ଭାରତ ଆଜି କୃଷି କ୍ଷେତ୍ରରେ ଆଶାତୀତ ବୃଦ୍ଧି ବେଳେ ଓଡ଼ିଶାରେ ମଧ୍ୟ କୃଷିର ଭୂମିକା ଅତୁଳନୀୟ । ଆମ ରାଜ୍ୟ ଓଡ଼ିଶା- କୃଷି ଆଉ କୃଷକର ରାଜ୍ୟ । ଏଠି ଆମ ମାଟି ଚାଷର କଥା କହେ । ଚାଷୀ ଆମର ଶ୍ୟାମଳ କ୍ଷେତରେ ସୁନାର ମହକ ବିଂଚେ । ଉର୍ବର ମାଟିର ରଙ୍ଗୀନ ଝଲକ ଦେଇ ଚାଷ କ୍ଷେତ୍ରରେ ବେଶ ସଫଳତା ପାଇଛି ଓଡ଼ିଶା । କୃଷିକର୍ମଣ ପୁରସ୍କାର ହେଉ ଅବା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ – ସୁବଥିରେ ଓଡ଼ିଶାର ନାଁ ଆଗରେ ଥାଏ । ଆମେ ଦେଖୁଥିବା ଅନେକ ସଭା ସମିତିରେ ଆମେ ଏ ଚାଷୀ ଭାଇ ମାନଙ୍କ ଗୁଣଗାନ କରୁ । ଆମ ଦେଶରେ ଚାଷର କଥା ବିଷୟରେ କହୁ । କିନ୍ତୁ ଥରେ ଭାବନ୍ତୁ ଏ ଚାଷ କରିବାକୁ କେତେ ଜଣ ଆଗ୍ରହୀ?? କରୋନାର ମହାମାରୀ ଆସିବା ପରେ ଯେବେ କିଛିଟା ଦାଦନ ବନ୍ଦ ହୋଇଗଲା , ସେବେ ଲୋକଙ୍କ ମୁଣ୍ଡରେ ଏ ଚାଷ ନିଶା ପଶିଲା । ତେବେ ଏ ଚାଷର କଥା ପିଲାବେଳୁ କଣ ପାଇଁ ଆମେ ଶିଖିବାନି । ଯେବେ ଛୋଟ ପିଲାଟିଏ କିଛି ଭୁଲ କରେ – ଘରେ କୁହନ୍ତି ପାଠ ନପଢ଼ିଲେ ଆମ ଜମିରେ ଚାଷ କରିବୁ ନହେଲେ ଗାଇ ଚରେଇବୁ । ଏକଥାକୁ ଶୁଣିଲେ ମନେ ହୁଏ ସତେ ଯେମିତି ଚାଷ ଏକ ନିମ୍ନ ସ୍ତରର କାର୍ଯ୍ୟ । ଜଣେ ପାଠ ପଢ଼ୁଆ ପିଲା କ’ଣ ଚାଷ କରୁନି ?? ତେବେ ଅଭିଭାବକ ମାନେ ପିଲା ମାନଙ୍କୁ ଛୋଟ ବେଳେ ଚିତ୍ରାଙ୍କନ,ନୃତ୍ୟ,ସଙ୍ଗୀତ.କ୍ରୀଡ଼ା ଆଦିରେ ସ୍ୱତନ୍ତ୍ର ଶିକ୍ଷା ଦେଉଥିବା ବେଳେ କେବେ ନିଜ ପିଲାକୁ ନେଇ କ୍ଷେତକୁ ଯିବାର ନଜର ଦେଖିବାକୁ ମିଳେନି । ଯଦି ବା ମିଳେ ତାହା କ୍ୱଚିତ୍ । ଏମିତିକି ବିଦ୍ୟାଳୟ ମାନଙ୍କରେ ଏହାକୁ ପ୍ରାଥମିକତା ଦିଆଯାଏନି । ଆମେ ବିଦ୍ୟାଳୟରେ ପିଲାଙ୍କୁ ସଂସ୍କାର ଦେଉ । ଚରିତ୍ର ଗଠନ କରିବାର କଥା କହୁ । କିନ୍ତୁ ସେମାନଙ୍କ ଭିତରେ ଦକ୍ଷତା ବିକାଶ କରିବାକୁ ବି ଯୋଜନା ପ୍ରସ୍ତୁତ ହେଉ । କେବଳ ନାଚ , ଗୀତ, ଭାଷଣ , ଚିତ୍ରାଙ୍କନ ନୁହେଁ ବରଂ କୃଷି ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଉ । ପିଲା ଛୋଟ ବେଳୁ କୃଷି କଣ ଜାଣୁ । ଚାଷ ଜମିକୁ ଯାଉ । ଚାଷୀଙ୍କ ସହ ମିଶୁ । ଚାଷ କରିବାର କୋ÷ଶଳ ବି ଜାଣୁ । ଆମ ମାଟି ବି କଥା କହିପାରେ , ସେ ସ୍ୱତନ୍ତ୍ରତାକୁ ଅନୁଭବ କରୁ ।
ଆମ ରାଜ୍ୟରେ କୃଷିର ଇତିହାସ କଥା କେବଳ ବିଜ୍ଞାପନ କି ଭାଷଣ ନୁହେଁ ବରଂ ସବୁ ବିଦ୍ୟାଳୟର ପିଲା ମାନେ ଏହାକୁ ଜାଣନ୍ତୁ । କୃଷି ଶିକ୍ଷାକୁ ବ୍ୟାପକ କରିବାକୁ ଯୋଜନା ହେଉ । ବିଦ୍ୟାଳୟ ମାନଙ୍କରେ ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା ହେଉ । ଯେଉଁଥିରେ ପିଲା ମାନଙ୍କୁ ବିଭନ୍ନ ଶସ୍ୟ ଜାତୀୟ ଫସଲ , ଡ଼ାଲି ଜାତୀୟ ଫସଲ , ଅର୍ଥକାରୀ ଫସଲ ତଥା ଫୁଲ , ଫଳ ଓ ପନିପରିବା ବିଷୟରେ ସମ୍ୟକ ଧାରଣା ଦିଆଯାଉ । ସବୁକିଛି ନ ହେଉ ପଛେ ପିଲାମାନେ ଚାଷର କୋ÷ଶଳ ବିଷୟରେ ଛୋଟବେଳୁ ଜାଣିବା ଆବଶ୍ୟକ । ପିଲାମାନଙ୍କ ଭିତାର ଏକ ନୂତନ ସ୍ପୃହା ଜାଗ୍ରତ କରି ସେମାନଙ୍କୁ ସପ୍ତାହରେ ଥରେ ବିଦ୍ୟାଳୟ ନିକଟସ୍ଥ ଚାଷ ଜମିକୁ ବୁଲାଇବାକୁ ନିଆଯାଉ । ପିଲାଟିଏ ଯେବେ ଧାନ ରୋଇବାକୁ ଆଖି ଆଗରେ ଦେଖିବ ସେବେ ତା ମନ ଭିତରେ ଅଫୁରନ୍ତ ଆନନ୍ଦ ଖେଳିବ । ସେ ଜାଣି ପାରିବ ଚାଷର ମହାନତାକୁ । ଏପରିକି ଜୈବିକ କୃଷି କରୁଥିବା ଚାଷୀ ମାନଙ୍କୁ ବିଦ୍ୟାଳୟକୁ ଡ଼ାକି ସୋମନଙ୍କ ସହ ପିଲା ମାନଙ୍କର ଏକ ମତ ବିନିମୟ କାର୍ଯ୍ୟକ୍ରମର ସୁଯୋଗ ରହୁ । ଚାଷୀ ବି ନିଜ ଜ୍ଞାନ ବାଣ୍ଟିବ ଆଉ ଅପରପଟେ ପିଲାମାନେ ଏହାର କୋ÷ଶଳ ଶିଖିବେ । ଏବେ କୃଷି କ୍ଷେତ୍ରରେ ଅନେକ ଜ୍ଞାନ କୋ÷ଶଳ ବ୍ୟବହାର କରାଗଲାଣି । ଅନେକ ଉଦ୍ୟୋଗୀ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଲେଣି । ସେମାନଙ୍କ ଫାର୍ମକୁ ଥରେ ଥରେ ପିଲା ମାନଙ୍କୁ ନିଆଯାଉ । ପିଲାଙ୍କୁ ବଣଭୋଜି