ପୁଷ୍ଟିଶସ୍ୟର ଜୟଯାତ୍ରା

0

ଆମ ରାଜ୍ୟ ତଥା ଭାରତରେ ବହୁ ପୂର୍ବରୁ ବହୁଳ ମାତ୍ରାରେ ପୁଷ୍ଟିଶସ୍ୟର ଉତ୍ପାଦନ କରାଯାଉଥିଲା l ଏପରିକି ଚାଷୀ ମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା ନିଜ ଇଛାକୃତ ଶସ୍ୟ ଉତ୍ପାଦନ କରିବା ପାଇଁ l ମାତ୍ର କ୍ରମେ ସରକାରୀ ପ୍ରତିବନ୍ଧକ ଯୋଗୁଁ ଚାଷୀମାନେ କେବଳ ଲାଭଦାୟୀ ଏବଂ ସରକାରୀ ସାହାଯ୍ୟ ମିଳୁଥିବା ଶସ୍ୟ ଉତ୍ପାଦନ କରିବା ପାଇଁ ଏକପ୍ରକାର ବାଧ୍ୟ ହେଲେ l କେବଳ କିଛି ନିର୍ଦ୍ଧିଷ୍ଟ ଶସ୍ୟ ଯେପରିକି ଧାନ, ଗହମ, ତୈଳବୀଜ ଆଦିର ଉତ୍ପାଦନ ପାଇଁ ଉନ୍ନତ ଚାଷ ପ୍ରଣାଳୀ, ଜଳସେଚନର ସୁବିଧା, ଉତ୍କୃଷ୍ଟ ବିହନ ଓ ସାର, ରୋଗପୋକ ନିୟନ୍ତ୍ରଣ ପାଇଁ ଔଷଧ ଯୋଗେଇବା ଦ୍ୱାରା ଅନ୍ୟ ଶସ୍ୟ ଉତ୍ପାଦନ କରୁଥିବା ଚାଷୀ ସେଗୁଡିକୁ ବାଦ ଦେଇ କେବଳ ସରକାରୀ ଅର୍ଥ ସାହାଯ୍ୟ ମିଳୁଥିବା ଶସ୍ୟ ଅମଳ ଦିଗରେ ଆଗ୍ରହ ପ୍ରକାଶ କଲେ l ପରିଣାମ, ୧୯୭୬ ପରଠାରୁ ମାଣ୍ଡିଆ, ଜଅ, ସୁଆଁ, ବାଜରା ଭଳି ପୁଷ୍ଟିଶସ୍ୟର ସ୍ଥାନ ନେଲେ ଧାନ ଓ ଗହମ l ସୂଚନା ରହିଛି, ମାଣ୍ଡିଆ, ବାଜରା ଆଦି ଶସ୍ୟ ଯଦିଓ ପ୍ରତିଦିନ ଖାଦ୍ୟ ଭିତରେ ଅନ୍ତର୍ଭୁକ୍ତ ଥିଲା, ଏହାର ବ୍ୟବସାୟ ଭାରତ ଭିତରେ ସେତିକି ମାତ୍ରାରେ ପ୍ରସାରିତ ହୋଇ ନ ଥିଲା l ଫଳରେ ଧୀରେ ଧୀରେ ଏହାର ଗ୍ରାହକ ଏବଂ ଚାଷୀସଂଖ୍ୟା କମିବାରେ ଲାଗିଲା l

