ବାଡ଼ିରେ କରନ୍ତୁ ଆମ୍ବ ବଗିଚା

0

ଆମ୍ବ ଭାରତର ଜାତୀୟ ଫଳ ଭାବେ ବେଶ୍ ପରିଚିତ। ଓଡ଼ିଆ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ବ ଗଛର ମହତ୍ତ୍ଵ ରହିଛି। ପୂଜା ପାଠଠୁ ବାହାଘର ପର୍ଯ୍ୟନ୍ତ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ । ଆଜିର ଆଧୁନିକ ଦୁନିଆରେବି କଳସ ଉପରେ ଆମ୍ବ ପତ୍ର ଆଉ ବାଇଗଣ ରଖି ପୂର୍ଣ୍ଣ କୁମ୍ଭ କରାଯାଏ ଏବଂ ଏହାକୁ ଶୁଭ ବୋଲି ବିବେଚନା କରାଯାଏ । କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ ଏବଂ ଶୁଖିଲା କାଠରେ ଜାଳେଣି ଠୁ ଆରମ୍ଭ କରି ରାଜକୀୟ ଖଟ ପଲଙ୍କ ପର୍ଯ୍ୟନ୍ତ ଅମ୍ବ ଗଛର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ବ୍ୟବହାରରେ ଆସିଥାଏ ।ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ ।ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ । ଓଡିଆ ଗାଁ ଗହଳିରେ ପ୍ରସ୍ତୁତ ଆମ୍ବୁଲ ଏବଂ ଆମ୍ବସରା ବେଶ୍ ସ୍ଵାଦିଷ୍ଟ ଏବଂ ଧୀରେ ଧୀରେ ସେ ଗୁଡିକ ବିଭିନ୍ନ ରଙ୍ଗ ବେରଙ୍ଗ ଜରି ପ୍ୟାକେଟରେ ବଜାରରେ ଉପଲବ୍ଧ  ହେଲାଣି ।ତେବେ ଛାଇଠୁ ଆରମ୍ଭ କରି ଶୀତଳ ପବନ ଏବଂ ଭୋକ ମେଣ୍ଟାଇବା ସହ ରୋଜୋଗାରକ୍ଷମ କରାଇବାରେ ଆମ୍ବ ଗଛର ଭୂମିକା ଅନେକ ରହିଛି । ଆଜିର ଯୁବ ପିଢ଼ି ଉନ୍ନତ ପ୍ରଣାଳୀରେ ଖାଲି ଜମିରେ ଆମ୍ବ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରିବେ।

ଜଳବାୟୁ ଓ ମୃତ୍ତିକା 
ସାଧାରତଃ ଆମ୍ବ ପାଣି ଜମୁନଥିବା ସନ୍ତସନ୍ତିଆ ଜାଗା ବ୍ୟତୀତ ସବୁ ପ୍ରକାର ମୃତ୍ତିକାରେ ଚାଷ କରାଯାଇ ପାରିବ । କମ୍ ଅମ୍ଳ ଥିବା ମାଟି ଏହା ପାଇଁ ଉପଯୁକ୍ତ ହୋଇଥାଏ କିନ୍ତୁ ଲୁଣା କିମ୍ବା କ୍ଷାରିଅ ମାଟି ଏହା ପାଇଁ ଉପଯୁକ୍ତ ନୁହେଁ । ରାଜ୍ୟର ଜଳବାୟୁ ଏହାର ଚାଷ ପାଇଁ ଅନୁକୂଳ ଥିବାରୁ ସବୁବେଳେ ଆମ୍ବଚାଷ ହୋଇପାରିବ । ଆମ୍ବ ଗଛରେ ବଉଳ ହେବା ବେଳେ ବର୍ଷା ହେଲେ ଏହା ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁ ଅଞ୍ଚଳରେ ଶୀତ ଦିନେ ବର୍ଷା କମ ହୁଏ ସେଠାରେ ଆମ୍ବ ଅମଳ ଭଲ ହୋଇଥାଏ । ଚାଷୀ ଭାଇ ମାନେ ୮ ରୁ ୧୨ ମାସର ଉନ୍ନତ କିସମର କଲମୀ ଚାରା ସଂଗ୍ରହ କରି ଜୁନ ରୁ ଅଗଷ୍ଟ ମାସ ମଧ୍ୟରେ ଲଗାଇବା ଉଚିତ ।

