ସବୁଜ ଓ ବିଷମୁକ୍ତ ଭାରତ ମୋର ସ୍ୱପ୍ନ – କୃଷି ସାଇକେଲ ମ୍ୟାନ୍ ନିରାଜ ପ୍ରଜାପତି

0

ଚାଷ ଏକ ବ୍ୟବସାୟ ନୁହେଁ , ଏହା ଏକ ନିଶା । ଆଧୁନିକତାର ଚାକଚକ୍ୟ ଭିତରେ କେଉଁଠି ନା କେଉଁଠି ଏବେ ବି ମଣିଷପଣିଆ ବଂଚି ରହିଛି । ସେଇଥିପାଇଁ ତ ସମାଜରେ ମଣିଷ ନିଜର ସ୍ଥିତି ବଜାୟ ରଖିପାରିଛି ।

ଚାଷୀ – ସେ ମାଟିର ମଣିଷ , ତାରି ପାଇଁ ବନ୍ଧ୍ୟା ମାଟି ଜୀବନ୍ୟାସ ପାଏ । ଜଣେ ଦରଦୀ ପ୍ରାଣର ମହାନ ବ୍ୟକ୍ତିତ୍ୱ । କିନ୍ତୁ ସମୟର ସାରାଂଶରେ ଚାଷୀ ଆଜି ଅବହେଳିତ । ଜଣେ ଚାଷୀର ମନକଥା ବୁଝିବାକୁ କିଏ ବା ଚାହୁଁଛି । ଏପରି ସମୟରେ କ୍ଷେତରେ ରାସାୟନିକ ସାରର ବ୍ୟବହାର ଯୋଗୁଁ ଜମିର ଗୁଣାତ୍ମକ ମାନ ବି ହ୍ରାସ ପାଉଛି । ଚାଷୀଟିଏ ସମସ୍ୟାର ଡେ଼ାରିରେ ଆନେ୍ଦାଳିତ ହେଉଥିବା ବେଳେ ଏହାକୁ ପରିପ୍ରକାଶ କରିବାକୁ ପାଟି ଫିଟେଇବାର ସାହାସ ଜୁଟେଇପାରେନି । ଖଟିଲେ ଦି ଓଳି ଖାଇବା ସହ ତା ଘର ଚଳେ । ଏତେ ଧାଁ ଧପଡ଼କୁ ସେ କାହିଁ ବା ଯିବ । କିନ୍ତୁ ଆଜି ବି ଚାଷୀ ପାଇଁ ମାନବିକତା ଜନ୍ମିଛି । ଭାରତର ହରିଆଣା ସ୍ଥିତ ଏକ ଗାଁର ସେ ୨୪ବର୍ଷୀୟ ଯୁବକ । ମନରେ ଅସୁମାରୀ ଆଶା । ଚାକିରୀର ମୋହକୁ ପରିତ୍ୟାଗ କରି ସାଇକେଲରେ ସାରା ଭାରତର ଗାଁକୁ ଯାଇ ଚାଷୀଙ୍କ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏବେ ସୁଦ୍ଧା ୧୪୨୩୫ କିମି ସାଇକେଲରେ ଯାତ୍ରା କରି ଚାଷୀମାନଙ୍କ ମଧ୍ୟରେ ଜୈବିକ କୃଷି ପାଇଁ ଆଗ୍ରହ ସୃଷ୍ଟି କରିବା ସହ ଏକ ରାସାୟନିକ ସାର ମୁକ୍ତ ଭାରତର ଆହ୍ୱାନ ଦେଉଛନ୍ତି । ୧୧୧୧୧୧କିମି ଯାତ୍ରା କରିବାର ଲକ୍ଷ୍ୟ ରଖି ସେ ଏବେ ସାରା ଭାରତରେ ଭାରତର କୃଷି ସାଇକେଲ ମଣିଷ ଭାବେ ବେଶ ପରିଚିତ । କୃଷି ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରି ସେ ସାଜିଛନ୍ତି ଏକ ଉଦାହରଣ । ସେ ହେଉଛନ୍ତି ହରିଆଣାର ସୋନିପତ୍ ଗ୍ରାମର ଶ୍ରୀ ନିରାଜ କୁମାର ପ୍ରଜାପତି । ଏହି କୃଷି ସାଇକେଲ ମଣିଷଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଫିଚର ବିଭାଗ ମୁଖ୍ୟ ସୁଶ୍ରୀ ପ୍ରଜ୍ଞା ପରମିତା

ପ୍ର: ଆପଣଙ୍କ ମନରେ ଚାଷୀଙ୍କ ପାଇଁ ଏମିତି ଏକ ନୂତନ ଚିନ୍ତାଧାରା ସୃଷ୍ଟି ହେବାର କାରଣ କଣ ?

