ସଫଳ ମତ୍ସ୍ୟ ଯୋଜନା ଓ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ପ୍ରୋତ୍ସାହନ

0

ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି। ତେଣୁ ଆସନ୍ତୁ ଜାଣିବା ଏକ ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ ହେଉଥିବା କିଛି ପଦକ୍ଷେପ ଓ ନୀତିଗୁଡିକ ସମ୍ପର୍କରେ ।

୧. ଯୋଜନା ପ୍ରସ୍ତୁତି ପୂର୍ବର ପଦକ୍ଷେପ :
ପ୍ରଥମେ ଆମକୁ ମତ୍ସ୍ୟ ଯୋଜନା କାର୍ୟ୍ୟକାରୀ ହେବାକୁ ଥିବା ଅଞ୍ଚଳ ଏବଂ ସେଠାକାର ମତ୍ସ୍ୟଚାଷୀଙ୍କ ବ୍ୟବସାୟ, ରୋଜଗାର, ତାଙ୍କର ଯାନ୍ତ୍ରିକ ଜ୍ଞାନକୌଶଳ, ସେଠାରେ ଉପଲବ୍ଧ ସୁବିଧା ଓ ଅସୁବିଧା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପଡିଥାଏ । ଏହା ଆମେ ମତ୍ସ୍ୟଚାଷ ସମ୍ବନ୍ଧିତ ସରକାରୀ ତଥ୍ୟାବଳୀର ତର୍ଜମା ଓ ସର୍ଭେ ଦ୍ୱାରା ପାଇପାରିବା । ପରବର୍ତୀ ସମୟରେ ଏକତ୍ରିତ ହୋଇଥିବା ତଥ୍ୟାବଳୀକୁ ତର୍ଜମା କରି ଅନେକ ଗୁଡିଏ ସମସ୍ୟା ମଧ୍ୟରୁ ଅତ୍ୟନ୍ତ ଜରୁରୀ ସମସ୍ୟାକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ପରେ ଆମକୁ ମତ୍ସ୍ୟ ଯୋଜନାର ଲକ୍ଷ୍ୟ ନିର୍ଣ୍ଣୟ କରିବାକୁ ପଡିଥାଏ । ଲକ୍ଷ୍ୟ ସବୁବେଳେ ଆଞ୍ଚଳିକ ବାସିନ୍ଦାଙ୍କ ଆବଶ୍ୟକତାକୁ ପୂରଣ କରିବା ଭଳି ପ୍ରସ୍ତୁତ କରିବା ଦରକାର । ଲକ୍ଷ୍ୟ ସର୍ବଦା ନିର୍ଦ୍ଧିଷ୍ଟ ଓ ସମ୍ଭାବନା ମୁକ୍ତ ହେବା ଆବଶ୍ୟକ ଓ ଲକ୍ଷ୍ୟ ନିର୍ଣ୍ଣୟ ପାଇଁ ପୂର୍ବରୁ ତର୍ଜମା ହୋଇଥିବା ତଥ୍ୟ ଗୁଡିକର ପୁନର୍ବାର ଆକଳନ କରାଯାଇଥାଏ । ଏଥିରେ ଆଞ୍ଚଳିକ ସମ୍ପଦ ଓ ସୁବିଧାକୁ ବିନିଯୋଗ କରି କଣ କରାଯାଇ ପାରିବ, କେଉଁ ମତ୍ସ୍ୟଚାଷ ପଦ୍ଧତି ଆଞ୍ଚଳିକ ବାସିନ୍ଦାଙ୍କ ଗ୍ରହଣଯୋଗ୍ୟ ହେବ, କେଉଁମାନେ ଏହି ଯୋଜନାରେ ଅଂଶ ଗ୍ରହଣ କରିବେ ଓ ମହିଳାମାନେ କିଭଳି ଏହି ଯୋଜନାରୁ ଉପକୃତ ହୋଇ ପାରିବେ, ଏଭଳି ଅନେକ କିଛି ସମ୍ଭାବନାର ପରିକଳ୍ପନା କରାଯାଇ ସଠିକ୍ ହିତାଧିକାରୀ ଙ୍କୁ ନିର୍ଦ୍ଧିଷ୍ଟ କରାଯାଏ । ଏହାପରେ ଉକ୍ତ ମତ୍ସ୍ୟ ଯୋଜନାର କାର୍ୟ୍ୟସୂଚୀ ପ୍ରସ୍ତୁତ କରାଯାଏ। ଯେଉଁଥିରେ ପ୍ରତ୍ୟେକଟି କାର୍ୟ୍ୟକ୍ରମର ଦିନ, ସମୟ ଓ ସ୍ଥାନ ନିର୍ଧାରଣ କରାଯାଇଥାଏ । ଏଥିରେ ମଧ୍ୟ ନିର୍ଦ୍ଧିଷ୍ଟ ରହିବ ଯେ କିଏ କେଉଁ କାମ କରିବେ, କେଉଁ ସଂସ୍ଥା ଏହା ଅନ୍ତର୍ଭୁକ୍ତ ହେବ, କଣ ବଜେଟ ରହିବ, କିପରି ମାର୍କେଟ ଚାହିଦା ପୁରଣ କରଯାଇ ପାରିବ ଓ କିଭଳି ମାଛଚାଷୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ପାରିବ ।

