ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅବଧି ୩୧ ଜାନୁଆରୀ ୨୦୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂସ୍ଥା- କୃଷକ ସଙ୍ଗଠନ, PACS/LAMPCS, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଞ୍ଜିକରଣ କରାଇପାରିବେ। ଚାଷୀ ମାନେ ନିଜର ପ୍ରାପ୍ୟ ଆଧାର ସଂଲଗ୍ନ ବ୍ୟାଙ୍କ ଖାତାରେ ପାଇପାରିବେ। ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ଓ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ ରହିଛି।ଚଳିତ ବର୍ଷ ମାଣ୍ଡିଆ ସଂଗ୍ରହ ୦୧ ଜାନୁଆରୀ ୨୦୨୫ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲୁରହିବ।
କୃଷକ ଓଡ଼ିଶାରେ ପଞ୍ଜୀକୃତ ଚାଷୀମାନେ ହିଁ ମାଣ୍ଡିଆ କ୍ରୟ ଯୋଜନାରେ ନାମ ପଞ୍ଜିକରଣ ପାଇଁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀ ଯଦି ପୂର୍ବରୁ ପ୍ରଦାନ କରିଥିବା ତଥ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସେମାନେ କୃଷକ ଓଡ଼ିଶା ପୋର୍ଟାଲର ନିର୍ଦ୍ଧାରିତ ପଞ୍ଜିକରଣ ସୀମା ମଧ୍ୟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ। ଭାଗ ଚାଷୀ ଓ ଜଙ୍ଗଲ ଜମିରେ ଚାଷ କରିଥିବା ଚାଷୀ ମଧ୍ୟ ମାଣ୍ଡିଆ କ୍ରୟ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ। ଏହିପରି ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