ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ମାଣ୍ଡିଆ ଚାଷ ଖ୍ୟାତି ଅର୍ଜନ କରୁଛି। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ୍ ସ୍ଥିତ ବରଟୋଲି ଗ୍ରାମର ଜ୍ୟୋତି ଡାଙ୍ଗ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଚାଷ ପ୍ରତି ଥିବା ଇଚ୍ଛା ଶକ୍ତି ଏବଂ ନିଜ ଉପରେ ଦୃଢ଼ ବିଶ୍ବାସ ଆଜି ତାଙ୍କୁ ଦେଖାଇଛି ଆଲୋକର ପଥ।ଏକାକିନୀ ମହିଳା ହୋଇଥିଲେ ମଧ୍ୟ ଶ୍ରୀ ଅନ୍ନ ଅଭିଯାନ ବଳରେ ଅନୁପ୍ରାଣିତ ହୋଇ ଚାଷକୁ ଆପଣେଇ ଟଙ୍କା ରୋଜଗାର କରିବାର ସ୍ବପ୍ନ ନେଇ ଅଣ୍ଟା ଭିଡ଼ିଥିଲେ ଜ୍ୟୋତି। ମାଣ୍ଡିଆ ଚାଷ ତାଙ୍କ ଦୈନନ୍ଦିନ ଜୀବନରେ ଏକ ନିଆରା ଖୁସି ଭରିଦେଇଛି।
୨୦୧୮ ମସିହାରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମାଣ୍ଡିଆ, ସୁଆଁ, କୋଦ, କାଙ୍ଗୁ ଆଦି ଚାଷ ବିଷୟରେ ଜାଣିବାକୁ ପାଇଥିଲେ। ଏହି ଚାଷର ଉପକାରିତା ଓ ସରକାରୀ ସ୍ତରରେ ମିଳୁଥିବା ପ୍ରୋତ୍ସାହନ ସମ୍ପର୍କରେ ଜାଣି ସେ ମାଣ୍ଡିଆ ଚାଷ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ନିଜର ୩ ଏକର ଜମିରେ ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରି ଉତ୍ପାଦିତ ମାଣ୍ଡିଆରୁ ୨୦ କ୍ଵିଣ୍ଟାଲ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ୭୭ ହଜାର ଟଙ୍କା ଲାଭ କରିପାରିଛନ୍ତି। ଏହା ସହ ବାକି ୨ ଏକର ଜମିରେ ସୁଆଁ ଓ ବାଜରା ମଧ୍ୟ ଚାଷ କରି ବଜାରରେ ବିକ୍ରି କରି ନିଜ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