ଶ୍ରୀ ଅନ୍ନ ଅଭିଯାନ ଅଧିନରେ ପ୍ରୋତ୍ସାହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୃଷିଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ଦ୍ରବ୍ୟ ଏବଂ ଅଣକୃଷି ଦ୍ରବ୍ୟର ଉପଯୁକ୍ତ ପ୍ୟାକେଜିଂର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ପ୍ରକାରର ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି। ମାତ୍ର ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଉପଯୁକ୍ତ ପ୍ୟାକେଜିଂର ସମସ୍ୟା ରହିଛି। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂ ସହ ସହଭାଗିତା ଦ୍ୱାରା ପ୍ୟାକେଜିଂରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହ ଦ୍ରବ୍ୟଗୁଡ଼ିକ ମୂଲ୍ୟଯୁକ୍ତ ମଧ୍ୟ ହୋଇପାରିବ।
ଶ୍ରୀ ଅନ୍ନ ଅଭିଯାନ ଅଧିନରେ ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ “ପ୍ୟାକେଜିଂ ଦ୍ୱାରା ଆୟୋଜିତ ପ୍ୟାକେଜିଂ ମାନକୀକରଣ” ସଚେତନତା ସମ୍ପର୍କରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆଇଆଇପିର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନିଲ ପ୍ରକାଶ ମୋୖଲେ ଏବଂ ଶ୍ରୀ ରିତେଶ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂପୁରର ବିଭିନ୍ନ ବ୍ଲକର ୩୧ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଥିଲେ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