ବର୍ତ୍ତମାନ ସମୟରେ ଯୁବସମାଜ ନିଯୁକ୍ତି ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ଏବେ ସମୟ ଆସିଛି ପରିବର୍ତ୍ତନର । ଦିନଥିଲା କୃଷି ହିଁ ସାମାଜିକ ଜନଜୀବନର ପ୍ରମୁଖ ଆଧ।।ର ଥିଲା । କୃଷିକୁ ଆଧାର କରି ଲୋକେ ପରିବାର ପ୍ରତିପୋଷଣ କରୁଥିଲେ । ଆଜି ଆଉ ଚାଷବାସ ପ୍ରତି ସେପରି ଶ୍ରଦ୍ଧା ନାହିଁ । ନା ଅଛି ଆନ୍ତରିକତା ନା ଅଛି ମନୋବଳ । କେହି ବି ଆଉ କ୍ଷେତକୁ ପଶିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଚାଷ ନାଁ ଶୁଣିଲେ ନାକ ଟେକୁଛନ୍ତି । ପରନ୍ତୁ ଏପରି କିଛି ଚାଷ ଅଛି ଯାହାକୁ ଆପଣେଇପାରିଲେ କର୍ମନିଯୁକ୍ତି ମିଳିବା ସହ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବେ । ସ୍ୱାବଲମ୍ବୀ ହେବାର ପ୍ରକୃଷ୍ଟ ମାଧ୍ୟମ ପାଳଛତୁ ଚାଷ । ସବୁଆଡେ଼ ଏବେ ଛତୁର ଢେ଼ର ଚାହିଦା । ବଜାରରେ ବି ଛତୁର ସ୍ଥାନ ସ୍ୱତନ୍ତ୍ର । ଏପରି ସ୍ଥିତିରେ ଛତୁଚାଷ ଲାଭବାନ ହେବାର ଏକ ବିକଳ୍ପ କହିଲେ ଭୁଲ ହେବନାହିଁ । ଯୁବଗୋଷ୍ଠୀ ହୁଅନ୍ତୁ କି ନାରୀ , ଯିଏ କେହି ବି ଚାହିଁଲେ ଏହାକୁ ଚାଷ କରି ରୋଜଗାରକ୍ଷମ ହୋଇପାରିବେ ।
ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ ରୋଜଗାର କରିପାରିବେ । ନିଜ ଗୋଡ଼ରେ ନିଜେ ଠିଆ ହେବାର ଏକ ସଫଳ ପ୍ରଚେଷ୍ଟା ଏହି ଚାଷ । ଏହାକୁ ଜଣେ କମ ସମୟ ମଧ୍ୟରେ ନିଜ ଘରେ ମଧ୍ୟ ଚାଷ କରିପାରିବ । ଆବଶ୍ୟକୀୟ ପଦ୍ଧତିକୁ ସୂଚାରୁ ରୂପେ ସମ୍ପାଦନ କରିପାରିଲେ କମ ସମୟରେ ଅମଳ କରି ଲାଭବାନ ବି ହୋଇପାରିବ । ବର୍ତ୍ତମାନ ଅନେକ ଯୁବଗୋଷ୍ଠୀ ଏହାକୁ ଆପଣେଇ ନିଜ ଘରେ ଚାଷକରି ବେଶ ପଇସା କମାଉଛନ୍ତି । ସୁତାରଂ , ଏହା ଏକ ସପଳ ଚାଷ ଭାବେ ପରିଗଣିତ ହୋଇଛି ।
ପାଳଛତୁ ଅନ୍ୟ ଛତୁଚାଷ ଅପେକ୍ଷା ଅଧିକ ଆଲୋକ ଆବଶ୍ୟକ କରିଥାଏ । ତେଣୁ କାନ୍ଥ ବିହୀନ ଘରେ ଚାଷ କଲେ ଏହା ଭଲ ଫଳ ଦେଇଥାଏ । କାରଣ ଏହି ସ୍ଥାନରେ ଆବଶ୍ୟକ ମାତ୍ରାରେ ଆଲୋକ ମିଳିପାରେ । କାନ୍ଥ ଥିବା ଘରେ ଚାଷ କଲେ ସେଥିରେ ଝରକା ରହିବା ଦରକାର । କାରଣ ବିନା ଝରକାରେ ସୂର୍ଯ୍ୟାଲୋକ ସିଧାସଳଖ ଛତୁ ବେଡ଼ ଉପରେ ପଡ଼ିଥାଏ । ତେଣୁ ନଡ଼ା ଶୁଖିଯିବାର ସମ୍ଭାବନା ଥାଏ । ଏବେ ତ ଉତ୍ତାପ ବା ଆଲୋକ ନିୟନ୍ତ୍ରଣ ପାଇଁ ଅନେକ ବ୍ୟବସ୍ଥା ଉପଲବ୍ଧ ହେଲାଣି । ପାଳଛତୁ ଚାଷ ପାଇଁ ୮୫-୯୫ ପ୍ରତିଶତ ଆର୍ଦ୍ରତା ରହିବା ଆବଶ୍ୟକ । ଖରା ଦିନେ ଆର୍ଦ୍ରତା କମିଗଲେ ଚଟାଣରେ ପାଣିଢ଼ାଳି ଏହାକୁ ରକ୍ଷା କରାଯାଇପାରିବ । ଏତଦବ୍ୟତୀତ ପାଳଛତୁର ବୃଦ୍ଧି ଓ ଫୁଟିବା ସମୟରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ତେଣୁ ବନ୍ଦ କୋଠରୀରେ ଏହାକୁ କରିବା ଅନୁଚିତ ।
Prev Post