କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ

0

ଶାସ୍ତ୍ର ମତାନୁସାରେ ‘ଅନ୍ନାଦି ଭବନ୍ତି ଭୂତାନି’, ଅର୍ଥାତ ଅନ୍ନରୁ ଜୀବର ସୃଷ୍ଟି। ମାଟିକୁ କର୍ଷଣ କରି, ସେଥିରୁ ଶସ୍ୟ ଉତ୍ପାଦନ କୁ ହିଁ କୃଷି ବୋଲି କୁହାଯାଏ। ମାନବ ସମାଜର ମୌଳିକ ଆବଶ୍ୟକତା ପାଇଁ କୃଷି ନିତାନ୍ତ ଆବଶ୍ୟକ ଏବଂ ଜୀବନ ଶୈଳୀ କୃଷି ଉପରେ ପର୍ଯ୍ୟବସିତ। ଦୈନନ୍ଦିନ ଜୀବନରେ ମଣିଷର ଚାଲି ଚଳଣିଠାରୁ ଆରମ୍ଭ କରି ପର୍ବ ପର୍ବାଣୀ ପର୍ଯ୍ୟନ୍ତ କୃଷି ଉପରେ ନିର୍ଭର କରେ।

nano urea


ସେଇଭଳି ନୂଆଖାଇ ହେଉଛି ଏକ କୃଷି ଭିତ୍ତିକ ଗଣପର୍ବ, ଯାହା ଫସଲ ଅମଳ ସମୟରେ ପାଳନ କରାଯାଏ। ଅନେକ ଲୋକଙ୍କ ମନରେ ଧାରଣା ଯେ ଏହା କେବଳ ପଶ୍ଚିମ ଓଡିଶାର ଏକ ଗଣପର୍ବ, କିନ୍ତୁ ପ୍ରକୃତରେ ଏହା ଏକ ଭ୍ରାନ୍ତ ଧାରଣା, ଏହି ପର୍ବ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ସାରା ପୃଥିବୀରେ ପାଳନ କରାଯାଏ। ପଶ୍ଚିମ ଓଡ଼ିଶାରେ ଏହି ପର୍ବ ନୂଆଁଖାଇ ନାମରେ ପାଳନ କରାଯାଏ, ଯାହା ଭାଦ୍ରବ ମାସ ଋଷି ପଞ୍ଚମୀ (ଶୁକ୍ଳପକ୍ଷ ପଞ୍ଚମୀ) ତିଥିରେ ଅତ୍ୟନ୍ତ ହର୍ଷୋଲ୍ଲାସ ସହିତ ପାଳନ କରାଯାଏ, ଏବଂ ଏହା ଏହି ଅଂଚଳର ସବୁଠାରୁ ବଡ଼ପର୍ବ। ଏହି ପର୍ବରେ ନିଜ ଜମିରେ ଉତ୍ପାଦିତ ଶସ୍ଯକୁ ପ୍ରଥମେ ନିଜର ଇଷ୍ଟଙ୍କ ନିକଟରେ ସମର୍ପଣ କରି ନିଜେ ଗ୍ରହଣ କରାଯାଏ।
ନୂଆଁଖାଇର କେବେ ଆରମ୍ଭ ହୋଇଥିଲା, ତା ବିଷୟରେ ସଠିକ ତଥ୍ୟ ମିଳିପାରି ନାହିଁ, କେବଳ ଏତିକି କହିହେବ ଏହି ପରମ୍ପରା କେଉଁ ଆବାହମାନ ସମୟରୁ ଚାଲିଆସିଛି।
ନୂଆଁଖାଇ ହେଉଛି ବନ୍ଧୁତ୍ୱ- ଭାଇଚାରା, ଐକ୍ୟ-ସଂହତି, ହର୍ଷ-ଉଲ୍ଲାସର ପର୍ବ। ଯେ ଯେଉଁଠି ଥିଲେ ମଧ୍ୟ ନୂଆଁଖାଇ ପାଇଁ ନିଜର ଜନ୍ମମାଟିକୁ ଆସନ୍ତି ଏହି ପର୍ବ ପାଳନ କରିବା ପାଇଁ। ଭାଇ ଭାଇ ମଧ୍ୟରେ ଯେତେ ବାଦ ବିବାଦ ଥାଉ, ସବୁ ମନ ମାଳିନ୍ୟ ଭୁଲି ନୂଆଁଖାଇ ପାଳନ ପାଇଁ ଏକାଠି ହୋଇଥାନ୍ତି।
