କଳାମାଟିରେ ମହକୁଛି ଧଳା ସୁନା

କଳାହାଣ୍ଡି କପାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର ଓ କୋକସରା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୦ଟି ବ୍ଲକରେ କପାଚାଷ ହୋଇଥାଏ । ବିଶେଷକରି ଭବାନୀପାଟଣା, କେସିଙ୍ଗା ଏବଂ ଗୋଲାମୁଣ୍ଡା ଭଳି ଅନ୍ୟ ବ୍ଲକମାନଙ୍କରେ କଳା ଉର୍ବର ମାଟି କାରଣରୁ ଉତ୍କୃଷ୍ଟ ଧରଣର କପା ଉତ୍ପାଦିତ ହେଉଥିବା ଦେଖିବାକୁ ମିଳେ। ଦ୍ଵିତୀୟତଃ କଳାହାଣ୍ଡି କପାର ବିଶେଷ ଗୁଣ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ I କପା ଚାଷ ପାଇଁ ଚଳିତ ବର୍ଷ ୪୮, ୪୫୫ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ପ୍ରାୟ ୭୧, ୪୮୪ ହେକ୍ଟର ଜମିରେ କପା ଚାଷ କରାଯାଇଥିବା କଥା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ବର୍ଷ ୯ ଲକ୍ଷ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ କପା ଉତ୍ପାଦିତ ହେବ ବୋଲି କୃଷିବିଭାଗ ପ୍ରାରମ୍ଭିକ ଆକଳନ କରିଛି।

କୃଷିର ଉନ୍ନତି ଦ୍ୱାରା ଗ୍ରାମାଞ୍ଚଳର ଉନ୍ନତି ସମ୍ଭବ ଏବଂ ଗ୍ରାମଞ୍ଚଳର ଉନ୍ନତି ହିଁ ରାଜ୍ୟ ପ୍ରଗତିର ଚାବିକାଠି ବୋଲି କୁହାଯାଏ । କଳାହାଣ୍ଡି ଜିଲ୍ଲାରେ ସବୁଜ ବିପ୍ଳବର ସଫଳ ରୂପାୟନ ଫଳରେ ଧାନଚାଷ ଭଳି କପାଚାଷ ରେକର୍ଡ ସୃଷ୍ଟି କରିଆସୁଛି କିନ୍ତୁ ଚଳିତ ବର୍ଷ କପାଚାଷୀ ମାନେ ନିଜର ଉତ୍ପାଦିତ କପାକୁ ନେଇ ଚିନ୍ତିତ କାରଣ ଆନ୍ତର୍ଜାତୀୟ ବଜାର ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ କପା ମୂଲ୍ୟରେ ଅସ୍ଥିରତା ରହିଛି ।ଗତ ଦୁଇ ବର୍ଷ ଧରି ସରକାରୀ ସ୍ତରରେ କପା ମଣ୍ଡି ଖୋଲାଯାଇନଥିଲା I ଜିଲ୍ଲା ବାହାର ତଥା ରାଜ୍ୟ ବାହାରୁ ବେପାରୀ ଓ ଦଲାଲ ଚାଷୀ ନିକଟରେ ପହଞ୍ଚି କୁଇଣ୍ଟାଲ ପିଛା ୯, ୫୦୦ ଟଙ୍କାରେ କ୍ରୟ କରିଥିଲେ ଏବଂ ଗତବର୍ଷ କପାର ଏମ.ଏସ.ପି ମୂଲ୍ୟ କୁଇଣ୍ଟାଲ ପିଛା ୬, ୫୦୦ ଟଙ୍କା ଥିଲା । ତେବେ ବିଦେଶକୁ କପା ରପ୍ତାନୀ କରିବା ସଙ୍ଗେସଙ୍ଗେ ମହାରାଷ୍ଟ୍ର, ଅନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ପଡୋଶୀ ଜିଲ୍ଲା ମାନଙ୍କରୁ ବଡ ବଡ ମିଲ୍ ମାଲିକଙ୍କ ପ୍ରତିନିଧ୍ ଓ ଦଲାଲ ମାନେ ପହଞ୍ଚି ପ୍ରାୟ ୭ ଲକ୍ଷ କୁଇଣ୍ଟାଲ କପା କ୍ରୟ କରିଥିଲେ । ଏଥର ଭବାନୀପାଟଣା ବ୍ଲକର କର୍ଲାପଡ଼ା, କେସିଙ୍ଗାର ଉତ୍କେଲା ଓ ଜୁନାଗଡ଼ ବ୍ଲକର ଉଛଲା ଠାରେ ଗତ ନଭେମ୍ବର ୨୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଛି । ସପ୍ତାହକୁ ଦୁଇ ଦିନ ମଣ୍ଡି ଖୋଲା ଯିବାର ନିଷ୍ପତ୍ତି ନିଆଯାଇଛି। କର୍ଲାପଡ଼ା ମଣ୍ଡିରେ ମାତ୍ର ୧୨୨ କୁଇଣ୍ଟାଲ କପା ବିକ୍ରି ହୋଇଥିବାବେଳେ ସମୁଦାୟ ମଣ୍ଡି ବ୍ୟବସ୍ଥା ଭିତରେ ୩୦୦ରୁ ଊର୍ଦ୍ଧ୍ୱ କୁଇଣ୍ଟାଲ କପା ବିକ୍ରି ହୋଇଥିବା ଆଉ ଏମ. ସି କର୍ତ୍ତୃପକ୍ଷଙ୍କ ଦ୍ଵାରା ଜଣାପଡ଼ିଛି । ଚଳିତ ବର୍ଷ କପା ର ଏମ. ଏସ୍ ପି ମୂଲ୍ୟ ୭, ୦୨୦ ଟଙ୍କା ଧାର୍ଯ୍ୟ କରାଯାଇଛି କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ମଣ୍ଡିରୁ ଚାଷୀଙ୍କ ଠାରୁ ସିଧାସଳଖ କପା ନେବା ନିୟମ ରହିଛି।

