ରାଜ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଚାଷୀଙ୍କୁ ଉଜ୍ଜ୍ୱଳ ପଥ ଦେଖାଇବା ସହ ସ୍ବାବଲମ୍ବୀ ମଧ୍ୟ କରିପାରିଛି। ଏହି ଯୋଜନାର ସମର୍ଥନରେ ଚାଷୀମାନେ ଭିନ୍ନ ପ୍ରକାର ଚାଷକାର୍ଯ୍ୟ, ବିହନ କେନ୍ଦ୍ର, ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ଆଜି ପ୍ରତିଷ୍ଠା କରି କୃଷି ଉଦ୍ୟୋଗୀ ସାଜୁଛନ୍ତି। ଏହିପରି ଗଞ୍ଜାମ ଜିଲ୍ଲାର ମନପାଲିରୁ ଶ୍ରୀମତୀ କାଣ୍ଟିପୁଡ଼ି ମୀନା କୁମାରୀ ନାମକ ଜଣେ ମହିଳା ଚାଷୀ ନିଜ ଜମିରେ ପିଜୁଳି ଏବଂ ନଡ଼ିଆ ଚାଷ କରି ଅଞ୍ଚଳର ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତ ହୋଇଛନ୍ତି। ସେ ନିଜର ପର୍ଯ୍ୟାପ୍ତ ପରିଶ୍ରମ ବଳରେ ନିଜକୁ ରାଜ୍ୟସ୍ତରରେ ବିବେଚିତ କରିପାରିଛନ୍ତି।
ଅନ୍ୟ ସଫଳ ଚାଷୀମାନଙ୍କ ଭଳି ସେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସମର୍ଥନ ପାଇ ପିଜୁଳି ଏବଂ ନଡ଼ିଆ ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସୃଷ୍ଟି କରିପାରିଛନ୍ତି। ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ବଜାରରେ ପହଞ୍ଚାଇ ରାଜ୍ୟରେ ଆଦୃତି ଲାଭ କରିଛନ୍ତି। କେବଳ ଏତିକି ନୁହଁ ବରଂ ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଆହୁରି ବିସ୍ତାର କରିବା ନେଇ ଆଶା ରଖିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ଏହା ନିଜ ପାଇଁ ଏକ ସୁନାମ ଆଣିଦେବା ସହ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