କିସମ
ଭାରତରେ ପ୍ରାୟ ଏକ ହଜାର ରୁ ଅଧିକ କିସମ ର ଆମ୍ବ ଉପଲବ୍ଧ ହୋଇଥାଏ କିନ୍ତୁ ବ୍ୟବସାୟିକ , ବଜାର ଚାହିଦା ଏବଂ କମ୍ ଦିନରେ ଅଧିକ ଫଳ ସହ ଜଳବାୟୁ ସହିତ ଖାପ ଖୁଆଇ ବଞ୍ଚୁଥିବା କିସମ ଚୟନ କରିବା ଆବଶ୍ୟକ ହୋଇଥାଏ । ଓଡ଼ିଆରେ ପ୍ରସିଦ୍ଧ କେତେକ ଉନ୍ନତ ପ୍ରଜାତି ହେଲା
ସଅଳ ଅମଳ କିସମ -ବାଇଗଣପଲ୍ଲି ,ଆଲ୍ଫାନସୋ, ବମ୍ବାଇ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ଗୋଲାପଖାସ, ନିଲଫାନସୋ, ନିଲେସାନ।
ମଝିଆଳି ଅମଳ କିସମ –ଦସେରି, ବାଗନପଲ୍ଲୀ, ହିମସାଗର, ଲାଙ୍ଗଡା,ସିନ୍ଧୁ, ଆର୍କା-ପୁନୀତ, ଆର୍କା-ଅନମୋଲ, ସୁନ୍ଦର, ଲାଙ୍ଗ୍ରା, ।
ବିଳମ୍ବରେ ଅମଳ କିସମ  – ଆମ୍ରପଲ୍ଲୀ,ନୀଲମ, ଚୌଷା, ସୁନ୍ଦରୀ, ତୋତାପୁରୀ, ଚେରୁକ, ରସମ,ମଲ୍ଲିକା ।
ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା ଅନୁଯାୟୀ ସବୁ ସ୍ଥାନରେ ବାଗନପଲ୍ଲି, ଆମ୍ରପଲ୍ଲୀ, ମଲ୍ଲିକା, ଦସେରି, ରତ୍ନା, ସିନ୍ଧୁ, ତୋତାପୁରୀ, ସୁବର୍ଣ୍ଣରେଖା, ଲାଙ୍ଗ୍ରା ଆଦି ବେଶ୍ ଭଲ ଭାବେ ଚାଷ କରାଯାଇ ପାରିବ । ଟାକୁଆ ବା ମଞ୍ଜିରୁ ହେଉଥିବା ଗଛରେ ମୂଳ ଗଛର ସବୁ ପ୍ରକର ଗୁଣ ପରିଲକ୍ଷିତ ହୋଇ ନଥିବା ସହ ଉତ୍ନତ ଗଛ ମଧ୍ୟ ସୃଷ୍ଟି ହୁଏ ନାହିଁ  ଏଣୁ ଚାଷୀ ଭାଇ ମାନେ ଉଦ୍ୟାନ କୃଷି ବିଭାଗ କିମ୍ବା ନିକଟସ୍ଥ ବଜାରରେ ମିଳୁଥିବା କଲମୀ ଆମ୍ବ ଚାରା ଆଣି ଅତି ସହଜରେ ଆମ୍ବ ଚାଷ କରିପାରିବେ ।

