ମା, ମାଟି ଆଉ ମଣ୍ଡିଆକୁ ନେଇ ଏବେ ସବୁଠି ଚର୍ଚ୍ଚା । ଶ୍ରୀ ଅନ୍ନ ଆଜି କେବଳ ଚାଷ ଜମିରେ ସୀମିତ ହୋଇ ନାହିଁ । ବରଂ ଫାର୍ମ ରୁ ପ୍ଲେଟ୍ ଯାଏଁ ଶ୍ରୀ ଅନ୍ନ ର ମହକ ଆଜି ମହକିତ ହେଉଛି । ମାଣ୍ଡିଆ ଆଜି କେବଳ ସକାଳ ଜଳଖିଆ ରେ ନୁହେଁ ବରଂ ଜୀବନ ଚର୍ଯ୍ୟା ର ପ୍ରତ୍ୟେକଟି ସୋପାନରେ ଏହା ଆମ ସାଥ ଦେଉଛି। ଶ୍ରୀ ଅନ୍ନ କୁ ନେଇ ଅନେକ ଯୁବ ଉଦ୍ୟୋଗୀ ଏବେ ନୂଆ ନୂଆ ପରିକଳ୍ପନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଯୁବ ଉଦ୍ୟୋଗୀ ଅବିନାଶ ଦାଶ ମାଟି ହାଣ୍ଡି ଛେନାପୋଡ଼ ର ଏକ ଅଭିନବ ଧାରା ତିଆରି କରିଛନ୍ତି । ପ୍ରତିଟି ସମୟରେ କୃଷକ ଉତ୍ପାଦକ ସଂଗଠନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଅବିନାଶ ମାଣ୍ଡିଆ ଆଉ ଗୁଡ କୁ ନେଇ ଏହାର ଧାରା ରଚନା କରିଛନ୍ତି । ଆପଣ ମାନେ ଚାହିଁଲେ ମୋ – ୯୩୪୮୦୭୫୯୯୭ ରେ ଯୋଗାଯୋଗ କରି ଅର୍ଡର କରିପାରିବେ। ଏହି ଯୁବ ଉଦ୍ୟୋଗୀ ଙ୍କ ସହ ଅଧିକ ଆଲୋଚନା କରିଥିଲେ ସୁଶ୍ରୀ ଦିବ୍ୟା ଭାରତୀ ନାୟକ।
ପ୍ର: ଛେନାପୋଡ଼ କୁ ନେଇ ଷ୍ଟାର୍ଟ ଅପ୍ ର ପରିକଳ୍ପନା କଣ ପାଇଁ?
ଉ: ଆଜିର ଯୁବପିଢୀଙ୍କୁ ନେଇ କିଛି ନୂଆ ବ୍ୟବସାୟ କରିବା ଏବଂ ଲୋକଙ୍କ ପାଖରେ ନିଜର ନୂତନ ଅନୁଭୂତି ପହଞ୍ଚାଇବା ଏହି ଷ୍ଟାର୍ଟ ଅପ୍ ର ମୂଳ ଲକ୍ଷ୍ୟ। କିଛି ନୂଆ ପ୍ରୟାସ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିବା ଏବଂ ଓଡ଼ିଶାର ସ୍ୱାଦକୁ ପରିଚିତ ମଧ୍ୟ କରାଯାଇପାରିବ। ଆମେ ଆରମ୍ଭ କରିଥିବା ଏ ପ୍ରୟାସ ଓଡ଼ିଆ ଙ୍କ ପାଇଁ। ଓଡ଼ିଆଙ୍କ ମଧ୍ୟରେ ଆମ ସଂସ୍କତିର ମହକ ପହଞ୍ଚାଇବା ପାଇଁ।
ପ୍ର: କୃଷକ ଉତ୍ପାଦକ ସଂଗଠନ ରୁ ମାଟି ହାଣ୍ଡି ଛେନାପୋଡ଼ – କଣ ସ୍ବପ୍ନ କଣ ସନ୍ଦେଶ ?
ଉ: ଆଜିକାଲି ବଜାରରେ ବହୁ ମାତ୍ରାରେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ମିଳିବାରେ ଲାଗିଲାଣି, ଯାହାକି ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଉଛି। ସଂପୂର୍ଣ୍ଣ ଦେଶୀ ପ୍ରଣାଳୀରେ ପୁଷ୍ଟିସାରଯୁକ୍ତ ପଦାର୍ଥ ବ୍ୟବହାର କରି ସୁସ୍ଥ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ଏକ ନିଆରା ସ୍ବପ୍ନ। ଏହି ପରିପ୍ରେକ୍ଷୀରେ ଲୋକଙ୍କ ପ୍ରଚେଷ୍ଟା ହିଁ ଆଗାମୀ ପିଢ଼ି ପାଇଁ ସମସ୍ତ ଖାଦ୍ୟକୁ ପୁଷ୍ଟିସାର ଯୁକ୍ତ ବନେଇପାରିବ।
ପ୍ର: କୋଶଳ ଭାଷାକୁ ନେଇ ସ୍ୱତନ୍ତ୍ର ପରିକଳ୍ପନା ର ଉଦ୍ଦେଶ୍ୟ?