ତେବେ ଗତବର୍ଷର ଫାଇଦାକୁ ଦୃଷ୍ଟିରେ ରଖ୍ ଚାଷୀ ମଣ୍ଡିକୁ କପା ଆଣୁ ନଥିବା ଲକ୍ଷ୍ୟ କରାଯାଇଛି। ପ୍ରଥମତଃ କପାର ଦରବୃଦ୍ଧି ଘଟିଲେ ବାହାର ବେପାରୀଙ୍କୁ ବିକ୍ରି କରି ଲାଭବାନ ହେବାର ଆଶା ରଖୁଥିବାବେଳେ ଦ୍ୱିତୀୟରେ ମଣ୍ଡିକୁ କପା ଆଣି ଗୁଣବତ୍ତା ନଥିବା କାରଣରୁ କମ୍ ଦରରେ କପାକୁ ବିକ୍ରି କରିବା ଓ କଟନୀ ଛଟନୀ ର ଶିକାର ହେବା ଭୟ ଗ୍ରାସ କରିଛି । କପାର ଗୁଣବତ୍ତା ର ମାପକାଠି ଅନୁଯାୟୀ ୮ ରୁ ୧୧ ପ୍ରତିଶତ ଆଦ୍ରତା ପଡ଼ିଥିଲେ ମଧ୍ୟ ୭,୦୨୦ ଟଙ୍କା ଦରରେ କପା ବିକ୍ରି ହେବାର ସମ୍ଭାବନା ରହିଛି | ୧୨ ରୁ ୨୦ ପ୍ରତିଶତ ଆଦ୍ରତା ପଡ଼ିଥିବା କପାର ମୂଲ୍ୟ ୭, ୦୨୦ ଟଙ୍କାରୁ ହ୍ରାସ ପାଉଛି ବର୍ତ୍ତମାନର ପାଣିପାଗକୁ ନେଇ ଚାଷୀ କପାକୁ ମଣ୍ଡି କୁ ନେଇ ପାରୁନାହିଁ। ବାହାର ବ୍ୟବସାୟୀ ଙ୍କୁ ଅପେକ୍ଷା କରି ଅଟକି ଯାଇଛି ଅନ୍ତର୍ଜାତୀୟ ବଜାରରେ କପାର ମୂଲ୍ୟ ହ୍ରାସ ହୋଇଥିବା ଯୋଗୁଁ ମହାରାଷ୍ଟ୍ର ଓ ଗୁଜୁରାଟ ର ବୃହତ୍ ବ୍ୟବସାୟୀ ମାନେ କଳାହାଣ୍ଡି କପା ଉପରୁ ଦୃଷ୍ଟି ଏଡ଼ାଇ ଦେଇ ନୀରବ ରହିଛନ୍ତି । ଅନ୍ୟ ପକ୍ଷରେ ପଡୋଶୀ ଜିଲ୍ଲା ଓ ଆନ୍ଧ୍ରର କିଛି ଦଲାଲ କପାଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚୋରାରେ ଜିଲ୍ଲା ବାହାରକୁ ନେଇ ଯାଉଥିବା ଜଣାପଡ଼ିଛି ।

ଗତବର୍ଷ ସରକାରୀ ସ୍ତରରେ ମଣ୍ଡି ଖୋଲାଯାଇ ନଥିବା ବେଳେ ବେସରକାରୀ ଭାବେ ଜିଲ୍ଲାର ଆଠ ରୁ ଦଶଟି ସ୍ଥାନରେ ବାହାର ବ୍ୟବସାୟୀ ମାନେ ଆସି ଜୋରସୋରରେ କପା ନେଇଥିବା ଏବଂ ପ୍ରଶାସନ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରତିବର୍ଷ ଦେଢ ଲକ୍ଷରୁ ଦୁଇ ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଚୋରା ଚାଲାଣ ହେଉଥିଲେ ହେଁ ପ୍ରଶାସନ ତରଫରୁ କୌଣସି ଅଙ୍କୁଶ ଲଗାଇବା ବ୍ୟବସ୍ଥା କରାଯାଇ ନଥିଲା । ଚଳିତ ବର୍ଷ ମଧ୍ୟ କପା ଚୋରା ଚାଲାଣ ହେଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ, ଆର୍ ଏମ୍.ସି ଓ ପୋଲିସ ତରଫରୁ ଜିଲ୍ଲା ବାହାରକୁ ଯାଇଥିବା କପା ଟ୍ରକକୁ ଅଟକାଇବାର ପ୍ରୟାସ କରାଯାଉନଥିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଯଦି ସରକାରୀ ସ୍ତରରେ ଜିନିଂ ମିଲ୍ ଓ ସ୍କ୍ରିନିଂ ମିଲ୍ ଖୋଲାଯିବା ସଙ୍ଗେସଙ୍ଗେ କପାର ଏମ.ଏସ୍.ପି ମୂଲ୍ୟ ବୃଦ୍ଧି କରାଗଲେ କଳାହାଣ୍ଡିର କପାଚାଷୀ ନିଜ ସୁନାର ଫସଲକୁ ନେଇ ବେଶ ଲାଭବାନ ହୋଇପାରିଥାନ୍ତେ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×