nano urea

ଚାଷ ପ୍ରଣାଳୀ: ଖାଲି ପଡ଼ିଥିବା ପଡିଆ ଜମି କିମ୍ବା ଢିପ ବିଲରେ ଆମ୍ବ ଚାଷ ହୋଇଥାଏ । ଗଛ ଗୁଡ଼ିକୁ ଯିବଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ପ୍ରଥମେ ଜମିକୁ ଭଲ ଭାବେ ଆବଦ୍ଧ କରିବାକୁ ହେବ। ସାଧାରଣ ଆମ୍ବ ଗଛ ଗୁଡ଼ିକୁ ୧୦ ମିଟର ବ୍ୟବଧାନରେ ଲଗା ଯାଇଥାଏ । ଗଛ ବଡ଼ ହେବା ପର୍ଯ୍ୟନ୍ତ ସେହି ଖାଲି ସ୍ଥାନରେ ଅଲଗା ଫସଲ ବା ଅନ୍ୟ ସଅଳ ପ୍ରଜାତିର ଫଳ ଚାଷ କରାଯାଇପାରିବ। କିନ୍ତୁ ଶଙ୍କର ବା ହାଇବ୍ରିଡ କିସମ ଗଛଗୁଡିକର ଉଚ୍ଚତା  ଓ ଆକାର କମ୍ ହୋଇଥିବା ହେତୁ ୫ ରୁ ୬ ମିଟର ବ୍ୟବଧାନରେ ମଧ୍ୟ ଲଗାଯାଇଥାଏ । ଏଣୁ ଗଛ ଗୁଡ଼ିକୁ ସଠିକ୍ ଦୂରତା ଏବଂ କ୍ରମରେ ଲଗାଇବା ଆବଶ୍ୟକ ଅଟେ । ଧାଡ଼ି କୁ ଧାଡ଼ି ଏବଂ ଗଛ କୁ ଗଛ ସଠିକ୍ ଦୂରତା ବ୍ୟବଧାନରେ ୧ ମି ଦର୍ଘ୍ୟ, ପ୍ରସ୍ଥ ଏବଂ ଗଭୀର ଗାତ ଖୋଳାଯାଇ ତଳ ଏବଂ ଉପର ମାଟିକୁ ଅଲଗା କରି ରଖାଯାଏ। ଏହାପରେ  ୮ ରୁ ୧୦ ଦିନ ଖରାରେ ସୁଖିବାକୁ ଛଡାଯାଏ । ଏହା ଫଳରେ ମାଟିରେ ଥିବା ଅନିଷ୍ଟ କାରି ସୂତ୍ର କୃମି ,କୀଟ ଏବଂ ଏହାର ଅଣ୍ଡା ମାନେ ଖରାରେ ମରିଯାଇଥାନ୍ତି । ଯଦି ଉଇ କିମ୍ବା ପିମ୍ପୁଡ଼ି ଦେଖାଯାଏ ତେବେ  କ୍ଲୋରୋପାଇରିଫସ ଗୁଣ୍ଡ ପକାଇବା ଦ୍ଵାରା ସେଗୁଡିକ ମରିଯାଇଆନ୍ତି । ପ୍ରତି ଗାତ ପିଛା ୫ ଝୁଡ଼ି ଶୁଖିଲା ଗୋବର ଖତ ,୨.୫ କି.ଗ୍ରା ହାଡ ପିଡ଼ିଆ, ୨ କି.ଗ୍ରା ନିମ ପିଡ଼ିଆକୁ ଖୋଳାଯାଇଥିବା ମାଟି ସହ  ଭଲଭାବରେ ମିଶ୍ରଣ କରି ପ୍ରଥମେ ତଳ ମାଟି ଏବଂ ତା ଉପରେ ଉପର ମାଟି ଦେଇ ଗାତ ପୂର୍ଣ୍ଣ କରାଯାଏ । ଏହାକୁ କିଛି ଦିନ ପାଇଁ ଛଡାଯାଏ ଫଳରେ ବର୍ଷା ପାଣି ଖାଇ ଖତ ସାର ଭଲ ଭାବେ ମିଶିଯାଏ ଯଦି ବର୍ଷା ନ ହୁଏ ତେବେ ଗଛ ପ୍ରତି ୧ ରୁ ୨ ବାଲ୍ଟି ପାଣି ଛିଞ୍ଚନ କଲେ ମାଟି ଓ ଖତ ଭଲ ଭାବେ ମିଶିଯିବ ଏବଂ ଗଛ ବଢିବା ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଯିବ । ପାଣିପାଗକୁ ପରିଲକ୍ଷିତ କରି ଅସରାଏ କିମ୍ବା ଦୁଇ ଅସରା ବର୍ଷା ପରେ କଲମୀ ଚାରା  ରୋପଣ କରାଯାଏ। ସବୁ ବେଳେ ଧ୍ୟାନ ଦେବେ କଲମୀ ହୋଇଥିବା ସ୍ଥାନଟି ମାଟି ଉପରୁ କିଛି ଦୂର ବ୍ୟବଧାନ ରହୁଥିବ । ସନ୍ଧ୍ୟା କିମ୍ବା ଭୋର ସକାଳୁ ସୂର୍ୟ କିରଣ ସିଧସଳଖ ପଡୁନଥିବା ହେତୁ ଗଛ ଲଗାଇବା ଭଲ ହୋଇଥାଏ । ଚାରା ଲଗାଇବା ପରେ ବର୍ଷାକୁ ଦେଖି ସମୟେ ଜଳ ସେଚନ କରିବା ଆବଶ୍ୟକ ।