ମାତ୍ର ଏବେ ହଠାତ ବ୍ୟତିକ୍ରମ ଦେଖାଯାଇଛି l ଚାରିଆଡେ ମାଣ୍ଡିଆକୁ ନିତିଦିନ ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଚଳଚଞ୍ଚଳ ହୋଇଉଠିଛନ୍ତି l ଅବଶ୍ୟ ଏହା ପଛରେ ବି ଗୁଢ଼ ରହସ୍ୟ ରହିଛି, ଯାହାର ଅବତାରଣା ଜରୁରୀ ମନେହୁଏ l ମାଣ୍ଡିଆ ଆଦି ପୁଷ୍ଟିଶସ୍ୟକୁ ବାଦ ଦେଇ ଧାନର ବ୍ୟବହାର ଦ୍ୱାରା ଚାଷୀ ଲାଭ ପାଇଲା ସତ, ମାତ୍ର କ୍ରମେ ଏହାର ପ୍ରଭାବରେ ଦେଶରେ ଏକ ବଡ଼ଭାଗ ମହିଳା ଓ ଶିଶୁମାନେ ପୁଷ୍ଟିହୀନତା, ଆୟୋଡିନ, ଭିଟାମିନ – ଏ, ଲୌହ ଜନିତ ଅଭାବ ଭୋଗିବା ଆରମ୍ଭ କରିବା ଦେଖାଗଲା l ଗୋଟିଏ ପୁରୁଣା ଲୋକକଥା ବି ଏହାକୁ ନେଇ ଶୁଣାଯାଇଛି ଯେ, ‘ ଖାଦ୍ୟ ଅଭାବରେ ମରିବାକୁ ଯାଉଥିବା ଜଣେ ବ୍ୟକ୍ତିର ଜୀବନ ବଞ୍ଚେଇବା ପାଇଁ ଗୋଟିଏ ଡେମ୍ଫ ପୁଷ୍ଟିଶସ୍ୟ ଯଥେଷ୍ଟ l ‘ ଉକ୍ତ ଲୋକକଥା ପଛରେ ଥିବା ଉଦ୍ଦେଶ୍ୟକୁ ପାଠକ ଭ ଭାବରେ ବୁଝି ପାରୁଥିବେ l

ମାଣ୍ଡିଆ ଉତ୍ପାଦନ ହ୍ରାସର ଆଉ ଗୋଟିଏ ବଡ଼ କାରଣ ହେଲା, ଏହାର କମୁଥିବା ଚାହିଦା l ଯଦି ଲୋକ ଖାଇବେ ନାହିଁ, କିଣିବେ କାହିଁକି ? ଯଦି ଲୋକ କିଣିବେ ନାହିଁ, ତେବେ ଚାଷୀ ମାଣ୍ଡିଆ ଚାଷ କରିବ କାହାପାଇଁ ? ଆଉ ଲୋକ ଖାଇବା ପାଇଁ ମାଣ୍ଡିଆ ସବୁଠି ସହଜ ଓ ସୁଲଭ ମୂଲ୍ୟରେ ମିଳିବା କଥାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ! ଯେମିତିକି ଧାନ ଉଭୟ ବଜାରରେ ଏବଂ ସରକାରୀ ସୂତ୍ରରୁ ସହଜଲବ୍ଧ ଏବଂ ରିହାତି ମୂଲ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକ ମାନଙ୍କ ଦ୍ୱାରା ବେଶୀ ଗ୍ରହଣୀୟ ହୋଇପାରିଲା l ମାତ୍ର ସେଇ ଅନୁପାତରେ ମାଣ୍ଡିଆର ବିକ୍ରି ହେଲା ନାହିଁ, ତେଣୁ ଏହାର ଚାହିଦା କମିବା ସ୍ୱାଭାବିକ l

ତେବେ ପ୍ରସଙ୍ଗ ହେଉଛି ଏବେ, ଏତେ ବର୍ଷ ପରେ ପୁଣି କାହିଁକି ପୁଷ୍ଟିଶସ୍ୟ ପାଇଁ ଏତେ ଶ୍ରଦ୍ଧା ଓ ପ୍ରେମ l ଏହା ଯେ ଶରୀର ପାଇଁ ହିତକାରୀ ଆମ ପରିବେଶବିତ, ସ୍ୱାସ୍ଥ୍ୟବିତ, ବିଶେଷଜ୍ଞ ଓ ବୁଦ୍ଧିଜୀବି ମାନେ ସେବେ ବି ଜାଣିଥିଲେ ଆଉ ଆଜି ବି ସେ କଥା ଟି ଶହେ ପ୍ରତିଶତ ଖାଣ୍ଟି ସତl ଆସନ୍ତୁ ପୁଷ୍ଟିଶସ୍ୟ ଗୁଡିକୁ ପୁନଃ ମର୍ଯ୍ୟାଦା ଦେବା ପଛର କିଛି ରହସ୍ୟ ଜାଣିବା l ଧାନ ଉତ୍ପାଦନ ପାଇଁ ଅଧିକ ମାତ୍ରାରେ ଜଳ , ଉର୍ବର ମାଟି, ସଠିକ ତାପମାତ୍ରା, ୧oo -୧୪o ଦିନ ସମୟ, ରୋଗପୋକ ନିୟନ୍ତ୍ରଣର ଆବଶ୍ୟକତା ରହିଥାଏ l ଆମେ ଏବେ ଗତି କରୁଥିବା ଜଳବାୟୁ ସଂକଟ ଦ୍ୱାରା ଧାନଚାଷ ବିଶେଷ ଭାବରେ ପ୍ରଭାବିତ ହୋଇଛି l ଧାନଚାଷୀ ପରିବର୍ତ୍ତିତ ଜଳବାୟୁ ଦ୍ୱାରା ପ୍ରଭାବିତ ହୋଇ କ୍ଷତି ସହିବାରୁ ପୁଣିଥରେ ମାଣ୍ଡିଆ ଚାଷ ଆଡକୁ ମନ ବଳାଇଛି l ଅନିୟମିତ ବର୍ଷା, ବଢୁଥିବା ତାପମାତ୍ରା ଏବଂ ରୋଗପୋକର ଆକ୍ରମଣ ଧାନଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ତେଣୁ ଖାଦ୍ୟ ସମସ୍ୟା ସମାଧାନର ବିକଳ୍ପ ବ୍ୟବସ୍ଥା ରୂପେ ପୁଷ୍ଟିଶସ୍ୟ ହିଁ ଏକମାତ୍ର ସାହା ଭରସା ବୋଲି ଜଣା ପଡ଼ି ସାରିଲାଣି l

