ଆମର ନୂଆଁଖାଇ ତିହାର

0

ପ୍ରାଚୀନ ବୈଦିକ ପରମ୍ପରାରେ ପ୍ରଚଳିତ ଯଜ୍ଞରେ ସମର୍ପଣ ଭାବର ଆଧୁନିକ ରୂପ ହେଉଛି ନୂଆଁଖାଇ । ନୂଆଁଖାଇ ଏକ କୃଷି ଆଧାରିତ ଗଣପର୍ବ ଯେଉଁଠି କୃଷକ ତା ଉତ୍ପାଦିତ ଅନ୍ନର ପ୍ରଥମ ଭାଗ ଗ୍ରାମଦେବୀ ବା ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରି ପ୍ରସାଦ ରୂପରେ ସମ୍ପୂର୍ଣ ପରିବାର ସହିତ ନବାନ୍ନ ଭକ୍ଷଣ କରିଥାଏ । ପୁରାତନ କୋଶଲ ବା ଆଧୁନିକ ପଶ୍ଚିମ ଓଡ଼ିଶା , ଛତିଶଗଡ଼ ଓ ଝାରଖଣ୍ଡର ସିମଡ଼େଗା , ଚକ୍ରଧରପୁର ଅଂଚଳରେ ନୂଆଁଖାଇ ଗଣପର୍ବ ଭାବେ ଅନେକ ଉତ୍ସାହର ସହିତ ପାଳିତ ହୁଏ ।

ନୂଆଁଖାଇକୁ ଆଜିର ପ୍ରଚଳିତ ରୂପଦେବାର ଅନେକ ଶ୍ରେୟ ଦ୍ୱାଦଶ ଶତାବ୍ଦୀରେ ପାଟଣା ରାଜ୍ୟର ଚୌହାନ ବଂଶର ରାଜା ରାମଇ ଦେବଙ୍କୁ ଯାଏ । ତାଙ୍କ ରାଜୁତି ସମୟରେ ସେ ଅନୁଭବ କରିଥିଲେ ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ ଅଂଚଳରେ କୃଷିକାର୍ଯ୍ୟର ବିକାଶ ଅପରିହାର୍ଯ୍ୟ କାରଣ ସେ ସମୟରେ ଏହି ଅଂଚଳ ଘଞ୍ଚ ଅରଣ୍ୟରେ ପୂର୍ଣ ଥିଲା ଓ ଜନତା ଶିକାର ଓ ଖାଦ୍ୟ ଠୁଳ ପ୍ରକ୍ରିୟା ଉପରେ ଆଶ୍ରିତ ଥିଲା । ତେଣୁ ସେ କୃଷିକାର୍ୟ୍ଯ ବିକାଶ ପାଇଁ ପଦକ୍ଷେପ ନେବା ସହିତ ଉତ୍ପାଦିତ ଅନ୍ନର ପ୍ରଥମ ଭାଗ ପାଟଣା ରାଜ୍ୟର ଇଷ୍ଟଦେବୀ ପାଟନେଶ୍ୱରୀଙ୍କୁ ଅର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ବଲପୁରରେ ମାଁ ସମଲେଶ୍ବରୀଙ୍କ ଆବିର୍ଭାବ ହେଲା ପରେ ସମ୍ବଲପୁରରେ ମାଁ ସମଲେଶ୍ବରୀ , ସୋନପୁରରେ ମାଁ ସୁରେଶ୍ୱରୀ ,କଳାହାଣ୍ଡିରେ ମାଁ ମାଣିକେଶ୍ୱରୀ ଓ ଗାଙ୍ଗପୁର ବା ଆଜିର ସୁନ୍ଦରଗଡ଼ରେ ଶିଖରବାସିନୀଙ୍କଠାରେ ପ୍ରଥମ ଭାଗ ଅର୍ପଣ ହେଲା ।

