ଓଡ଼ିଶା ମିଲେଟ୍ସ ମିଶନ ଯୋଗାଇ ଦେଇଛି ମହିଳାଙ୍କୁ ଅଗ୍ରାଧିକାର

0

କଥାରେ ଅଛି, ଯାହା ମିଳିତ ଭାବେ ସମ୍ଭବ ହୁଏ, ତାହା ଏକାକି କରିବା କଷ୍ଟସାଧ୍ୟ । ଆଉ ସେମାନଙ୍କର ମିଳିତ ଉଦ୍ୟମ ଆଜି ସେମାନଙ୍କୁ କରିଛି ସଶକ୍ତ, ସ୍ଵାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ । ଏହିପରି ଏକ ଭିନ୍ନ ଉଦାହରଣ ସାଜିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସ୍ଥିତ କୁମୁଟି ସାହିର ଆୟପ୍ପା ସ୍ଵୟଂ ସହାୟକ ଗୋଷ୍ଠୀ । ଯେଉଁମାନେ ମିଳିତ ଭାବେ କାର୍ଯ୍ୟକରି ଗୁଣପୁର ବ୍ଲକର ଆଲୋକ ବର୍ତ୍ତିକା ସାଜିଛନ୍ତି । ୨୦୧୪ ରେ ୧୦ ଜଣ ମହିଳାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ମା’ ଆୟପ୍ପା ସ୍ଵୟଂ ସହାୟକ ଗୋଷ୍ଠୀ ।

ପ୍ରଥମେ ମହିଳାମାନେ ପାମ୍ପଡ, ବଡି, ମାଣ୍ଡିଆ ଚୁନା, ମିଠା, ଏବଂ ଖତ ପ୍ରସ୍ତୁତ କରି ବିକ୍ରି କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ମହିଳାମାନେ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ । ସୁବିଧା ସୁଯୋଗର ଅଭାବ ହେତୁ ମହିଳାମାନେ ସ୍ୱଳ୍ପ ରୋଜଗାରରେ ସୀମିତ ରହୁଥିଲେ ।

୨୦୨୨ ମସିହାରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ମହିଳାମାନଙ୍କୁ ମାଣ୍ଡିଆ ଚୁନା କରିବା ପାଇଁ ପଲ୍ଭରାଇଜର ଯୋଗାଇ ଦିଆଗଲା । ଯେଉଁଥିରେ ମହିଳାମାନେ ବର୍ତ୍ତମାନ ମାଣ୍ଡିଆ ଚୁନା ସହିତ ଗହମ, ଚାଉଳ ଚୁନା ପ୍ୟାକେଟ ମାଧ୍ୟମରେ ଏବଂ ଖୋଲାରେ ମଧ୍ୟ ବିକ୍ରି କରିପାରୁଛନ୍ତି । ଯାହାଦ୍ଵାରା ସେମାନେ ପୂର୍ବ ଅପେକ୍ଷା ଅଧିକ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ପୂର୍ବରୁ ଚୁନା କରିବା ନେଇ ବହୁତ୍ ଦୂର ଗାଁ କୁ ଯିବାକୁ ପଡୁଥିଲା । କିନ୍ତୁ ମହିଳାମାନଙ୍କ ଉଦ୍ୟମରେ ପଲ୍ଭରାଇଜର ସୁବିଧା ମିଳିବା ପରେ ପ୍ରାୟ ୨୦ ରୁ ୨୫ ଗାଁ’ର ଲୋକମାନେ ଆସି ମାଣ୍ଡିଆ ଚୁନା କରି ନେଉଛନ୍ତି । ଯାହାଦ୍ଵାରା ମହିଳାମାନେ ମାସିକ ୧୫ ରୁ ୧୬ ହଜାର ଟଙ୍କା ରୋଜଗାର କରିପାରିଛନ୍ତି ।

ଏହାସହ ପ୍ରତିବର୍ଷ ଡିସେମ୍ବର ମାସ ବଡ଼ଦିନ ସମୟରେ ପଲଭାରାଇଜରରେ ଚୁନା କରିବା ନେଇ ଲୋକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରାୟ ଦୈନିକ ୨୦୦ ରୁ ୩୦୦ ଲୋକ ଆସି ମାଣ୍ଡିଆ ଚୁନା ସହ ଚାଉଳ ଏବଂ ଗହମ ଚୁନା କରି ନିଅନ୍ତି । ସେଥିପାଇଁ ମହିଳାମାନଙ୍କ ଦ୍ଵାରା ଟୋକନ୍ ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏହାସହ ମହିଳାମାନେ ମାଣ୍ଡିଆ ଚୁନା ପ୍ୟାକେଟକୁ ସ୍ଥାନୀୟ ବଜାରରେ ମଧ୍ୟ ବିକ୍ରି କରି ଅଧିକ ଲାଭବାନ ହୋଇପାରୁଛନ୍ତି ଏବଂ ବିଭିନ୍ନ ଫୁଡ୍ ଫେଷ୍ଟିଭାଲ, ଚଇତି ପର୍ବରେ ମଧ୍ୟ ମାଣ୍ଡିଆ ଚୁନା ଯୋଗାଇ ଦେଉଛନ୍ତି । ଏହାବ୍ୟତୀତ ଗତବର୍ଷ ମାଣ୍ଡିଆ ଦିବସ ଅବସରରେ ପୌରପାଳିକା ଜରିଆରେ ମହିଳାମାନେ ଆହାର କେନ୍ଦ୍ରରେ ମାଣ୍ଡିଆ କେକ୍ ଏବଂ ଖିରି ପ୍ରସ୍ତୁତ କରି ଲୋକମାନଙ୍କୁ ମାଗଣାରେ ଯୋଗାଇଦେଇଥିଲେ ।

nano urea

ଯାହାଦ୍ଵାରା ସେମାନେ କେବଳ ନିଜ ଜିଲ୍ଲାରେ ନୁହେଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ‘ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ’ ଭାବେ ପୁରସ୍କୃତ ହୋଇଛନ୍ତି ।

ଏନେଇ ମା ‘ ଆୟପ୍ପା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଶ୍ରୀମତୀ ଉମା କୁମାରୀ କୁହନ୍ତି ଯେ, “ପୂର୍ବରୁ ଲାଭ ଠାରୁ ବ୍ୟୟ ଅଧିକ ହେଉଥିଲା। ଯେବେଠାରୁ ଆମେ ୧୦ ଜଣ ମହିଳା ଏକାଠି ହୋଇ ପଲ୍ଭରାଇଜରର ଚଳାଉଛୁ ସେବେଠାରୁ ଅଧିକ ଲାଭ ମିଳିପାରୁଛି । ପଲ୍ଭରାଇଜରର ଚାହିଦାକୁ ଦୃଷ୍ଟିରେ ରଖି ଆମେ ନିଜସ୍ୱ ଉଦ୍ୟମରେ ଆଉ ଏକ ପଲ୍ଭରାଇଜରର ଆଣିଛୁ। ବର୍ତ୍ତମାନ ଆମ ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମା’ ମାନେ ରୋଜଗାରକ୍ଷମ ହେବା ନିଜ ନିଜ ପରିବାରକୁ ଆର୍ଥିକ ସ୍ତରରେ ସହଯୋଗ କରିପାରୁଛନ୍ତି । ଏଥିପାଇଁ ଆମେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନକୁ ଅଶେଷ ଧନ୍ୟବାଦ୍ ଜଣାଉଛୁ।”

  • ଉପସ୍ଥାପନାଶୁଭଶ୍ରୀ ପରିଡ଼ା

Leave A Reply

Your email address will not be published.

nineteen − 4 =