ସ୍ୱାବଲମ୍ବୀ ହେବାର ମାଧ୍ୟମ: ଜିଆ ଖତ ଉତ୍ପାଦନ

0

ସାମ୍ପ୍ରତିକ ସମୟରେ ରାସାୟନିକ ସାରର ବହୁଳ ତଥା ଅସନ୍ତୁଳିତ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି ଓ ଉତ୍ପାଦିକତା ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି | ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଉତ୍ପାଦନ ହୋଇଥିବା ଖାଦ୍ୟକୁ ଖାଇ ଆମ୍ଭେମାନେ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେଉଛୁ | ଏହା ସହିତ ମାଟିରେ ଥିବା ଉପକାରୀ ଅଣୁଜୀବ ତଥା ଜିଆମାନଙ୍କର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି |
ବର୍ତମାନର ପରିସ୍ଥିତିରେ ମଣିଷର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜୈବିକ କୃଷିର ଗୁରୁତ୍ୱ ଧୀରେ ଧୀରେ ବୃଦ୍ଧି ପାଉଛି | ରାସାୟନିକ ସାର ଓ ଔଷଧ ବ୍ୟବହାର ନ କରି, ଜୈବିକ ପଦ୍ଧତିରେ ଚାଷ କଲେ ମଣିଷ ସୁଷମା ଖାଦ୍ୟସାର ପାଇବା ସହ ରୋଗମୁକ୍ତ ହୋଇପାରିବ ଏବଂ ମୃତ୍ତିକାର ଗୁଣବତ୍ତା ମଧ୍ୟ ବଜାୟ ରହିବ |
ଜିଅଖତ ହେଉଛି ଜୈବିକ କୃଷି ପ୍ରଣାଳୀର ଏକ ମୁଖ୍ୟ ଅଂଶ | ଏହାକୁ ବ୍ୟବହାର କରି ରାସାୟନିକ ସାର ପ୍ରୟୋଗକୁ ବହୁମାତ୍ରାରେ କମାଯାଇପାରିବ ଓ ଅଧିକ ଅମଳ ସହ ସୁସ୍ଥ ଫସଲ ଉତ୍ପାଦନ କରାଯାଇପାରିବ | ଜିଅଖତ ଉତ୍ପାଦନ କରି ଚାଷୀମାନକୁ ବିକ୍ରି କରି ଜଣେ ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିବ |

ଜିଆଖତର ଚାହିଦା
ବର୍ତମାନ ବାଲେଶ୍ୱର ଜିଲ୍ଲାରେ ଜିଆଖତର ଚାହିଦା ବହୁତ ରହିଥିବାବେଳେ ସେହି ଅନୁପାତରେ ଉନ୍ନତମାନର ଜିଆଖତ ଉତ୍ପାଦନ ହୋଇପାରୁନାହିଁ | ଏଥିପାଇଁ ଜଣେ ଏହି ଜିଆଖତକୁ ବ୍ୟବସାୟକ ଭିତ୍ତିରେ ଉତ୍ପାଦନ କରି ଆବଶ୍ୟକୀୟ ବଜାର ଚାହିଦାକୁ ପୂରଣ କରିପାରିବ | ଜିଆଖତ ରାସାୟନିକ ସାରର ବିକଳ୍ପ ହୋଇଥିବାରୁ, ବିଭିନ୍ନ ଫସଲ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଉଅଛି ଯଦ୍ୱାରା ଭବିଷ୍ୟତରେ ଏହାର ଚାହିଦା ବହୁତ ବଢ଼ିଯିବ |

