ପୋଦିନା ବା ମେନ୍ଥ କୃଷିକ୍ଷେତ୍ରରେ ଏକ ଅର୍ଥକାରୀ ଫସଲ ଭାବେ ମଧ୍ୟ ଜଣାଶୁଣା ଅଟେ। ବହୁ ପୁରୁଣା କାଳରୁ ଆୟୁର୍ବେଦିକ ଔଷଧରେ ଏହାର ବହୁଳ ବ୍ୟବହାର ହୋଇଆସିଛି। ଏହି କାରଣ ପାଇଁ କାଶ୍ମୀର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଭାରତର ଅନେକ ଅଞ୍ଚଳରେ ପୋଦିନା ଚାଷ କରାଯାଇଥାଏ। ବିଭାଗୀୟ ସହାୟତାକୁ ପାଥେୟ କରି କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକର ଚାଷୀ ପୋଦିନା ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଚାଷୀଙ୍କ କଠିନ ପରିଶ୍ରମ ଓ କୃଷି ବିଭାଗର ସଠିକ୍ ମାର୍ଗଦର୍ଶନରେ ଗଢ଼ା ହେଉଛି ଆତ୍ମନିର୍ଭରଶୀଳ ଓଡ଼ିଶାର ନୂଆ ପରିଚୟ।
ପଟାଙ୍ଗୀ ଅଞ୍ଚଳରେ ୨୦ ରି ଅଧିକ ଚାଷୀ ପୋଦିନା ଚାଷକୁ ଆପଣେଇ ସ୍ବାବଲମ୍ବୀ ହେଉଛନ୍ତି। ଚାଷୀମାନେ ଏଥିରୁ ତେଲ ମଧ୍ୟ ଉତ୍ପାଦନ କରୁଛନ୍ତି। ଏକର ପିଛା ୬୦ ରୁ ୬୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଏକର ପିଛା ପାଖାପାଖି ୫୫ ରୁ ୮୦ ହଜାର ପର୍ଯ୍ୟନ୍ତ ଲାଭ ପାଉଥିବା କହିଛନ୍ତି ପଟାଙ୍ଗି ଚାଷୀ। ପୋଦିନାରୁ ଉତ୍ପାଦିତ ତେଲକୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏକର ପିଛା ୧୦୦ ଲିଟର ପର୍ଯ୍ୟନ୍ତ ତେଲ ଉତ୍ପାଦନ କରୁଛନ୍ତି। ପିଏମ୍ କିଶାନ୍ ଯୋଜନାରେ ବିଭାଗ ପକ୍ଷରୁ ୮୦ ପ୍ରତିଶତ ରିହାତି ଯୋଗାଇ ଦେବାର ଯୋଜନା ରଖିଛନ୍ତି ସରକାର।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