ଉ: ମୁଁ ଇଂଜିନିୟରିଂରେ ପାଠପଢ଼ା ସାରିବା ପରେ ଲୁଧିଆନାରେ ଏକ କୃଷି ସଂସ୍ଥାରେ କାମ କରୁଥିଲି । ସେତେବେଳେ ନିଜ ଗାଁରେ ଚାଷୀମାନଙ୍କ ସମସ୍ୟାକୁ ବେଶ ପାଖରୁ ଦେଖିଥିଲି । ଏହି ସମୟରେ ଚିନ୍ତା କରିଥିଲି ଯଦି ମୋ ଗାଁରେ ଚାଷୀଙ୍କ ଏମିତି ସମସ୍ୟା ଅଛି , ତାହେଲେ ସାରା ଭାରତରେ ଚାଷୀ ମାନେ କେତେ ସମସ୍ୟାରେ ଥିବେ । ସବୁଆଡେ଼ ରାସାୟନିକ ସାର ପ୍ରୟୋଗ କରି ଆମେ ପରୋକ୍ଷରେ ଏବେ ବିଷକୁ ଗ୍ରହଣ କରୁଛନ୍ତି । ଏହାକୁ ମୁକ୍ତ କରି ଏକ ସବୁଜ ଭାରତର ଚିନ୍ତା ଓ ସଂକଳ୍ପ ନେଇ ମୁଁ ସାରା ଭାରତର ଚାଷୀଙ୍କୁ ସଚେତନ କରାଇବା ପାଇଁ ମନସ୍ଥ କଲି । ଆଉ ବିଗତ ୧୧ମାସ ହେବ ମୁଁ ଏହି ଯାତ୍ରା ଜାରି ରଖିଛି ।

ପ୍ର: ସଚେତନତାର ମାଧ୍ୟମ ଭାବେ ସାଇକେଲକୁ କଣ ପାଇଁ ବାଛିଲେ ?

nano urea

ଉ: ସାଇକେଲକୁ ବାଛିବାର କାରଣ – ଏହା ଦ୍ୱାରା କୋ÷ଣସି ପ୍ରଦୂଷଣ ହୁଏ ନାହିଁ । ମୋ ସାଇକେଲ ଏକ ହାଇବ୍ରିଡ଼ ସାଇକେଲ । ୨୫କିମି ପ୍ରତି ଘଣ୍ଟା ପ୍ରତି ଏହା ଯାଇପାରେ । ସାଇକେଲ ଦ୍ୱାରା ମୁଁ ଗାଁ ଗହଳିର ସବୁ ସ୍ଥାନକୁ ଯାଇପାରିବି । ଏହା ଦ୍ୱାରା ତୃଣମୂଳ ସ୍ଥରର ଚାଷୀଙ୍କ ସହ ମିଶିବାର ସୁଯୋଗ ପାଇପାରିବି । ଆଉ ଆଜି ମୁଁ ଏହା ଅନୁଭବ କରୁଛି ଯେ ସାଇକେଲ ଦ୍ୱାରା ମୁଁ କେତେ ଉପକୃତ ହୋଇପାରିଛି । ଆଗକୁ ବି ମୋର ସବୁ ଯାତ୍ରା ଏହି ସାଇକେଲ ଦ୍ୱାରା ହିଁ କରିବି ।

ପ୍ର:ଆପଣଙ୍କ ଯାତ୍ରା ଓ ଏହି ଚିନ୍ତାଧାରାର ମୁଖ୍ୟ ସ୍ଲୋଗାନ କଣ ?

ଉ: ପୂର୍ବ ସମୟରେ ସମସ୍ତେ ବିନା କୀଟନାଶକ ଓ ରାସାୟନିକ ସାରରେ ଚାଷବାସ କରୁଥିଲେ । ସେଥିପାଇଁ ସମସ୍ତେ ସୁସ୍ଥ ଆଉ ସବଳ ବି ରହୁଥିଲେ । କିନ୍ତୁ ଏବେ ଆପଣ ଦେଖନ୍ତୁ ଭାରତରୁ ସବୁ ଚାଷୀ ରାସାୟନିକ ସାରର ପ୍ରୟୋଗ କରୁଛନ୍ତି । ଜୈବିକ ଚାଷକୁ ଆପଣାଉନାହାନ୍ତି । ତେଣୁ ମୋର ଏହି ଯାତ୍ରାର ପ୍ରଥମ ଉଦେ୍ଧଶ୍ୟ ଚାଷୀ ମାନଙ୍କୁ ଜୈବିକ କୃଷି ଉପରେ ସଚେତନ କରାଇବି । ଜୈବିକ କୃଷିର ଉପାଦେୟତା ସମ୍ପର୍କରେ ଚାଷୀଙ୍କୁ ବୁଝାଉଛି । ଗତ ୨୩ ଫେବୃଆରୀରୁ ୨୨ ମାର୍ଚ୍ଚ ଯାଏଁ ମୁଁ ୨୬୩୫କିମି ରାଜସ୍ଥାନର ସବୁ ଗାଁକୁ ସାଇକେଲରେ ବୁଲି ଚାଷୀମାନଙ୍କୁ ସଚେତନ କରାଇଛି । ଆଗକୁ ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ , ହିମାଚଳ ପ୍ରଦେଶ , ଜମ୍ମୁ , ଲଦାଖ , ପଂଜାବ ପ୍ରଭୃତି ରାଜ୍ୟକୁ ସାଇକେଲରେ ଯାତ୍ରା କରିବାର ଯୋଜନା ରଖିଛି । ଚାଷୀ ଓ କୃଷି ବୈଜ୍ଞାନିକ ମାନଙ୍କ ଭିତରେ ଯେଉଁ ଖାଲି ସ୍ଥାନ ସୃଷ୍ଟି ହୋଇଛି ତାକୁ ଯୋଡ଼ିବାକୁ ଚେଷ୍ଟା କରୁଛି । ଏକ ଶ୍ୟାମଳ ଭାରତର ସ୍ୱପ୍ନ ଦେଖି ମୁଁ ଏହି ଯାତ୍ରା ଆରମ୍ଭ କରିଥିଲି । ଆଉ ମୁଁ ସ୍ୱପ୍ନ ଦେଖିଥିବା ୧୧୧୧୧୧କିମି ଯାତ୍ରା ସମ୍ପୂର୍ଣ୍ଣ କରିବି ବୋଲି ଆଶା ରଖୁଛି ।