ଜିଆଖତ କେଉଁମାନେ ବ୍ୟବହାର କରିପାରିବେ
(୧) ପାନ ଚାଷୀ:- ବାଲେଶ୍ଵର ଜିଲ୍ଲାରେ ପ୍ରାୟ ୨୫୦୦ଏକର ଜମିରେ ପାନ ଚାଷ କରାଯାଇଥାଏ | ଜିଆଖତ ବ୍ୟବହାର କଲେ ପାନର ଅମଳ ତଥା ଗୁଣାତ୍ମକ ମନ ବୃଦ୍ଧି ହେବ ସହ ରାସାୟନିକ ସାର ଓ କୁକୁଡ଼ା ମଳ ବ୍ୟବହାରଜନିତ ସମସ୍ୟାରୁ ରକ୍ଷା ମିଳିପାରିବ | ଏଥିସହିତ ଜିଆଖତ ପ୍ରୟୋଗ ହୋଇଥିବା ପାନ ଶୀଘ୍ର ନଷ୍ଟ ହୁଏ ନାହିଁ
(୨) ଚାରା ଉତ୍ପାଦନକାରୀ:- ଜିଆଖତର ବ୍ୟବହାରଦ୍ଵାରା ମଞ୍ଜି ଭଲ ଗଜା ହେବ ସହ ଚାରା ହୃଷ୍ଟପୁଷ୍ଟ ହୁଏ ଓ ରୋଗପୋକ ପ୍ରତିରୋଧକ ଶକ୍ତି ବଢିଥାଏ | ସାଧାରଣ ଗୋବର ଖତ ବ୍ୟବହାର kale ତଳିରେ ଶଢା ରୋଗ ଦେଖାଯାଏ | ସେଥିପାଇଁ ଆମ ଜିଲ୍ଲାରେ ଥିବା ପନିପରିବା, ଫଳ, ଫୁଲ ଓ ଔଷଧୀୟ ଚାରା ପ୍ରସ୍ତୁତିରେ ଏହାର ବହୁଳ ଆବଶ୍ୟକତା ରହିଛି |
(୩) ପନିପରିବା ଚାଷୀ:- ଜିଆଖତରେ ବିଭିନ୍ନ ଖାଦ୍ୟସାର, ହର୍ମୋନ, ଭିଟାମିନ ରହିଥିବାରୁ ପନିପରିବା ଅମଳ ଓ ଗୁଣାତ୍ମକ ମାନ ବଢିଥାଏ | ଫଳ ଅଧିକ ସ୍ୱାଦିଷ୍ଟ ହେବ ସହ ଏହାର ସଂରକ୍ଷଣ ଅବଧି ମଧ୍ୟ ବଢିଥାଏ |ତେଣୁ ପନିପରିବା ଚାଷରେ ଏହାକୁ ବହୁଳ ଭାବେ ଉପଯୋଗ କରାଯାଇପାରିବ |
(୪) ସହରାଂଚଳ ଚାଷୀ: ସହରାଂଚଳରେ ସୀମିତ ଜାଗା ଥିବାରୁ ଲୋକମାନେ ଛାତ ଉପରେ ଓ କୁଣ୍ଡରେ ବିଭିନ୍ନ ପ୍ରକାର ପନିପରିବା ତଥା ଫୁଲ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି | ଏହାଛଡା ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବାରୁ ସେମାନେ ଜୈବିକ ଉପାୟରେ ଚାଷ କରିବାକୁ ଆଗ୍ରହୀ | ଏଥିପାଇଁ ମଧ୍ୟ ଜିଆଖତକୁ ବ୍ୟବହାର କରାଯାଇପାରିବ |
(୫) ଜୈବିକ କୃଷି କରୁଥିବା ଚାଷୀ:- ଆଜିକାଲି ଚାଷୀମାନେ ବିଶେଷ କରି ବାସ୍ନାଧାନ, ପ୍ରୋଟିନଯୁକ୍ତ ଧାନକୁ ଜୈବିକ ପ୍ରକ୍ରିୟାରେ ଚାଷ କରୁଛନ୍ତି ଓ ସେଥିରେ ମଧ୍ୟ ଜିଆଖତକୁ ଉପଯୋଗ କରାଯାଇପାରିବ |
ଜିଆଖତ ଉତ୍ପାଦନର ଲାଭ
 ସାଧାରଣ ଭାବେ ୧ ଘନମିଟର ଟାଂକୀରୁ ଅଢେଇରୁ ଦୁଇ ମାସ ମଧ୍ୟରେ ୧.୫କୁଇଣ୍ଟାଲ (୧୫୦କେଜି) ଜିଆଖତ ଉତ୍ପାଦନ କରାଯାଇପାରିବ |
 ୧କେଜି ଜିଆଖତ ଉତ୍ପାଦନ ପାଇଁ ସାଧାରଣତଃ ୨ଟଂକା ଖର୍ଚ ହୋଇଥାଏ ଓ କେଜି ପ୍ରତି ୧୦-୧୫ଟଂକା ହିସାବରେ ବିକ୍ରି କରାଯାଇଥାଏ |
 ଏକ କେଜି ଜିଆକୁ ହାରାହାରି ୫୦୦ଟଂକା ମୂଲ୍ୟରେ ବିକ୍ରୟ କରିପାରିବେ |
 ଛତୁଚାଷୀମାନେ ଛତୁ ଉତ୍ପାଦନ ପରେ ରହିଯାଉଥିବା ନଡାକୁ ଉପଯୋଗ କରି ସହଜରେ ଜିଆଖତ ଉତ୍ପାଦନ କରିପାରିବେ |
ଜିଆଖତ ଚାଷ ପାଇଁ ସରକାରୀ ସହାୟତା
ଜାତୀୟ ଉଦ୍ୟାନ କୃଷି ଯୋଜନା ଅଧୀନରେ ୩୦ଫୁଟ୮ଫୁଟ୨.୫ଫୁଟ ବିଶିଷ୍ଟ ୧ଲକ୍ଷ ଟଂକାର ୟୁନିଟ ପାଇଁ ୫୦% ସବସିଡିର ବ୍ୟବସ୍ଥା ରହିଛି | ଇଚ୍ଛୁକ ଚାଷୀମାନେ ନିଜ ବ୍ଲକର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ |

nano urea

ସଫଳ ଜିଆଖତ ଚାଷୀ :-
ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଖାଲମୁହାଣି ଗ୍ରାମର ଶ୍ରୀଯୁକ୍ତ ଶତ୍ରୁଘ୍ନ ନନ୍ଦୀ ଜଣେ ସଫଳ ଜିଆଖତ ଚାଷୀ | କୃଷି ବିଜ୍ଞାନ କେନ୍ଦ୍ର, ବାଲେଶ୍ଵରରୁ ଜିଆଖତ ଚାଷ ସମ୍ବଂଧିୟ ତାଲିମ ଗ୍ରହଣ କରି, ୨୦୧୮ ମସିହାରୁ ଜିଆଖତ ଉତ୍ପାଦନ କରିଆସୁଛନ୍ତି | ସେ ପାଞ୍ଚଟି ଟାଂକୀ (୨ମିଟର୧ମିଟର୧ମିଟର)ରୁ ବର୍ଷକୁ ୪୧କୁଇଁଟାଲ ଜିଆଖତ ବିକ୍ରି କରି ପ୍ରାୟ ୪୧୦୦୦ ଟଂକା ନିଟ ଲାଭ କରିଛନ୍ତି | ଏହାସହ ବର୍ଷକୁ ୧୦କେଜି ଜିଆ ବିକ୍ରୟ କରି ୫୦୦୦ ଟଂକା ଲାଭ କରିଛନ୍ତି| ଏଥିସହିତ ପନିପରିବା ଚାଷରେ ଜିଆଖତ ପ୍ରୟୋଗ କରି ଅଧିକ ଅମଳ ପାଇପାରୁଛନ୍ତି | ଜିଆଖତ ଚାଷ କରି ସେ ଆର୍ଥିକଭାବେ ସ୍ବାବଲମ୍ବୀ ହେବ ସହ ନିଜ ଅଂଚଳରେ ଅନ୍ୟମାନଂକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |

ନୀରଜ କୁମାର ଜେନା, କାର୍ଯ୍ୟକ୍ରମ ସହାୟକ (ବିହନ ବିଜ୍ଞାନ)
ମନୋଜ କୁମାର ଜେନା, ବୈଜ୍ଞାନିକ (ମୃତିକା ବିଜ୍ଞାନ)
କୃଷି ବିଜ୍ଞାନ କେନ୍ଦ୍ର, ବାଲେଶ୍ଵର
ଓୟୁଏଟି, ଭୁବନେଶ୍ଵର

Leave A Reply

Your email address will not be published.

14 − twelve =