ଖାଦ୍ୟ ସାର ପରିଚାଳନା
ସାଧାରଣତଃ ଥରେ ଗଛ ଲଗାଇଦେଲା ପରେ ଚାଷୀ ଭାଇମାନେ ପାରେ ଆଉ ଖାଦ୍ୟ ସାର ଦିଅନ୍ତି ନାହିଁ ଫଳରେ ଗଛ ଗୁଡିକ ହୃଷ୍ଟ ପୃଷ୍ଟ ହୋଇନଥାନ୍ତି । ଗଛର ବୟସ ଅନୁସାରେ ଖତ ସାର ପ୍ରୟୋଗ କରିବା ଉଚିତ । ଗୋଟେ ବର୍ଷିକିଆ ଗଛ ପାଇଁ ୧୦ କିଲୋ ଗୋବର ଖତ, ୨.୫ କିଗ୍ରା ହାଡ଼ ଗୁଣ୍ଡ ୧୦ କିଗ୍ରା ପାଉଁଶ ଗୁଣ୍ଡ , ୧ କିଗ୍ରା ପୋଟାସିୟମ ସଲ୍ ଫେଟ୍ ଏବଂ ୫୦୦ ଗ୍ରାମ ଅମୋନିଅମ୍ ସଲ୍ ଫେଟ୍ ଦିଆଯାଏ । ବର୍ଷ କୁ ବର୍ଷ ଅଧିକ ୫  କିଗ୍ରା ଖତ ସହ ୧ କି.ଗ୍ରା ପାଉଁଶ ଗୁଣ୍ଡ , ୫୦୦ ଗ୍ରାମ ହାଡ଼ ଗୁଣ୍ଡ ଏବଂ ୪୦୦ ଗ୍ରାମ ପୋଟାସିୟମ ସଲ୍ ଫେଟ୍ ଦିଆଯାଏ । ଫଳନ୍ତି ଗଛ ପାଇଁ ୪୦ ରୁ ୫୦ କି.ଗ୍ରା ଖତ ସହ ୧୫ କି.ଗ୍ରା ପାଉଁଶ ଗୁଣ୍ଡ , ୭ କି.ଗ୍ରା ହାଡ଼ ଗୁଣ୍ଡ ଏବଂ ୧ କି. ଗ୍ରା ଆମୋନିଅମ ଫେଟ୍ ଦିଆଯାଏ । ସାର ଗୁଡିକ ଏକା ସଙ୍ଗେ ନ ଦେଇ ବର୍ଷା ଆରମ୍ଭରେ ଏବଂ ବର୍ଷା ଶେଷରେ ଅଧେ ଅଧେ କରି ଦିଆଯାଇଥାଏ । ଆମ୍ୱ ଗଛର ମୂଳରୁ ୧ ରୁ ୨ ମିଟର ଦୂରରେ ସମସ୍ତ ଚେର ମାଡ଼ି ରହୁଥିବ ହେତୁ ସେହି ଜାଗାରେ ୩୦ ସେ.ମି ଗଭୀରତାରେ ସାର ଦେଲେ ଚେର ସଠିକ୍ ବାବେ ଖାଦ୍ୟ ପାଇଥାଏ ।
ଜଳ ସେଚନ
