କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ପୋତେଣ୍ଡା ଗ୍ରାମର ମହିଳା ମାଣ୍ଡିଆ ଚାଷୀ ନୈନା ମାଝୀ ଭିନ୍ନକ୍ଷମ ହୋଇ ମଧ୍ୟ ମାଣ୍ଡିଆ ଚାଷକୁ ଆପଣେଇ ସଫଳ ଚାଷୀ ପାଲଟିଛନ୍ତି। ପିଲାଟି ଦିନରୁ ସେ ଭିନ୍ନକ୍ଷମ। କହିବା ଓ ଶୁଣିବା ପାଇଁ ସେ ସମ୍ପୂର୍ଣ ଅକ୍ଷମ। ନିଜର ଶାରୀରିକ ଅକ୍ଷମତା ଥିଲେ ମଧ୍ୟ ଚାଷ ପ୍ରତି ଥିବା ଆଗ୍ରହ ଓ ଉତ୍ସାହ ତାଙ୍କୁ ଏକ ସଫଳ ମାଣ୍ଡିଆ ଚାଷୀ ଭାବେ ପରିଚିତ କରିପାରିଛି। ଶ୍ରୀ ଅନ୍ନ ଅଭିଯାନରେ ସାମିଲ ହୋଇ ମାଣ୍ଡିଆ ଚାଷକୁ ଆପଣେଇ ନୈନା ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଏକ ସ୍ପଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି।
ନିଜ ଅକ୍ଷମତାକୁ ପଛରେ ପକାଇ ସେ ଚାଷ ପାଇଁ ନେଇଥିବା ନିଷ୍ପତ୍ତି ନିଜକୁ ସ୍ବାବଲମ୍ବୀ ମହିଳା ସଜାଇଛି। ଘରର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥିତିରେ ସୁଧାର ଆଣିବା ପାଇଁ ନୈନା ମାଝୀ ମାଣ୍ଡିଆ ଚାଷକୁ ଆପଣେଇଥିଲେ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ପ୍ରଶିକ୍ଷଣ ମାଧ୍ୟମରେ ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ଆରମ୍ଭ କରିଥିଲେ। ଗତ ବର୍ଷ ନିଜର ୨ ଏକର ଜମିରେ ମାମି ମାଣ୍ଡିଆ ଚାଷ କରି ନିଜ ଆବଶ୍ୟକ ମୁତାବକ ରଖି, ବାକି ମାଣ୍ଡିଆ ମଣ୍ଡିରେ ବିକ୍ରି କରି ବେଶ୍ ଲାଭବାନ ହୋଇଥିଲେ। ଏହି ମାଧ୍ୟମରେ ନୈନା ଭିନ୍ନକ୍ଷମ ହୋଇ ମଧ୍ୟ ରୋଜଗାର କରି ନିଜର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ କରିପାରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