nano urea

ଅପରପକ୍ଷେ, ମାଣ୍ଡିଆ ଆଦି ଶସ୍ୟଗୁଡିକର ଚାଷ ପାଇଁ ଖୁବ କମ ଜଳର ଆବଶ୍ୟକତା ଥିବା ବେଳେ, ଅନୁର୍ବର ମାଟିରେ ୬o – ୯o ଦିନ ଭିତରେ ଏହା ଅମଳ କରାଯାଇ ଥାଏ l ମାଣ୍ଡିଆ ଚାଷ ସମୟରେ ରୋଗ ଓ ପୋକର ଆକ୍ରମଣର ଆଶଙ୍କା ଖୁବ କମ ଥିବା ବେଳେ, ଥରେ ଅମଳ ହେଲାପରେ ବହୁବର୍ଷ ପାଇଁ ଏହାକୁ ସୁରକ୍ଷିତ ରୂପେ ଗଛିତ କରି ରଖାଯାଇପାରେ l ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ଲଢ଼ିବା ପାଇଁ ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି, ଯାହାର ପ୍ରମୁଖ ବିନ୍ଧାଣୀ ସାଜିଛନ୍ତି ମହିଳା ଚାଷୀମାନେ l ମହିଳା ମାନଙ୍କୁ ଏହାର ଦାୟିତ୍ୱ ନେବାର ଆହ୍ୱାନ କରାଯାଇ ନାରୀ ସଶକ୍ତିକରଣର ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ାଯିବା ସମସ୍ତ ନାରୀଜାତି ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ l

ମାଣ୍ଡିଆ ଚାଷ ଯେ କେବଳ ଆର୍ଥିକ ସହାୟତା ଯୋଗାଇଛି ତା ନୁହେଁ, ଏହା ଆମର ପରମ୍ପରା ଓ ସଂସ୍କୃତିର ନୂତନ ପରିଚାୟକ ସାଜିବାରେ ସକ୍ଷମ ହୋଇଛି l ସୁସ୍ଥ ଜୀବନ ବଞ୍ଚିବା ଏବଂ ଉନ୍ନତ ଭବିଷ୍ୟତ ଦେଖିବାର ସ୍ବପ୍ନ, କିଛିବର୍ଷ ତଳେ ପାଶୋରା ଯାଇଥିବା ମାଣ୍ଡିଆ ଯୋଗୁଁ ହିଁ ସମ୍ଭବ ହୋଇପାରିଛି l ଆମ ଭିତରେ ବି ଅନେକ “ମାଣ୍ଡିଆ ” ଶବ୍ଦର ବ୍ୟବହାର କିଛି ନିକୃଷ୍ଟ ଦ୍ରବ୍ୟ ବା ବ୍ୟକ୍ତି ସହିତ କରନ୍ତି l ଲୋକଙ୍କର ଧାରଣା ଥିଲା ଯେ ମାଣ୍ଡିଆ, ଜଅ, ସୁଆଁ, ବାଜରା ଆଦି ଶସ୍ୟ ଅଭାବୀ ଓ ଗରିବ ଶ୍ରେଣୀର ଲୋକ ଖାଆନ୍ତି l ସେହି ହୀନ ଭାବନାର ବଶବର୍ତ୍ତୀ ହୋଇ ଯାହାକୁ ଦିନେ ତଳକୁ ପକେଇବାର ସଫଳ ଉଦ୍ୟମ କରିଥିଲେ, ଆଜି ତାରି ଆବଶ୍ୟକତା ପାଇଁ ଧାଁ ଦଉଡ କରିବା, ବାସ୍ତବରେ କୌତୁହଳପ୍ରଦ l

