ମାଛ ଚାଷ ଉଦ୍ୟୋଗୀ ହେବାର ନୂତନ ସମ୍ଭାବନା

0

ସମୟ ଆସିଛି କୃଷି କ୍ଷେତ୍ରକୁ ଆଉ ସେପରି ପ୍ରାଧାନ୍ୟ ଦିଆଯାଉନାହିଁ । କୃଷି ବିଜ୍ଞାନ ହେଉ କି ମତ୍ସ୍ୟ ବିଜ୍ଞାନ କେଉଁଥିରେ ବି ଆଉ ପିଲାମାନଙ୍କର ଆଗ୍ରହ ପରିଲକ୍ଷିତ ହେଉନାହିଁ । ଆଉ ଏପଟେ ପାଠପଢ଼ା ସରିଲା ପରେ ଚାକିରୀ ପାଇଁ ଧାଁ ଧପଡ଼ ହୋଇ ଶେଷରେ ବାହାର ରାଜ୍ୟରେ ଦାଦନ ଖଟିବାକୁ ସାର ମଣୁଛନ୍ତି ଯୁବସମାଜ । ଆଜି ଏମିତି ପରିସ୍ଥିତି ଉପୁଜିଛି ଯେ କୋ÷ଣସି ଯୁବଗୋଷ୍ଠୀ ଆଉ କାଦୁଅ ବିଲରେ ଗୋଡ଼ ପଶେଇବାକୁ ମଙ୍ଗୁ ନାହାନ୍ତି । ଦିନ ଥିଲା ଆମ ପୂର୍ବପୁରୁଷ ମାନେ ଏଇ ଚାଷ ଉପରେ ନିର୍ଭର କରି ଜୀଉଁଥିଲେ । କିନ୍ତୁ ଏବେ ସମୟ ବଦଳିଛି । ତା ସହ ଲୋକଙ୍କ ଚିନ୍ତାଧାରା ବି ପରିବର୍ତ୍ତନ ହୋଇଛି । ଏପରି ସ୍ଥଳରେ ଚାଷ କରି ସଫଳତା ପାଇବା ସହ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି କୋଲକାତାର ଦେବତାନୁ ବର୍ମନ । ମତ୍ସ୍ୟ ବିଜ୍ଞାନ ପାଠ୍ୟକ୍ରମରେ ସ୍ନାତକ ପରେ ଜଣେ ସଫଳ ମତ୍ସ୍ୟ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ । ବାୟୋଫ୍ଲକ ପ୍ରଣାଳୀରେ ମାଛ ଓ ଚିଙ୍ଗୁଡ଼ି ଚାଷ କରିବା ସହ ବେକାରୀ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆକ୍ୱା ଡ଼କ୍ଟର ସଲ୍ୟୁସନ ନାମରେ ଏକ ନିଜର କମ୍ପାନୀ ସ୍ଥାପନ କରି ତାଲିମ ମଧ୍ୟ ଦେଉଛନ୍ତି । ୱାନ ସପ୍‌, ୱାନ ସଲ୍ୟୁସନ୍‌ର ନାରା ଦେଇ ସେ ଏବେ ଜଣେ ସଫଳ ମତ୍ସ୍ୟ ବୈଜ୍ଞାନିକ ଭାବରେ ହରିତ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଚନ୍ତି । ସେମିତି ଜଣେ ସଫଳ ବ୍ୟକ୍ତିତ୍ୱଙ୍କ ସଫଳତା ପରଖେଇବାକୁ ତାଙ୍କ ସହ ଆଲୋଚନା କରିଥିଲେ ଡ଼ି ଶୁଭମ୍‌ ………

