ଚାଷୀ ଆଉ ଚାଷର କଥା ସବୁବେଳେ ନିଆରା । ସବୁଜିମାର ପରିକଳ୍ପନା ହେଉ କି ସୁବର୍ଣ୍ଣର ମାହୋଲ – ଏସବୁଥିରେ ଚାଷୀର ଭୂମିକା କାହାକୁ ବା ଅଜଣା । ଆମ ବାପା ଅଜା ଅମଳରେ ଚାଷକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ସମ୍ପ୍ରତି ଚାଷ ପାଇଁ ଆଦର ବଢ଼ିଛି । ଯୁବବର୍ଗ ଠୁ ପ୍ରାପ୍ତବୟସ୍କ ଆଉ ମହିଳା ସଭିଏଁ ଚାଷ ପାଇଁ ବେଶ ଆଗଭର । କିଛି ଲାଭ ପାଇବାର ସ୍ୱପ୍ନ ନୁହେଁ ବରଂ ନିଜ ମନ ଆଉ ପରିବେଶକୁ ସବୁଜ ସୁନ୍ଦର କରିବାର ନିଶାରେ ସେମାନେ ମତୁଆଲା । ସେମିତି ଏକ ଉଦାହରଣ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ନିମିଡ଼ିହି ଗ୍ରାମର ଗୟାଧର ତରେଇ ।
ଚାଷ ସହ ପାଠର ସମନ୍ୱୟ କିଛି ବି ନଥାଏ । କାରଣ ଦୃଢ଼ ମନୋବଳ ଆଉ ଇଚ୍ଛାଶକ୍ତି ହିଁ ଜମିରେ ସୁନା ଫଳେଇପାରେ । ଗୟାଧର ଯୁକ୍ତଦୁଇ ଯାଏଁ ପାଠ ପଢ଼ିଥିଲେ ହେଁ ତାଙ୍କର ଚାଷବାସ ପ୍ରତି ଆଗ୍ରହ କେଉଁ ସଫଳ ଚାଷୀଠୁ କମ୍ ନୁହେଁ । ବର୍ତ୍ତମାନ ସମୟରେ ସହରାଂଚଳ କୃଷି ଏକ ନୂଆ ସମ୍ଭାବନା । ନିଜ ଘରେ କିଚେନ ଗାଡେର଼୍ନ ହେଉ କି ରୁଫଟଫ ଗାଡେର଼୍ନ -ଏସବୁଥିରେ ଏବେ ବିଭିନ୍ନ ପ୍ରକାର ଚାଷ କରାଯାଇପାରୁଛି । ତାହାକୁ ଲକ୍ଷ୍ୟ କରି ଗୟାଧାର ବି ନିଜ ଛାତକୁ ରଙ୍ଗୀନ କରିବା ନିଶାରେ ବିଭିନ୍ନ ପ୍ରକାର ଫୁଲ ଚାଷ ଆରମ୍ଭ କରିଛନ୍ତି । ରଙ୍ଗୀନ ଫୁଲ ସାଙ୍ଗକୁ ମନୋରମ ପରିବେଶ ଛାତର ସୋ÷ନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଛି । ଗୟାଧର କହିବା ମୁତାବକ ସେ ପ୍ରଥମେ କୋ÷ଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରିନଥିଲେ ବରଂ ନିଜ ଛାତକୁ ସଜେଇବା ସହ କର୍ମମୟ ଜୀବନରେ ଟିକେ ହାଲୁକାପଣ ଅନୁଭବ କରିବା ପାଇଁ ଏହା କରିଥିଲେ । ଏବେ ସେ ନିଜ ଛାତରେ ପ୍ରାୟ ୩୦ପ୍ରକାରରୁ ଉଦ୍ଧ୍ୱର୍ ଫୁଲ ଚାଷ କରି ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ଗୋଲାପ, ସେବତୀ , ଡ଼ାଲିଆ ପ୍ରମୁଖ ତାଙ୍କ ଛାତରେ ବେଶ ମହମହ ହୋଇ ବାସୁଛି । ଫୁଲକୁ ଫୁଲ ହେଉଛି ଆଉ ତା ସହ କ୍ଲାନ୍ତ ଜୀବନ ବି ରଙ୍ଗମୟ ହେଉଛି ।
ସବୁଠାରୁ ଖୁସିର କଥା ଗୟାଧରଙ୍କୁ ଦେଖି ବର୍ତ୍ତମାନ ତାଙ୍କ ଗାଁର ପ୍ରାୟ ଚାରିରୁ ଅଧିକ ଲୋକ ନିଜ ଛାତ ଉପରେ ଏମିତି ଚାଷ ଆରମ୍ଭ କରିଛନ୍ତି । ଗାଁର ଅନ୍ୟ ଲୋକଙ୍କ ପାଇଁ ଗୟାଧାର ସାଜିଛନ୍ତି ପ୍ରେରଣାର ଉତ୍ସ । ଏପରିକି ସିଦେ୍ଧଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ବି ଛାତ ଉପରେ କୁଣ୍ଡରେ ଶାଗ ଲଗାଇ ବେଶ କିଛି ପଇସା କମାଇପାରୁଛନ୍ତି । ସଦସ୍ୟା ମେନକାରାଣୀ ସ୍ୱାଇଁଙ୍କ କହିବା ଅନୁଯାୟୀ ସେମାନେ ଏବେ ଛାତ ଉପରେ ଲେଉଟିଆ , କଳମ ,ପାଳଙ୍ଗ ପ୍ରଭୃତି ଚାଷ କରୁଛନ୍ତି । ଆଜିର ସମୟରେ ସହରାଂଚଳ ହେଉ କି ଗାଁରେ ଲୋକମାନେ ନିଜ ଛାତ ଉପରେ ସହଜରେ ଏହାକୁ କରିପାରିଲେ ଚାଷ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ଯୁବବର୍ଗ ବି ଏ ଦିଗରେ ଆଗକୁ ଯାଇପାରିବେ ବୋଲି ସେ କହିଛନ୍ତି ।
ସତରେ ଏବେ ମନ ବଦଳୁଛି ଆଉ ଆଗ୍ରହ ବି ବଢ଼ୁଛି । ଯଦି ଏମିତି ଓଡ଼ିଶାର ସବୁ ଗାଁର ଲୋକମାନେ ଏମିତି ଆରମ୍ଭ କରନ୍ତି ତାହେଲେ ନିଶ୍ଚୟ ଭାବରେ ଚାଷର ଏକ ଅନନ୍ୟ ଗାଥା ଲେଖାଯାଇପାରିବ , ଏଥିରେ ସନ୍ଦେହ ନାହିଁ ।
ପ୍ରସ୍ତୁତି – ଡ଼ି ଶୁଭମ୍