ଚାଷ ପାଇଁ ଜଳର ମୁଖ୍ୟ ଆବଶ୍ୟକତା ରହିଛି, ଜମିରେ ଜଳ ପହଞ୍ଚିଲେ ଚାଷୀଙ୍କୁ ଚାଷକାର୍ଯ୍ୟ ପାଇଁ ବଳ ମିଳିଥାଏ। ଜଳ ସଂରକ୍ଷଣ କରି ଜଳକୁ ସୁବିନିଯୋଗ କରି କିପରି ଦିନକୁ ଦିନ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେଥି ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ସେଥିପାଇଁ ‘ ପର୍ ଡ୍ରପ୍ ମୋର୍ କ୍ରପ୍ ‘ କାର୍ଯ୍ୟକ୍ରମ ଦ୍ବାରା ପାରମ୍ପରିକ ବଦଳରେ ଆଧୁନିକ ବୁନ୍ଦା ସେଚ ପଦ୍ଧତିକୁ ପ୍ରୋତ୍ସାହନ ଦିଆଯାଉଛି। ଯାହାଦ୍ବାରା ଏହି ପଦ୍ଧତିକୁ ଆପଣେଇ ଚାଷୀ ଭାଇଭଉଣୀ ମାନେ ନିଜର ଉତ୍ପାଦନ ବୃଦ୍ଧି କରିବା ସହିତ ଆର୍ଥିକ ଲାଭବାନ ହୋଇପାରୁଛନ୍ତି।
ଏହି ପଦ୍ଧତିକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହଭାଗିତାରେ ବୈଜ୍ଞାନିକ ପଦ୍ଧତି ଓ ଆଧୁନିକ ଜ୍ଞାନକୌଶଳ ଦ୍ଵାରା ପ୍ରସ୍ତୁତ କରାଯାଇ ଲାଗୁ କରାଯାଇଛି। ଚାଷୀଙ୍କୁ ପୂର୍ବରୁ ଡିଜେଲ ମଟରରେ ବହୁ କଷ୍ଟରେ ପାଣି ମଡ଼ାଇବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ସ୍ପ୍ରୀଙ୍କଲର୍ ସାହାଯ୍ୟରେ ସେମାନେ ସହଜରେ ଜଳସେଚନ କରିପାରୁଛନ୍ତି। ଅଧିକ ଚାଷ ଜମି ଚାଷ କରିବା ଦ୍ୱାରା ପୁରାତନ ଜଳସେଚନ ସାହାଯ୍ୟରେ ଚାଷକାର୍ଯ୍ୟ କରିବା ସମ୍ଭବପର ହେଉନଥିଲା। ଆଧୁନିକ ଜଳସେଚନ ପଦ୍ଧତି ଦ୍ଵାରା ପାଣି ନଷ୍ଟ ନହେବା ସହ ଅଳ୍ପ ପାଣିରେ ମଧ୍ୟ ଚାଷ କରାଯାଇପାରୁଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