ବିଶ୍ୱ ପରିବେଶ ଦିବସ ସଂକ୍ଷେପରେ ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମର ଅନ୍ତର୍ଗତ। ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଏସମ୍ୱଲି ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ।
ଜୀବନକୁ ସୁସ୍ଥ; ସୁନ୍ଦର, ନିରାମୟ ଓ ସ୍ବାସ୍ଥ୍ୟକର କରିବାକୁ ହେଲେ ପ୍ରଥମେ ପରିବେଶର ସୁରକ୍ଷା ଉପରେ ଧ୍ୟାନ ଦେବା ଆବଶ୍ୟକ।ସାମ୍ପ୍ରତିକ ସମୟରେ ପରିବେଶର ସୁରକ୍ଷା ବିଶ୍ଵ ସମ୍ମୁଖରେ ଏକ ବିଶେଷ ସମସ୍ୟା ହୋଇ ଦେଖା ଦେଇଛି। କେବଳ ଜାତୀୟ ସ୍ତରରେ ବା ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଜାରି ରହିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଜନସଚେତନତା ହୋଇପାରିନାହିଁ, ସେପର୍ଯ୍ୟନ୍ତ ଏହା ଏକ ସମସ୍ୟା ହୋଇ ଚିରଦିନ ପାଇଁ ରହିଥିବ। ବିଶ୍ୱ ଜାତିସଂଘ ତରଫରୁ ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ଧରିତ୍ରୀ ଦିବସ ବା ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରଦୂଷଣର ଭୟାବହତା ସମ୍ପର୍କରେ ଜନସାଧାରଣକୁ ଅବଗତ କରାଇ ପରିବେଶ ସୁରକ୍ଷା ନିମିତ୍ତ ସେମାନଙ୍କୁ ଉତ୍ସାହିତ କରିବା।