nano urea

ପ୍ର: ବର୍ତ୍ତମାନ ସମୟରେ ଯୁବସମାଜ ପାଠପଢ଼ା ପରେ ଚାକିରୀ ପଛରେ ଧାବମାନ ହୋଇ ଶେଷରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ନିଜ ଗାଁରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁନାହାନ୍ତି । ଏହା ପଛର କାରଣ କଣ?
ଉ: ପ୍ରଥମତଃ ମୋ ମତରେ ଚାକିରୀ ନିଜ ଜୀବନର ସବୁକିଛି ନୁହଁ । କାରଣ ମଣିଷ ପାଠପଢ଼ିଥାଏ , ସମାଜର ହିତ ଉଦ୍ଦେଶ୍ୟରେ କିଛି କର୍ମ ସାଧନ କରିବାକୁ । ସମାଜର ମହତ କାର୍ଯ୍ୟରେ ଯଦି ନିଜ ପାଠପଢ଼ାକୁ ଲଗେଇପାରିବା , ତାହେଲେ ସେହି ପାଠ୍ୟକ୍ରମର ସାର୍ଥକତା ମିଳିପାରିବ । ଏବେ ଯୁବବନ୍ଧୁ ମାନେ ଚାକିରୀ ପଛରେ ଗୋଡ଼ାଉଛନ୍ତି ସତ । ଆଉ ନମିଳିଲେ ଦାଦନ ଖଟୁଛନ୍ତି । କିନ୍ତୁ ମୋ କହିବା ଅନୁସାରେ ସ୍ୱାବଲମ୍ବୀ ହେବାକୁ ସଭିଏଁ ଚେଷ୍ଟା କରିବା ଉଚିତ । ଏହା ଦ୍ୱାରା ସେମାନେ ନିଜେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିପାରିବେ ।
ପ୍ର: ଆପଣ ମତ୍ସ୍ୟ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ସରକାରୀ ଚାକିରୀ ଛାଡ଼ି ଉଦ୍ୟୋଗୀ ହେବା ପାଇଁ କଣ ପାଇଁ ଚେଷ୍ଟା କଲେ?
ଉ: କହିବାକୁ ଗଲେ ସରକାରୀ ଚାକିରୀରେ ନିରାଟ ସତ କଥା ହେଲା ଏହା ମଣିଷକୁ କର୍ମଜୀବନରେ ବାନ୍ଧି ରଖିଦିଏ । ଯାହା ଦ୍ୱାରା ଜଣେ କିଛି ନୂଆ ଚିନ୍ତା କଲେ ବି ଏହାକୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ । ମତ୍ସ୍ୟ ବିଜ୍ଞାନ ଯେ ଏକ ଛୋଟ ପାଠ୍ୟକ୍ରମ ତାହା ନୁହେଁ , ଏହାର ବିଭିନ୍ନ ସୁଯୋଗ ଅଛି । ଏହାକୁ ସଦୁପଯୋଗ କଲେ ଜଣେ ବହୁ ଆଗକୁ ଯାଇପାରିବେ । ସେଥିପାଇଁ ମୁଁ ସରକାରୀ ଚାକିରୀ ପରିତ୍ୟାଗ କରି ଏକ କମ୍ପାନୀ ତିଆରି କଲି । ଯାହାର ନାଁ ୱାନ ସପ୍‌ , ୱାନ ସଲ୍ୟୁସନ । ଏହା ମାଧ୍ୟମରେ ଆମେ ବେକାରୀ ଯୁବକ ମାନଙ୍କୁ ବାୟୋଫ୍ଲକ ପ୍ରଣାଳୀରେ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦେଉଛୁ । ଯାହା ଫଳରେ ସେମାନେ ସହଜରେ କର୍ମନିଯୁକ୍ତି ପାଇବା ସହ ଅନ୍ୟ କେତେକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛନ୍ତି ।
ପ୍ର: ଆପଣଙ୍କ ପାଇଁ ଜଣେ ସଫଳ ଉଦ୍ୟୋଗୀର ସଂଜ୍ଞା କଣ?