ଏବେ ସମୟ ଆସିଯାଇଛି ସବୁ ପ୍ରକାର ପୁଷ୍ଟିଶସ୍ୟକୁ ସମ୍ମାନର ସହ ପ୍ରତିଦିନ ଆମ ଖାଇବା ଥାଳିରେ ସ୍ଥାନ ଦେବା l କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଏହା ନିଜ ଉପଯୋଗୀ ଗୁଣ ଯୋଗୁଁ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହେବ, ଏହି ବିଶ୍ୱାସ ଆମର ରହିବା ଉଚିତ l ସମୟ ଥାଉ ଥାଉ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଖାଦ୍ୟ ଅଭାବ ଭଳି ସମସ୍ୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ” ମିଲେଟ୍ ମିଶନର ” ଆବଶ୍ୟକତା ଦେଶର ବୁଦ୍ଧିଜୀବୀ ମାନେ ଅନୁଭବ କରିପାରିଛନ୍ତି l ଆଗାମୀ ଦିନରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଳୁରୁ ସହରରେ ‘ ମିଲେଟ ଏକ୍ସପୋ ‘ ଏବଂ ୧o ଟି ରାଜ୍ୟର ୧୯ ଜିଲ୍ଲାରେ ମିଲେଟକୁ ନେଇ ବିଭିନ୍ନ ପ୍ରଦର୍ଶନୀ, ବିକ୍ରୟ, ଏବଂ ସେଥିରୁ ତିଆରି ଖାଦ୍ୟ ପ୍ରସ୍ତୁତି ବିଷୟରେ ବିଶେଷ ଆୟୋଜନ ହେବ ବୋଲି ସୂଚନା ରହିଛି l ଗ୍ରାହକ ମାନଙ୍କୁ ପୁଷ୍ଟିଶସ୍ୟର ଉପାଦେୟତା ବିଷୟରେ ଜଣେଇବା ସହ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବା ଏହି ମିଶନର ମୂଳ ଲକ୍ଷ୍ୟ l

ମୂଳକଥାଟି ହେଉଛି ମାଣ୍ଡିଆକୁ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ତିଆରି ହେବା ପରଠୁ, ଏହା ପ୍ରତି ଲୋକଙ୍କ ଆକର୍ଷଣ ବଢିଛି l ଖାଲି ଛତୁଆ, ଜାଉରେ ଏହା ସୀମିତ ନ ରହି ଏଥିରୁ ନାନା ରକମର ସ୍ନାକ୍ସ, ଜଳଖିଆ, ପିଠା ତିଆରି ହୋଇପାରୁଛି l ସେହିପରି ବାଜରା, ଜଅ, ସୁଆଁ ଭଳି ଆହୁରି ଅନେକ ପ୍ରକାର ପୁଷ୍ଟିଶସ୍ୟକୁ ବ୍ୟବହାର କରି ସୁସ୍ୱାଦୁ ଓ ଶରୀର ପକ୍ଷେ ହିତକାରୀ ଖାଦ୍ୟର ପ୍ରସ୍ତୁତି ଲୋକଙ୍କୁ ଆକୃଷ୍ଟ କରୁଛି l ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଗର୍ବ ଏବଂ ଗୌରବର ସହ ଏହାର ପ୍ରଚାର ଓ ପ୍ରସାର ଭବିଷ୍ୟତ ପାଇଁ ଶୁଭପ୍ରଦ କହିଲେ ଠିକ ହବ l ଏମିତିରେ ବି ସୁସ୍ଥ ଜୀବନ ବଞ୍ଚିବା ପାଇଁ ପୁଷ୍ଟିଶସ୍ୟର ଜୟଯାତ୍ରା ଆଗକୁ ଜାରି ରହିବ ବୋଲି ଆଶା କରାଯାଇ ପାରେ l

ଶୃତକୀର୍ତ୍ତି ତ୍ରିପାଠୀ , ଭୁବନେଶ୍ୱର , ମୋ – ୬୩୭୦୫୧୬୪୭୮

Leave A Reply

Your email address will not be published.

thirteen − 13 =