ଧାମନଗର ଆଖୁ ଚାଷୀଙ୍କ ପାଇଁ ଅଭିନବ ପ୍ରୟାସ

ଭଦ୍ରକ ଜିଲ୍ଲାର ପ୍ରମୁଖ ଫସଲ ଭାବରେ ଧାନ ଆମ ଜୀବନ ଜୀବିକାକୁ ପ୍ରତିଫଳନ କରେ ବୋଲି ଅନେକ କହନ୍ତି । କିନ୍ତୁ ଆପଣ ଦଶନ୍ଧିର ପଛକୁ ଫେରିଗଲେ ଭଦ୍ରକର ଜନଜୀବନ ବି ଆଖୁ ଚାଷ କୁ ନେଇ ସଂଗଠିତ ହେଉଥିଲା । ସମୟ ପରିବର୍ତ୍ତନ ହେବା ସହ କ୍ରମେ କ୍ରମେ ଏହାର ପରିସଂଖ୍ୟାନ ମଧ୍ୟ କମିବାକୁ ଲାଗିଲା । ଏକଦା ସମୟ ଥିଲା ଆମ ଜିଲ୍ଲାରେ ପାଖାପାଖି ୨୫,୦୦୦ ରୁ ୩୦,୦୦୦ ହେକ୍ଟର ଚାଷ ଜମିରେ ଆଖୁଚାଷ ହେଉଥିଲା । ଜିଲ୍ଲାର ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ଏହି ଚାଷ ଅଧିକ ପରିମାଣରେ ହେଉଥିଲା । ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ । ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା । ଆମ ଜିଲ୍ଲାର ପଡ଼ୋଶୀ ଜିଲ୍ଲା ଯଥା ଯାଜପୁର, ବାଲେଶ୍ୱର,କେଉଁଝରକୁ ଭଦ୍ରକ ଗୁଡ଼ ରତ୍ପାନୀ ହୁଏ । କଲିକତାର ବ୍ୟବସାୟୀ ମାନେ ଆସି ଏ ଅଂଚଳରୁ ଗୁଡ଼ ନେଇ ଯାଆନ୍ତି । କିନ୍ତୁ ଯେହେତୁ ଜିଲ୍ଲାରେ ଚିନିକଳ ଟିଏ ଏଯାବତ ହୋଇପାରିଲା ନାହିଁ ଚାଷୀ ମାନେ ଆଉ ଚାଷ କରିବାକୁ ମନ ବଳାଉନାହାନ୍ତି । ବାପା ଦାଦା ଅମଳରୁ ଆଖୁ ଚାଷ କରାଯାଉଥିବା ବେଳେ ଏବେ ଏହାର ଅଭାବ ଯୋଗୁଁ ଜିଲ୍ଲାରେ ଆଖୁ ଚାଷ କମି କମି ଚାଲିଛି । ୨୦୦ ରୁ ୨୫୦ ହେକ୍ଟର ଚାଷ ଜମିରେ ଏବେ ଆଖୁ ଚାଷ କରାଯାଉଛି । ଯେଉଁ ଅଳ୍ପ କେତେକ ଚାଷୀ ଏହାକୁ କରୁଛନ୍ତି ବେପାରୀ ମାନେ କମ ଦରରେ କିଣି ବଜାରରେ ଚଢ଼ା ଦରରେ ବିକୁଛନ୍ତି ଫଳରେ ଚାଷୀର ଆୟ କମିବାରେ ଲାଗିଛି ।
ତେଣୁ ପୁଣି ଥରେ ଆଖୁଚାଷୀ ମାନଙ୍କୁ ସଂଗଠିତ କରିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଭଦ୍ରକ ଜିଲ୍ଲାର କୃଷି ଭିତିକ ଷ୍ଟାର୍ଟଅପ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ । ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସୁରାଳିର ଫତେଫୁର ଓ ଶ୍ରୀରାମଚନ୍ଦ୍ରପୁର ଗାଁରେ ୧୦୦ ଜଣ ଆଖୁ ଚାଷୀ ମାନଙ୍କୁ ନେଇ ଆଖୁ ଚାଷୀ ଉତ୍ପାଦକ ସଂଗଠନ ଗଠନ ପୂର୍ବକ ବୈଜ୍ଞାନିକ ଉପାୟରେ ଆଖୁ ଚାଷ କିପରି କରିହେବ ତଥା ଜୈବିକ ପ୍ରଣାଳୀରେ ଚାଷ କରିବାର ବିଭିନ୍ନ କୌଶଳ ଚାଷୀ ମାନଙ୍କ ନିକଟରେ ପହଁଚାଇବାକୁ ଉଦ୍ୟମ କରାଯାଇଛି । ଭଦ୍ରକର ଗୁଡ଼ କିପରି ବାହାର ଜିଲ୍ଲା ଓ ରାଜ୍ୟକୁ ରତ୍ପାନୀ କରିହେବ, ସେ ଦିଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଭଦ୍ରକର ଅସ୍ମିତା ପାଳୁଅ ଲଡ଼ୁରେ ଏହି ଗୁଡ଼ ସାମିଲ କରିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରାଯାଇଛି । ଏହା ଫଳରେ ଆଖ ପାଖ ଗାଁର ମହିଳା ମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ । ଆଗାମୀ ଦିନରେ ଭଦ୍ରକର ଅସ୍ମିତା ତଥା ଧାମନଗର ଗୁଡ଼ କୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚୟ ଦେବା ପାଇଁ ସବୁପ୍ରକାର ପ୍ରୟାସ କରିବା ବୋଲି ଫାଉଣ୍ଡର ଡି ଶୁଭମ୍ କହିଛନ୍ତି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×