ବର୍ତ୍ତମାନର ବ୍ୟସ୍ତ ବହୁଳ ସମାଜରେ ମଧ୍ୟ ସହରୀ ପରମ୍ପରା କି ଆଧୁନିକତା ଏହି ପର୍ବର ମହାନତା କୁ ମଳିନ କରି ପାରିନାହିଁ। ଯଦିଓ ସହରୀ ସମାଜରେ ଲୋକ କୃଷିକୁ ନିଜର ପେଶା ଭାବରେ ଗ୍ରହଣ କରି ନାହାନ୍ତି, ତଥାପି ସେମାନେ କୃଷି ଉପରେ ନିର୍ଭରଶୀଳ। ସମୟ ସ୍ରୋତରେ ପୁରାତନ ପରମ୍ପରା ଭାସି ଯାଇଥିଲେ ମଧ୍ୟ ନୂଆଁଖାଇର ପରମ୍ପରା ଚିର ଉଜ୍ଜୀବିତ ହୋଇ ରହିଛି। ଆଜିମଧ୍ୟ ନୂଆଁଖାଇ ପାଇଁ ଯିଏ ଯେଉଁଠି ଥିଲେ ନିଜ ଘରକୁ ଆସନ୍ତି ଓ ନିଜ ପରିବାର ସହ ନବାନ୍ନ ଭକ୍ଷ୍ୟଣ କରନ୍ତି।
ନୂଆଁଖାଇ ଭାଦ୍ରବ ମାସରେ ପାଳନ ହେଉଥିବାରୁ ସାଧାରଣତଃ ଏହି ସମୟରେ ଧାନ ସବୁ ଅଂଚଳରେ ଅମଳ ହୋଇ ନଥାଏ, ତେଣୁ କେବଳ ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପ୍ରତି ଗାଁ ରେ କିଛି କିଛି ଜମିରେ କମ ଦିନରେ ଅମଳ ହେଇ ପାରୁଥିବା କିଛି ପାରମ୍ପରିକ ଧାନ କିସମ ଚାଷ କରାଯାଏ (ଷାଠିଆ, ସରିଆ ଇତ୍ୟାଦି)। ଏହି ଧାନ ପାଖାପାଖି ୬୦-୭୦ ଦିନରେ ଅମଳଯୋଗ୍ୟ ହୋଇଯାଏ, ଗାଁ ର ଗଉନ୍ତିଆ (ଜମିଦାର ବା ମୁଖିଆ) ମାନଙ୍କର କିଛି ବିଲରେ ଯାହାକୁ ଚାଷ କରାଯାଇଥାଏ। ନୂଆଁଖାଇ ଦିନ ସକାଳୁ ଗାଁର ଝାଙ୍କର ( ଗ୍ରାମଦେବୀଙ୍କ ପୂଜକ) ଘର ଘର ବୁଲି ସବୁଘରେ ନୂଆ ଚାଉଳ ଦିଅନ୍ତି । ସହରରେ ଯଦିଓ ଏହି ପ୍ରଥା ସମ୍ଭବ ନୁହେଁ, ନୂଆଁଖାଇ ପୂର୍ବରୁ ବସୁଥିବା ନୂଆଁଖାଇ ହାଟରେ ନୁଆଁ ଧାନ ବିକ୍ରି ହୁଏ, ସେଠାରୁ ସହରର ଲୋକ ଆଣନ୍ତି, ନହେଲେ ନିକଟସ୍ଥ ଗାଁ ରୁ ଯାଇ ନେଇ ଆସନ୍ତି ଏବଂ ନୂଆଁଖାଇ ପାଳନ କରନ୍ତି। ନୂଆଁଖାଇ ଦିନ ସେଇ ନୂଆଁଧାନରୁ ନୂଆଁ ବା ନବାନ୍ନ ପ୍ରସ୍ତୁତ ହୁଏ ଏବଂ ପ୍ରଥମେ ଇଷ୍ଟ ଦେବ/ଦେବୀ ଙ୍କ ପାଖରେ ଅର୍ପଣ କରି ତାପରେ ସପରିବାର ଏକାଠି ଭକ୍ଷ୍ୟଣ କରନ୍ତି ଏବଂ ତାପରେ ଜୁହାର-ଭେଟ ର ପରମ୍ପରା ପାଳନ ହୁଏ। ପୂର୍ବରୁ ଅନେକ ଗାଁ ରେ ସମଗ୍ର ଗ୍ରାମବାସୀ ଏକାଠି ନୂଆଁ ଖାଉଥିଲେ, ଏହା ଏବେ ମଧ୍ୟ କିଛି ଗାଁ ରେ ପ୍ରଚଳିତ ଅଛି।
ଏହିପରି ଭାବରେ କୃଷି ଏବଂ ପରମ୍ପରା ଉଭୟ ପରିପୁରକ ବୋଲି ଏହି ମହାନ ପର୍ବ ପ୍ରମାଣିତ କରେ।

ଶୁଭଙ୍କର ପୁରୋହିତ
ସହକାରୀ ପ୍ରାଧ୍ୟାପକ , କ୍ଷେତ୍ର ବିଜ୍ଞାନ , ଏମ.ଏସ.ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ , ପାରଳାଖେମୁଣ୍ଡି

Leave A Reply

Your email address will not be published.

twenty − nineteen =