ଉ: ମୋ ମତରେ ଆମେ ସମସ୍ତେ ତୃରମୂଳ ସ୍ତରରୁ ଚାଷୀ ଓ ଲୋକଙ୍କ ସହ ଯୋଡ଼ି ହେବା ଦରକାର । ସେମାନଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ଆଗକୁ ବଢ଼ିବା ଦରକାର । ସେମାନଙ୍କୁ ସାଥୀ କରି ତାଙ୍କ ସହ ପାଦ ମିଳାଇ ଆଗକୁ ଗଲେ ସମସ୍ୟାର ପ୍ରକୃତ ବା ଗୁଢ଼ ରହସ୍ୟ କୁ ଉନ୍ମୋଚନ କରିପାରିବା । ଜଣେ ସଫଳ ଉଦ୍ୟୋଗୀ ସିଏ ଯିଏ କେବଳ ନିଜ ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ ବରଂ ସାମୁହିକ ସ୍ୱାର୍ଥ ଦିଗରେ କାର୍ଯ୍ୟ କରି ନିଯୁକ୍ତିର ନୂଆ ଆଲୋକ ସୃଷ୍ଟି କରିପାରେ । ଆମେ ସମସ୍ତେ ଚାହିଁଲେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବା ।
ପ୍ର: ଅଧୁନା ଅଭିଭାବକ ମାନେ କୃଷି ବିଜ୍ଞାନ ବା ମତ୍ସ୍ୟ ବିଜ୍ଞାନ ପାଠ୍ୟକ୍ରମରେ ପିଲାଙ୍କୁ ପଢେ଼ଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହା ଆନ୍ତରିକତାର ଅଭାବ ନା ଆଉ କିଛି?
ଉ: ମୁଁ ଏହା କହିବି ଯେ କେବଳ ମେଡ଼ିକାଲ ବା ଇଂଜିନିୟର ପାଠ୍ୟକ୍ରମରେ ଯେ ବ୍ୟାପକ ସୁଯୋଗ ଅଛି , ତାହା ନୁହେଁ । କୃଷି କ୍ଷେତ୍ରରେ ବି ଏବେ ଅନେକ ସୁଯୋଗ । କିନ୍ତୁ ଏକଥା ଆଜି ଅନେକ ଛାତ୍ର ବା ଅଭିଭାବକ ମାନେ ଅଜ୍ଞ ଅଛନ୍ତି । କୃଷି ହେଉ କି ମତ୍ସ୍ୟ ଏସବୁକୁ ଆନ୍ତିରିକ ଭାବେ ସ୍ୱାଗତ କରିବା ଦରକାର । କାରଣ ସବୁ ପାଠ୍ୟକ୍ରମର ନିଶ୍ଚିତ ଭାବେ କିଛି ସ୍ୱତନ୍ତ୍ରତା ଅଛି । ଏହାକୁ ଉନ୍ମୋଚନ କରିବା ଆବଶ୍ୟକ ।
ପ୍ର: ଓଡ଼ିଶାରୁ ପ୍ରକାଶ ପାଉଥିବା ପ୍ରଥମ ଛାତ୍ର ସମ୍ପାଦିତ କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ କେତେଦୂର ଚାଷୀଙ୍କ ପାଖେ ଆଦୃତ ହୋଇପାରୁଛି । ଏହାର ଜଣେ ବିମୁଗ୍ଧ ପାଠକ ଭାବେ ଆପଣ କଣ ମତାମତ ରଖିବେ?
ଉ: ପ୍ରଥମେ ମୁଁ ପୁରା ଟିମ୍‌କୁ ସାଧୁବାଦ ଜଣାଉଛି ଯେ ସେମାନେ ଏପରି ଏକ ଅଭିନବ ପରିକଳ୍ପନାର ଯୋଜନା ପ୍ରସ୍ତୁତ କରି ଏହାକୁ ନିରନ୍ତର ଭାବେ ପ୍ରକାଶିତ କରିଆସୁଛନ୍ତି । ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ମୁଁ ବି ଏହାର ଜଣେ ପାଠକ । ଖୁବ ଉଚ୍ଚକୋଟୀର ତଥ୍ୟାବଳୀର ସମାହାରରେ ଗଠିତ ଏହି ପତ୍ରିକା ଏବେ ଚାଷୀକୁଳ ପାଖେ ଖୁବ ଆଦୃତ କହିଲେ ଅତ୍ୟୁକ୍ତି ହେବନାହିଁ । ଆଗକୁ ଏହା ଆହୁରି ସଫଳତା ସାଉଁଟୁ, ଏତିକି କାମନା ।

Leave A Reply

Your email address will not be published.

eighteen + four =