nano urea

ନୂଆଁଖାଇର ପର୍ବ ନଅଟି ପାହାଚ ଦେଇ ଅତିକ୍ରମ କରିଥାଏ । ପ୍ରଥମ ପାହାଚ ହେଲା ବେହେରନ ଯେଉଁଠି ଗାଁ ଲୋକେ ମିଶି ନୂଆଁଖାଇ ଲଗ୍ନ ସ୍ଥିର କରିବା ପାଇଁ ବୈଠକ ପାଇଁ ସମୟ ସ୍ଥିର କରନ୍ତି । ଦୂତୀୟ ପାହାଚ ହେଲା ଲଗ୍ନ ଦେଖା ଯେଉଁଠି ନୂଆଁଖାଇ ପାଇଁ ଲଗ୍ନ ସ୍ଥିର ହୁଏ । ତୃତୀୟ ହେଲା ଡାକ-ହକା ଅର୍ଥ ସମସ୍ତଙ୍କୁ ଲଗ୍ନର ସୂଚନା ଓ ନିମନ୍ତ୍ରଣ ଦିଆଯାଏ । ଲିପାପୁଛା ବା ସଫାସୁତ୍ରା ହେଉଛି ଚତୁର୍ଥ ସୋପାନ ଯେଉଁଠି ଘରକୁ ନୂଆଁଖାଇ ପାଇଁ ପ୍ରସ୍ତୁତ କରାଯାଏ । ପଞ୍ଚମ ସୋପାନ ହେଉଛି ଘିନା ବିକା ମାନେ ନୂଆଁଖାଇ ପାଇଁ ଆବଶ୍ୟକ ଦ୍ରବ୍ୟ କିଣାଯାଏ । ଷଷ୍ଠ ସୋପାନ ହେଉଛି ନୂଆଁ ଧାନ ଖୁଜା ଅର୍ଥ ନବାନ୍ନ ଭକ୍ଷଣ ପାଇଁ ପାକଳ ଧାନ ଖୋଜିବା । ବାଲିପକା ହେଉଛି ନବାନ୍ନକୁ ମାଁଙ୍କ ପାଖରେ ଅର୍ପଣ ଓ ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ନୂଆଁଖାଇ । ଏହି କ୍ରମର ଶେଷ ସୋପାନ ହେଉଛି ଜୁହାର ଭେଟଘାଟ ଯେଉଁଠି ପରିବାରର ସବୁଠାରୁ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ମୁଡ଼ିଆ ମାରିବା ବା ପ୍ରଣାମ କରିବା ଏହି କ୍ରମଚାଲିଥାଏ । ଠିକ୍ ଗାଁରେ ମଧ୍ୟ ଏହି ପରମ୍ପରା ପାଳନ ହୁଏ ଗାଁର ସ୍ୱଳ୍ପବୟସ୍କ ବାଳକ ବାଳିକା ସହିତ ଗ୍ରାମବାସୀମାନେ ଗାଁର ସମସ୍ତ ବୟୋଜ୍ୟେଷ୍ଠଙ୍କୁ ପ୍ରଣାମ କରନ୍ତି । ପ୍ରେତ୍ୟକ ଗାଁରେ ନୂଆଁଖାଇ ସଂଧ୍ୟାରେ ନାଚ, ଗୀତ ଓ ଖେଳର ଆୟୋଜନ ନିଶ୍ଚିତ ଭାବେ ହୋଇଥାଏ ।

ନୂଆଁଖାଇକୁ 1991 ପୂର୍ବବର୍ତୀ ସମୟରେ ପ୍ରତ୍ୟେକ ଗାଁ ନିଜ ଗ୍ରାମଦେବୀ ମନ୍ଦିରରେ ସ୍ଥିରୀକୃତ ଲଗ୍ନ ଆଧାରରେ ଖାଉଥିଲେ କିନ୍ତୁ ଏହି ବର୍ଷ ଏକ ସାମୁହିକ ପ୍ରାୟଶ ସ୍ୱରୂପ ପଶ୍ଚିମ ଓଡ଼ିଶାର ସମସ୍ତ ଇଷ୍ଟଦେବୀ ମନ୍ଦିରର ପୂଜକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନିଷ୍ପତ୍ତି ସ୍ୱରୂପ ଗଣେଶ ପୂଜା ପରଦିନ ବା ପଞ୍ଚମୀ ଦିନ କଳାହାଣ୍ଡିକୁ ଛାଡି ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ପାଳିତ ହେବାର ନିଷ୍ପତ୍ତି ହୋଇଥିଲା । ସେହି ବର୍ଷଠୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର ଶୁକ୍ଲ ପଞ୍ଚମୀ ଠିଥିରେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଲଗ୍ନ ସମୟ ସ୍ଥିରୀକୃତ ହୋଇଏକ ସମୟରେ ସମ୍ପୂର୍ଣ ପଶ୍ଚିମ ଓଡିଶାରେ ପାଳିତ ହୋଇଆସୁଛି । ନୂଆଁଖାଇ ପଶ୍ଚିମ ଓଡ଼ିଶାବାସୀ ପାଇଁ କେବଳ ଏକ ପର୍ବ ନୁହେଁ ଏହା ଏହି ଅଂଚଳର ସଂସ୍କୃତି , ପରମ୍ପରା , ଚିନ୍ତନ ଓ ବ୍ୟବହାରର ଦିଗଦର୍ଶନ ।

ରିତେଶ ପୃଷେଠ
ସୁନ୍ଦରଗଡ଼
ଇମେଲ : [email protected]
ଦୂରଭାଷ : 7978567782

Leave A Reply

Your email address will not be published.

4 × two =