କୃଷି କ୍ଷେତ୍ରରେ ଓଡ଼ିଶାର କିମ୍ବଦନ୍ତୀ ବିଗତ ବର୍ଷଠାରୁ ରହିଆସିଛି। ଓଡ଼ିଶାରେ ସମସ୍ତ ପ୍ରକାର ଚାଷ ଦେଖିବାକୁ ମିଳିଛି। କୃଷିକାର୍ଯ୍ୟ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ରାଜ୍ୟକୁ ବହୁ ସଫଳତା ଆଣି ଦେବା ସହ ସଫଳ କୃଷିକୁ ମଧ୍ୟ ଚିହ୍ନଟ କରିଛି। ତେଣୁ ଶ୍ରେଷ୍ଠ କୃଷି ରାଜ୍ୟ ଭାବେ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡରସିପ୍ ପୁରସ୍କାରରେ ସମ୍ମାନିତ ହୋଇଛି ଓଡ଼ିଶା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି। ଯାହାକି ରାଜ୍ୟ ପାଇଁ ଏହା ପ୍ରମୁଖ ସଫଳତା ଭାବେ ପରିଚିତ ହୋଇଛି।
ନୂଆଦିଲ୍ଲୀରେ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ନ୍ୟାୟ ମୂର୍ତ୍ତି ପି. ସଦାଶିବମ୍ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପ୍ରାପ୍ତ ପରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, “ଏହି ପୁରସ୍କାର ଓଡ଼ିଶାର ଚାଷୀଙ୍କ ନବସୃଜନ ଓ କଠିନ ପରିଶ୍ରମର ନିଦର୍ଶନ। ଓଡ଼ିଶାର ଅନ୍ନଦାତାଙ୍କୁ ଏହି ପୁରସ୍କାର ମୁଁ ଉତ୍ସର୍ଗୀକୃତ କରୁଛି। ଏହି ସମ୍ମାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଗ୍ରିକଲଚର ଟୁଡେ ଗ୍ରୁପ୍ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଏବଂ ଭାରତ ବର୍ଷରେ ସ୍ଥାୟୀ କୃଷି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୂଚିତ କରୁଛି “।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