nano urea

୨. ଯୋଜନା କାର୍ୟ୍ୟକାରୀ ସମୟର ପଦକ୍ଷେପ :
ଏହି ସମୟରେ ପ୍ରତିଟି କାମ ର ସଠିକ ତଦାରଖ କରାଯାଇଥାଏ । ହିତାଧିକାରୀଙ୍କୁ ତାଲିମ ଦେବା, ତାଙ୍କ ସହ ଯୋଗାଯୋଗ କରିବା, ଉନ୍ନତ ମାଛଚାଷ ପଦ୍ଧତିର ପ୍ରଦର୍ଶନ କରିବା, ଯୋଜନା କାର୍ୟ୍ୟକାରୀ ହୋଇଥିବା ଅଞ୍ଚଳର ପରିଦର୍ଶନ କରିବା । ଏହି ସମୟରେ ସମ୍ପ୍ରସାରଣ ସେବାକୁ ତ୍ୱରାନ୍ୱିତ କରାଯାଇଥାଏ ।
୩. ଯୋଜନା ପରବର୍ତ୍ତୀ ପଦକ୍ଷେପ :
ଆମେ ଉପରୋକ୍ତ ମତ୍ସ୍ୟ ଯୋଜନା ର କାର୍ୟ୍ୟକାରିତାକୁ ଆକଳନ କରିଥାଉ । ମତ୍ସ୍ୟ ଯୋଜନାକୁ ଆକଳନ କରିବାର ଅର୍ଥ ହେଉଛି, କେତେ ପରିମାଣରେ ଯୋଜନାଟି ନିଜର ପୂର୍ଵନିର୍ଦ୍ଧିଷ୍ଟ ଲକ୍ଷ୍ୟ ସାଧନ କରିପାରିଛି । ଏଥିରେ ଆମକୁ ବର୍ତମାନ ଯୋଜନାର ପ୍ରଭାବ ସହ ଆଗରୁ ଅନୁଷ୍ଠିତ ହୋଇଥିବା କିଛି ମତ୍ସ୍ୟଭିତିକ ସରକାରୀ ତଥ୍ୟାବଳୀ ସହ ତୁଳନା କରିବାକୁ ପଡିଥାଏ । ଏହାଦ୍ୱାରା ଆମକୁ ସମ୍ପୃକ୍ତ ମତ୍ସ୍ୟ ଯୋଜନାର ଉପଯୋଗୀତା ସମ୍ପର୍କରେ ସମ୍ପୂର୍ଣ ଧାରଣା ଆସେ । ପରିଶେଷରେ ମତ୍ସ୍ୟ ଯୋଜନା ସମ୍ପର୍କିତ କିଛି ମତାମତ ଓ ପ୍ରତିକ୍ରିୟା ସଂଗ୍ରହ କରାଯାଇଥାଏ । ଏଥିରେ ମତ୍ସ୍ୟ ଯୋଜନାରେ ସାମିଲ ଥିବା ହିତାଧିକାରୀ, ମତ୍ସ୍ୟ ବୈଜ୍ଞାନିକ, ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧି ଙ୍କ ସହ ଯୋଜନା ର ଲାଭ ଓ କ୍ଷତି ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତଙ୍କ ମତାମତ ଲିଖିତ ଭାବରେ ନିଆଯାଇଥାଏ । ସଂଗୃହିତ ମତାମତ ଏବଂ ପ୍ରତିକ୍ରିୟା ଗୁଡିକ ଭଵିଷ୍ୟତରେ ହେବାକୁ ଥିବା ମତ୍ସ୍ୟ ଯୋଜନାର ପ୍ରସ୍ତୁତି ଓ ପରିଚାଳନାରେ ସାହାଯ୍ୟ କରିଥାଏ ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି)
ଗଞ୍ଜାମ -୭୬୦୦୦୭
ମୋ : ୯୯୩୮୦୬୦୮୮୬ , ଶୁଚିସ୍ମିତା ପୃଷ୍ଟି
କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ପ୍ରତିଷ୍ଠାନ
ମୁମ୍ବାଇ

Leave A Reply

Your email address will not be published.

four + nineteen =