ସୁଧିଜନେ ଚିନ୍ତା କର

0

ଯାହାର ରକତ ଜଳ ବିନ୍ଦୁ ସାଜି

ବୋହିଯାଏ ଅନବରତ,

ସେ ଚାହେଁ ପହିଲି ବରଷା ବିନ୍ଦୁ କୁ

ମନୋବଳ କରି ଶକତ।

ପ୍ରଦୂଷଣ ଘେରା ଜଳବାୟୁ କିନ୍ତୁ

ଦେଇଯାଏ ବେଶି କଷଣ,

କେବେ ବେଶି କେବେ ଅଳପ ଯେ ପୁଣି

ଅସହ୍ୟ ଜଳ ର ଶୋଷଣ।

ସୃଷ୍ଟିକର୍ତ୍ତା ପୁଣି ଗ୍ରହାକ ସାଜଇ

ଅର୍ଥ ସାଜେ ଏଠି ବାଧକ,

ଚାରି ଓଳି ଖାଦ୍ୟ ଯୋଗାଣକାରୀ ଯେ

ନିଜେ ପାଏ ନାହିଁ ଓଳିକ।

ପେଟ ପାଇଁ ନାଟ ଦୁନିଆ ର ନୀତି

ଚାଷୀ ବୁଲେ ବାର ଦୁଆର,

ଅର୍ଥ ଆଶା ଘେନି ପର ପାଦ ଧରେ

ସ୍ୱାଭିମାନ କରି ପର।

ଧରଣୀ ରାଣୀ ର ସବୁଜିମା ପାଇଁ

ସବୁବେଳେ ଥାଏ ରତ,

ନିଜ ଘରଣୀ ର ଶ୍ରୀହୀନ ହାତ କୁ

ଦେଖି ଭାଳୁ ଥାଏ ଚିତ୍ତ।

ଏଇ ସନ ନୂଆ ଫସଲ ଆସିଲେ

ଋଣ ପରିଶୋଧ କରି,

ସୁନା ଚୁଡି ରୂପା ପାଉଁଜି ଆଣିବି

nano urea

ନୂଆ ରୂପେ ଗଢା କରି।

ଦୁର୍ଭାଗ୍ୟ ର ମାୟା ଜାଲ ରେ ସେ ବନ୍ଧା

କରଜ ନ ପାରେ ଶୁଝି,

ଅପେକ୍ଷା ତାହାର ସରେ ନାହିଁ କେବେ

ପାରେ ନାହିଁ କିଛି ବୁଝି।

ଘର ସଂସାର ର ମୋହ କୁ ଆଦରି

ଚାଲିଯାଏ କଣ୍ଟା ପଥେ,

ଆତ୍ମହତ୍ୟା ପରି ଚରମ ପନ୍ଥା କୁ

ସାରଥୀ ସଜାଇ ରଥେ।

ଆଖି ଲୁହ ଆଉ ଦୁଃଖ କଷ୍ଟ ପିଇ

ବିଷ ର ଆଶ୍ରୟ ନିଏ,

ତଥାପି ଭାବଇ ପିଲା ଛୁଆ ଙ୍କୁ ମୋ

ସାହା ହେବ ପୁଣି କିଏ।

ଦାରିଦ୍ର୍ୟ ତାଡନା ତା ସଙ୍ଗେ କରଜ

ବୋଝ କୁ ବଢାଇ ଚାଲେ,

ସରକାରୀ କ୍ଷତିପୂରଣ ପାଇବେ

ଦୁଃଖ ସରିବ ମୁଁ ମଲେ।

ଆଜି ର କୃଷକ ମାଟି ହାଣି ଶେଷେ

ଖୋଳୁଛି ଆପଣା କବର,

ଏଥିପାଇଁ ପୁଣି ଦାୟୀ କେ ସାଜିବ

ସୁଧିଜନେ ଚିନ୍ତା କର।

Leave A Reply

Your email address will not be published.

six + 19 =