ଚିତାଲାଗି ଅମାବାସ୍ୟା ଓ ଚାଷୀ

ଆଜି ଶ୍ରାବଣ ମାସର ଅମାବାସ୍ୟା ତିଥି ଅଟେ ଏହି ଦିନ ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ପାଳିତ ହୋଇଥାଏ।  ଓଡ଼ିଶାରେ ପାଳିତ ହେଉଥିବା  ଗଣପର୍ବ ମାନଙ୍କ ମଧ୍ୟରେ ଅନ୍ୟତମ ଓ ନିଆରା ମଧ୍ୟ। ଆଜି ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ। ରଥଯାତ୍ରା ଶେଷ କରି ଶ୍ରୀଜୀଉ ମାନେ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି । ତେଣୁ ଆଜି ପୁଣିଥରେ ସେହି ରତ୍ନଚିତାକୁ ଶ୍ରୀଜୀଉ ମାନଙ୍କ ମଥାରେ ଲଗାଯିବ । ଏହା ଏକ କୃଷଭିତ୍ତିକ ପର୍ବ ଭାବେ ମଧ୍ୟ ବେଶ୍ ଲୋକପ୍ରିୟ । ଗାଁ ଗହଳିରେ ଚାଷୀମାନେ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ ବିଲରେ କରିଥାନ୍ତି। ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଶେଷଜ୍ଞଙ୍କ ମତ। ସେଥିପାଇଁ ଏହା ‘ଗେଣ୍ଡେଇକଟା ଓଷା’ ନାମରେ ମଧ୍ୟ ବେଶ୍ ପ୍ରସିଦ୍ଧ।ଓଡ଼ିଶାରେ ପ୍ରତ୍ୟେକ ଘରେ ଘରେ ଚିତଉ ଅମାବାସ୍ୟା ପାଳନ ହୋଇଥାଏ । ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ କିମ୍ୱା ଫସଲ କିଆରିରେ ମାଟିକୁ  ସମର୍ପଣ କରି ପୋତିଥାନ୍ତି ଏବଂ ଠାକୁର ବା ଇଷ୍ଟଦେବତାଙ୍କୁ ଏହି ପିଠା ଭୋଗ ମଧ୍ୟ କରନ୍ତି । ଶ୍ରାବଣ ମାସ ହେତୁ ବର୍ଷାର ଆଗମନରେ ଧାନ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଆଉ ଧାନ ଗଛ କୁ କାଟି ଦେଇଥାନ୍ତି  ଆଉ ମଧ୍ୟ ବିଲରେ କାମ କରୁଥିବା ବେଳେ ଚାଷୀର ଗୋଡ କିମ୍ୱା ହାତକୁ ଗେଣ୍ଡା ମାନେ କାମୁଡିଥାନ୍ତି। ଏହି ସବୁ ସମସସ୍ୟାରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗାଯାଇଥାଏ। ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରା ଗଛ ଓ ମଣିଷଠାରୁ ନିବୃତ ରହିବେ ବୋଲି ଏକ ବିଶ୍ବାସ ରହିଛି। ଉତ୍ତର ଓଡ଼ିଶାରେ ଏହି ପର୍ବକୁ ‘ଗେଣ୍ଡାକଟା ଅମାବାସ୍ୟା’ ମଧ୍ୟ କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ଏକ ନିଆରା ପର୍ବ ଭାବେ କାଇଁ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇଆସୁଛି ।

  ବିଜ୍ଞାନ ରଞ୍ଜନ ସାହୁ , ଓୟୁଏଟି ଭୁବନେଶ୍ଵର,୯୫୫୬୨୫୯୯୧୯

Spread the love

Leave a Comment

Your email address will not be published. Required fields are marked *

Scroll to Top
×