ପ୍ର: ଭାରତର ଚାଷୀକୁଳଙ୍କ ପାଇଁ କଣ ବାର୍ତ୍ତା ଦେବାକୁ ଚାହଁବେ ?

ଉ:ପ୍ରଥମ କଥା ଦେଖନ୍ତୁ ଆଜିକାଲି ସମସ୍ତେ ଚାଷୀମାନଙ୍କୁ ଜୈବିକ କୃଷି ଉପରେ ଅନେକ କିଛି ତଥ୍ୟ ଦେଉଛନ୍ତି । ସମସ୍ତେ ଏହାର ଉପାଦେୟତା, ଏହାର ଲାଭ ବିଷୟରେ କହୁଛନ୍ତି । ସେ ସମୟରେ ଚାଷୀଟିଏ ଚିନ୍ତା କରୁଛି ଯଦି ସତରେ ଜୈବିକ କୃଷିର ଏତେ ଫାିଦା ବା ଉପାଦେୟତା ଅଛି , ତାହେଲେ ସବୁ ଚାଷୀ ଏହାକୁ କାହିଁକି ଗ୍ରହଣ କରୁନାହାନ୍ତି । ତେଣୁ ମୁଁ ପ୍ରଥମେ ଏହାର ଅପକାରିତା ବିଷୟରେ କହେ । ଯେତେବେଳେ ଅପକାରିତାକୁ ଶୁଣିବା ପରେ ମଦ୍ୟ ଚାଷୀ ଏହାକୁ କରିବାକୁ ଆଗ୍ରହ କରିଥାଏ , ସେବେ ପୁଣି ଥରେ ସେ ଆଉ ମୁହଁ ଫେରାଏ ନାହିଁ । ସେ ଜାଣିପାରେ ଜୈବିକ କୃଷି କଣ । ଏହି ପରିପ୍ରେକ୍ଷୀରେ ମୋର ଅନୁରୋଧ ସମସ୍ତେ ଜୈବିକ କୃଷିକୁ ବୁଝନ୍ତୁ । ଆସନ୍ତୁ ଏକ ବିଷ ମୁକ୍ତ ଭାରତର ସଂକଳ୍ପ ନେବା ।

ପ୍ର: ଶ୍ୟାମଳ ସୁବର୍ଣ୍ଣ ଗତ ଦୁଇ ବର୍ଷ ହେବ ଚାଷୀକୁଳ ପାଇଁ ନିଜର ସଂଘର୍ଷ ଜାରି ରଖିଛି । ଏ ବିଷୟରେ କଣ କହିବେ ?

ଉ: ମୁଁ ତ ଜାଣି ଖୁସି ହେଲି ଯେ ଯାହା ହେଉ ଛାତ୍ରାବସ୍ଥାରେ ଏମିତି ଏକ ପରିକଳ୍ପନା ନେଇ ଆପଣମାନେ ଏହାକୁ ସୃଷ୍ଟି କରି ଦୁଇବର୍ଷ ହେବ କାମ କରଉଛନ୍ତି । ତେବେ ଏହା କିପରି ଗାଁ ମାନଙ୍କରେ ଚାଷୀଙ୍କ ପାଖରେ ପହଁଚି ପାରିବ , ଚାଷୀଟିଏ କିପରି ଏଥିରେ ଥିବା ତଥ୍ୟକୁ ଗ୍ରହଣ କରି ଜମିରେ ପ୍ରୟୋଗ କରିପାରିବ , ସେ ଦିଗରେ ଚିନ୍ତା କରନ୍ତୁ । ଆପଣଙ୍କ ପୁରା ଟିମକୁ ମୋ ତରଫରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave A Reply

Your email address will not be published.

18 − 5 =