କାର୍ଯ୍ୟକ୍ରମରେ କୃଷି ଫାର୍ମରେ ବୁଲିବାକୁ ସୁଯୋଗ ଦିଆଯାଉ । ପିଲା ଜାଣିବେ ସମନ୍ୱିତ କୃଷିର ମହକ । ଗୋଟିଏ ସ୍ଥାନରେ ମାଛ ,ଶସ୍ୟ, ଗୋପାଳନ ଓ କୁକୁଡ଼ା ପାଳନକୁ ଦେଖି ପିଲାଙ୍କ ଭିତରେ କୃଷି ପାଇଁ ଆଦର ବଢ଼ିବ । କୃଷିକୁ କଷ୍ଟ ନୁହେଁ ବରଂ ସାମାଜିକ ଜୀବନଧାର ସହ ଯୋଡ଼ିବାର ଏକ ପ୍ରୟାସ ଆରମ୍ଭ ହେଉ । ଆଜି ଆମେ ବୁଝିପାରୁଛୁ ଚାଷର ମହାନତା କଣ । ତେବେ ଏସବୁ ଛୋଟ ବେଳୁ ହେଲେ ପିଲା ବଡ଼ ହେଲେ ଚାକିରୀ କରୁ କିନ୍ତୁ ଚାଷ ପାଇଁ ଆଦର ନକମୁ ।
ଅଭିଭାବକ ମାନେ ବି ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ । ପିଲାଙ୍କ ଭିତରେ ସବୁ ପ୍ରକାର ଦକ୍ଷତାର ବିକାଶ କରାଇବାରେ କେବଳ ବିଦ୍ୟାଳୟ ନୁହେଁ ବରଂ ବାପା ମା ମାନଙ୍କର ବଡ଼ ଭୂମିକା ରହିଛି । ଯେବେ ପିଲା ନିଜ ଗାଁ ଜମିରେ ଫଳନ୍ତି ବୃକ୍ଷ ଦେଖିବେ , ସେମାନେ ନିଶ୍ଚୟ ପୁନର୍ବାର ସେଠାକୁ ଯିବାକୁ ମନ ବଳାଇବେ । ପିଲା ମାନଙ୍କ ଦ୍ୱାରା ବିଦ୍ୟାଳୟରେ କୃଷି ପାଇଁ ସଚେତନା ବୃଦ୍ଧି କରାଯାଉ । ଆମ ରାଜ୍ୟର ଚାଷର ବିବରଣୀକୁ ପିଲାଙ୍କ ପ୍ରଶ୍ପପତ୍ରରେ ସ୍ଥାନ ଦିଆଯାଉ । ପିଲାଙ୍କୁ ପନିପରିବା ହେଉ କି ଫୁଲ ଗଛ ବିଦ୍ୟାଳୟ ହତା ଭିତରେ ଲଗାଇବାର ସୁଯୋଗ ଦିଆଯାଉ । ସେମାନେ ନିଜେ ଖତସାର ଆଉ ପାଣିଦେଇ ଯେବେ ଗଛଟି ବଢ଼ି ଫଳ ଧରିବ , ଦେଖିବେ ସେମାନଙ୍କ ଖୁସି ଆପଣ ନିଜେ ବାରି ପାରିବେ । ସରକାରଙ୍କ ଦ୍ୱାରା ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ପ୍ରସ୍ତୁତ ହେଉ ।
ନିକଟରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଏ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରେଣୀ-ପ୍ରଥମରୁ ପଂଚମ , ଷଷ୍ଠ ରୁ ଅଷ୍ଟମ ଓ ନବମ ଓ ଦଶମର ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି । କୃଷିର ଗୁରୁତ୍ୱ ