ଓଡ଼ିଶାର ସୁସ୍ୱାଦୁ ଆମ୍ବ ବିଦେଶରେ ଉପଲବ୍ଧ ହେବାରେ ଲାଗିଛି। ପ୍ରଥମେ କୋରାପୁଟ ପୁଣି ଏବେ ନୂଆପଡ଼ାର ଆମ୍ବ ବିଦେଶ ଯଥା : ଜର୍ମାନୀକୁ ରପ୍ତାନି କରାଯାଇଛି। ବିଗତ ବର୍ଷ ମାନଙ୍କରେ ଆମ୍ବ ଚାଷୀମାନେ ବହୁ କ୍ଷତି ସହିଥିବା ବେଳେ ଚଳିତ ବର୍ଷ ୬ଶହ କ୍ଵିଣ୍ଟାଲ ଆମ୍ବ ଜର୍ମାନୀକୁ ରପ୍ତାନି ହେବା ନେଇ ବହୁତ୍ ଖୁସି ଅଛନ୍ତି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ଆମ୍ବ ଚାଷ ପାଇଁ ପାଗ ଅନୁକୂଳ ହୋଇଥିବାରୁ ଚାଷୀ ଭଲ ଉତ୍ପାଦନ ପାଇପାରିଛନ୍ତି। ଜିଲ୍ଲାର ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ, ତେଣୁ ବିଦେଶରେ ଏହାର ଭଲ ଚାହିଦା ରହିଛି। ବିଦେଶ ରପ୍ତାନି ଦ୍ଵାରା ଚାଷୀମାନେ ଭଲ ମୂଲ୍ୟ ପାଇପାରିବେ ବୋଲି ଆଶା ରଖିଛନ୍ତି।
ଆମ୍ବ ଚାଷ ପ୍ରତି ଚାଷୀମାନେ ଆଗ୍ରହୀ ଥିଲେ ମଧ୍ୟ ବିଗତ ବର୍ଷରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ଉପଯୁକ୍ତ ବଜାର ସହାୟତା ନଥିବା ହେତୁ ଚାଷୀ ମାନେ ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଚାଷ ପରିମାଣ ବୃଦ୍ଧି ହେବା ସହ ଅମଳ ମଧ୍ୟ ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଆମ୍ବ ବିଦେଶ ରପ୍ତାନି ହେବାକୁ ନେଇ ଚାଷୀ ମାନେ ଉଚିତ୍ ମୂଲ୍ୟ ପାଇବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଆସନ୍ତା ବର୍ଷକୁ ବର୍ଷ ଆମ୍ବ ଉତ୍ପାଦନରେ ବୃଦ୍ଧି, ଉତ୍ପାଦନକାରୀଙ୍କୁ ସଶକ୍ତ କରିବା ଏବଂ ରପ୍ତାନି ପରିମାଣକୁ ବୃଦ୍ଧି କରିବା ନେଇ ଅନେକ ପଦକ୍ଷେପ ନେବେ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