ରାଜ୍ୟରେ ଏବଂ ରାଜ୍ୟ ବାହାରେ ମାଣ୍ଡିଆର ଚାହିଦା ବଢୁଥିବାରୁ ଅନ୍ନଦାତାମାନେ ଧାନ ଚାଷ ଛାଡି ମାଣ୍ଡିଆ ଚାଷ ପାଇଁ ଅଧିକାଂଶ ମନ ବଳାଉଥିବ ଦେଖିବାକୁ ମିଳୁଛି। ଏପରିକି ବର୍ତ୍ତମାନ ଓଡ଼ିଶାର ଚାଷୀଙ୍କ ଆୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ୍ କମ୍ ରହିଛି। ତେଣୁ ମାଣ୍ଡିଆ ଚାଷ ବଢିବା ଦ୍ଵାରା ଚାଷୀଙ୍କ ଆୟ ବଢିବା ନେଇ ମଧ୍ୟ ଆଶା କରାଯାଉଛି। ଧାନ ଚାଷ ଦ୍ଵାରା ଚାଷୀଙ୍କ ରୋଜଗାର ମାନଦଣ୍ଡ ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଏଥର ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ବର୍ଷକୁ ବର୍ଷ ଧାନ ଚାଷର ହାର ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।
ଚାଷୀମାନେ ଧାନ ଚାଷ ଛାଡି କେବଳ ମାଣ୍ଡିଆ ନୁହଁ ବରଂ ତୈଳବୀଜ ଚାଷ କରି ମଧ୍ୟ ରୋଜଗାର ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛନ୍ତି। ରାଜ୍ୟରେ ଫସଲର ବିବିଧିକରଣ ଯୋଜନା ଅଧୀନରେ ଧାନ ପରିବର୍ତ୍ତେ ୧,୮୨,୭୪୦.୪୫ ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଧାନ ଚାଷର ହାର ଅଧିକ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ଧାନ ଚାଷର ହାର ଧୀରେ ଧୀରେ କମିବାରେ ଲାଗିଛି। କେବଳ ମାଣ୍ଡିଆ ଚାଷ ଉତ୍ପାଦନ ବୃଦ୍ଧି ନୁହଁ ବରଂ ତୈଳବୀଜ, ଚିନାବାଦାମ, ଡାଲି ଜାତୀୟ ଫସଲ, ରାଶି, ମକା, ପନିପରିବା ଓ ମସଲା ଜାତୀୟ ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ଜଣାପଡିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