ଉ: ଓଡ଼ିଶାର ଏକ ଆଞ୍ଚଳିକ ଭାଷା ହେଉଛି କୋଶଳ ଭାଷା, ଯାହାକୁ ନେଇ ମଣିଷ ନିଜର ପରିଚୟ ସୃଷ୍ଟି କରିପାରିଛି। ପଶ୍ଚିମ ଓଡ଼ିଶାର ଏହି ଭାଷା ଆଜି ବହୁ ଚର୍ଚ୍ଚିତ ନହେଇଥିବା ବେଳେ, ଏହାର ପ୍ରଚାର ଏବଂ ପ୍ରସାର ନିତାନ୍ତ ଜରୁରୀ। ଏହା ଦ୍ବାରା ଅନ୍ୟ ଲୋକ ମଧ୍ୟ ଏ ଭାଷାର ମଧୁରତା ବିଷୟରେ ଜାଣିପାରିବେ।
ପ୍ର: ମାଣ୍ଡିଆ ଆଉ ଗୁଡ କୁ ନେଇ ଏମିତି ଏକ ଚିନ୍ତା କରିବାର କଣ ଅଭିପ୍ରାୟ ?
ଉ: ଓଡ଼ିଶାରେ ଛେନାପୋଡ଼ ଏକ ପ୍ରସିଦ୍ଧ ଖାଦ୍ୟ ଭାବରେ ପରିଚିତ ଏବଂ ଓଡ଼ିଶା ବାହାର ଲୋକ ମଧ୍ୟ ଏହାର ପସନ୍ଦ କରିଥାନ୍ତି। ବର୍ତ୍ତମାନ ଆବଶ୍ୟକୀୟ ଉପାଦାନର ଅଭାବ ହେତୁ ଛେନାପୋଡ଼ର ସ୍ଵାଦ ଖରାପ ହେବାକୁ ଲାଗିଲାଣି। ସ୍ଵାଦ, ଗୁଣବତ୍ତା ଏବଂ ସୁସ୍ଥ ଛେନାପୋଡ଼ ପ୍ରସ୍ତୁତ କରିବା ପାଇଁ ଚିନି ବଦଳରେ ଗୁଡ଼ ଏବଂ ସୁଜି ପରିବର୍ତ୍ତେ ମାଣ୍ଡିଆ ବ୍ୟବହାର କରାଯାଇ ଏହାକୁ ଲୋକପ୍ରିୟ କରିବାର ଏକ ପ୍ରୟାସ ଜାରି ରହିଛି। ଶ୍ରୀ ଅନ୍ନ ର ଶ୍ରୀ କୁ ଏବେ ସବୁଆଡେ ଲୋକପ୍ରିୟ କରିବା ଆମ ଦାୟିତ୍ଵ।
ପ୍ର: ଓଡ଼ିଶାକୁ ନେଇ ଏମିତି ଏକ ଷ୍ଟାର୍ଟ ଅପ୍ ର ଆଗାମୀ ୫ ବର୍ଷ ର କଣ ଲକ୍ଷ୍ୟ ?
ଉ: କେବଳ ଛେନାପୋଡ଼ ନୁହଁ ବରଂ ଅନ୍ୟ ଖାଦ୍ୟ ପଦାର୍ଥକୁ ପୁଷ୍ଟିସାର ଯୁକ୍ତ ବନେଇବା ଏବଂ ଖାଦ୍ୟର ଉଚ୍ଚକୋଟୀର ପ୍ୟାକେଜିଂକୁ ଗୁରୁତ୍ଵ ଦେଇ ଦୂର ଦୁରନ୍ତର ଗ୍ରାହକଙ୍କ ପାଖରେ ଭଲ ଭାବେ ପହଞ୍ଚାଇବା ଆଗାମୀ ଦିନରେ ଲକ୍ଷ୍ୟ ରହିଛି।
ପ୍ର: ଓଡ଼ିଶାର ଯୁବକ ମାନେ ଏମିତି ଭିନ୍ନ ଚିନ୍ତାଧାରା ନେଇ ଭବିଷ୍ୟତ ଗଠନ କରିପାରିବେ ତ?
ଉ: ନିଶ୍ଚିତ କରିପାରିବେ, କାରଣ ବ୍ୟବସାୟ ଲୋକଙ୍କୁ ପରିଚୟ ଦେବାର ଏକ ସୁପ୍ରୟାସ। ନିଜର ଭାଷା, ଶୈଳୀ, ଗୁଣବତ୍ତା, ଚିନ୍ତାଧାରା, ଜ୍ଞାନକୌଶଳ ପ୍ରକୃତ ପରିଚୟ ସୃଷ୍ଟି କରିଥାଏ। ଆଜିର ଯୁବକ ଭିନ୍ନ ଚିନ୍ତାଧାରାକୁ ନେଇ ନିଜର ଆଗ୍ରହ ଓ ପ୍ରୟାସ ସେମାନଙ୍କ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇପାରିବ।