ଗଛ ବଡ ହେବା ପର୍ଯ୍ୟନ୍ତ ୧୦ ରୁ ୧୫ ଦିନ ବ୍ୟବଧାନରେ ଜଳ ସେଚନ କରିବା ଆବଶ୍ୟକ ହୋଇଥାଏ । ବୁନ୍ଦା ପ୍ରଣାଳୀରେ ଜଳ ସେଚନ କଲେ କମ୍ ପରିଶ୍ରମ ଏବଂ କମ୍ ଜଳ ସହିତ କମ୍ ସମୟ ମଧ୍ୟ ଲାଗିଥାଏ ।ନଚେତ ଗଛ ଚାରି ପଟେ ଗୋଲେଇ ମନ୍ଦା କରି ଜଳ ଦେଲେ ଜଳ ନଷ୍ଟ ହୁଏ ନାହିଁ ଏବଂ ଗଛ ସଠିକ୍ ଭାବେ ଜଳ ପାଇଥାଏ । ବଉଳ ହେବାର  ୨/୩ ମାସ ଆଗରୁ ଜଳ ସେଚନ ବନ୍ଦ କଲେ ଭଳ ବଉଳ ହୋଇଥାଏ । ଆମ୍ବ କଷି ହେଲା ପର ଠାରୁ ବଡ଼ ବଡ଼ ଆକାର ହେଲା ଯାଏଁ ମଝିରେ ମଝିରେ ବର୍ଷା କୁ ଲକ୍ଷ୍ୟ କରି ଜଳ ସେଚନ କଲେ ଫଳ ଝଡି ପଡେ ନାହିଁ ଏବଂ ଆକାର ବଡ଼ ହୋଇଥାଏ ।
ଅନ୍ତଃ ଫସଲ
ଆମ୍ବ ଅମଳ ହେବାକୁ ୫ ରୁ ୬ ବର୍ଷ ଲାଗିଥାଏ ସେହି ସମୟ ମଧ୍ୟରେ ବାକି ଖାଲି ଥିବା ପଡ଼ିଆ ଜମିରେ କଦଳୀ , ଅମୃତ ଭଣ୍ଡା, ସପୁରୀ , ପନିପରିବା ସହ ଫୁଲ ଚାଷ କରି ଚାଷୀ ଭାଇମାନେ କିଛି ପଇସା ମଧ୍ୟ ପାଇପାରିବେ ଏବଂ ମୃତ୍ତିକା ଓ ଆନ୍ୟ ସମ୍ବଳ ମାନକର ସୁବିନିଯୋଗ ମଧ୍ୟ ହୋଇପାରିବ ।
ଅମଳ
ଫଳ ଫଳିବା ୪ ବର୍ଷରୁ ଆରମ୍ଭ ହୋଇଥାଏ ଧୀରେ ଧିରେ ଗଛ ବଡ଼ ହେବା ସଙ୍ଗେ ସଙ୍ଗେ ଅମଳ ମଧ୍ୟ ବଢିଥାଏ । ୧୦ ବର୍ଷ ବେଳକୁ ଗଛ ରେ ସମ୍ପୂର୍ଣ ଭାବେ ଫଳ ଆସେ ।ତେବେ ଆମ୍ବ ର କିସମ ଏବଂ ପ୍ରକାର ଭେଦ ଉପରେ ଅମଳ ନିର୍ଭର କରେ ।
ଆମ୍ବ ଗଛର ଫଳ ଫଳିବାର ଅନିୟମିତତା
ବେଲେ ବେଳେ ଦେଖାଯାଏ କେତେକ ଗଛର ଆମ୍ବ ବର୍ଷେ ଛାଡ଼ି ବର୍ଷେ ଫଳେ କାରଣ ଗୋଟିଏ ବର୍ଷ ଫଳ ଆସିଲା ପାରେ ଗଛ ରେ ଶକ୍ତି କମିଯାଏ ମଧ୍ୟ ଏହ ଏକ ବଂଶଗତ ଗୁଣ ଭାବେ ବିବେଚନା କରାଯାଏ ।
