙ୍କର ବିଶେଷ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ ବ୍ରତ ସାହିତ୍ୟ, ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟର କ୍ରମବିକାଶ, ଶିଶୁ ସାହିତ୍ୟ ଓ ନାରୀ ସଶକ୍ତିକରଣ, ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ନାରୀଙ୍କ ଅବଦାନ, ନାରୀଙ୍କ ଦ୍ୱାରା ସର୍ଜନତ୍ମକ ଲେଖା ଏବଂ ଆଧୁନିକ ଓଡ଼ିଆ ସାହିତ୍ୟରେ ଅଭିବ୍ୟକ୍ତିର ସ୍ଵାଧୀନତା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଓଡ଼ିଆ ଭାଷା ଏତେ ମଧୁର ଯେ, ଓଡ଼ିଆ ଭାଷାରେ କିଛି ସମ୍ବୋଧନ କରି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଉପସ୍ଥିତ ଅତିଥି ଓ ଦର୍ଶକ ମାନଙ୍କର ମନ ମୋହି ନେଇଥିଲେ ଜଣେ ବିଦେଶୀ ଐତିହାସିକ ଓ ଗବେଷକ। ଏତତ୍ ବ୍ୟତୀତ ଓଡ଼ିଆ ଭାଷା ହେଉଛି ଓଡ଼ିଶାର ପ୍ରାଣ ତଥା ଓଡ଼ିଆ ଅସ୍ମିତାର ପରିଚୟ। ଏହାର ମାଧୂର୍ଯ୍ୟ ତଥା ମହାନତା ଆମକୁ କରିଛି ସ୍ଵତନ୍ତ୍ର । କୃଷି ବିଭାଗ ତାର ସମସ୍ତ ନୀତି ଓ ଯୋଜନାକୁ ଓଡ଼ିଆ ଭାଷା ମାଧ୍ୟମରେ କୃଷକମାନଙ୍କ ପାଖରେ ପହଞ୍ଚାଇବାକୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ ବୋଲି ବିଭାଗ ତରଫରୁ ବକ୍ତବ୍ୟ ଦିଆଯାଇଛି । ଭୁବନେଶ୍ୱର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×