ପ୍ରତିକାର ସ୍ୱରୂପ ପ୍ରତି ବର୍ଷ ଫଳ ଧାରଣ କରିଥିବା କିସମ ତଥା ଆମ୍ରପଲ୍ଲୀ , ମଲ୍ଲିକା, ରତ୍ନା ,ସୁବର୍ଣ୍ଣରେଖା , ବମ୍ବେଗ୍ରିନ ଏବଂ ବାଇଗଣ ପଲ୍ଲୀ ଆଦି କିସମ ଚାଷ କରନ୍ତୁ । ବଗିଚାକୁ ସବୁ ବେଳେ ପରିଷ୍କାର ରଖିବା ସହିତ ଠିକ୍ ସମୟରେ ଖାଦ୍ୟ ସାର ଓ ଜଳ ସେଚାନ କରନ୍ତୁ । ଗଛରୁ ଅନାବଶ୍ୟକ ଡାଳ ପତ୍ର ଗୁଡ଼ିକ କାଟି ଦିଅନ୍ତୁ ଓ ରୋଗ ପୋକ ନିୟନ୍ତ୍ରଣ କରନ୍ତୁ । ସବୁବେଳେ ସବୁବେଳେ ଚାଷ କାର୍ଯ୍ୟରେ ରୋଗ ଓ ପୋକ ନିଦାନ ପାଇଁ ଚାଷୀ ଭାଈ ମନେ ସିଧସଳଖ ରାସାୟନିକ କୀଟନାଶକ ପ୍ରୟୋଗ ନକରି ସମନ୍ୱିତ ପ୍ରଣାଳୀରେ ତଥା ଯାନ୍ତ୍ରିକ,ଜୈବିକ ଏବଂ ରାସାୟନିକ ଉଭୟ  ୩ ଟି ପଦ୍ଧତିର ମିଶ୍ରଣରେ ରୋଗ ଓ ପୋକ ନିଦାନ କରିବା ଉଚିତ ଅଟେ। ରାସାୟନିକ ଉପାୟରେ ଏହାର ନିରାକରଣ କରିବାକୁ ହେଲେ ସେପ୍ଟେମ୍ବର ମାସରେ ପ୍ରତୀ ଗଛ ରେ ଟ୍ରେଞ୍ଚ କରି ପାକ୍ଲୋବୁଟ୍ରାଜଲ୍ (କୁଲଟାର ଗଛ ପ୍ରତି ୪ ଗ୍ରା.ମ ) ଦିଅନ୍ତୁ ।

ବିଜ୍ଞାନ ରଞ୍ଜନ ସାହୁ , କୃଷି ସ୍ନାତୋତ୍ତର ,
ମୃତ୍ତିକା ବିଜ୍ଞାନ , ଓୟୁଏଟି , ଭୁବନେଶ୍ଵର
ମୋ-୯୫୫୬୨୫୯୯୧୯

Leave A Reply

Your email address will not be published.

twenty − 12 =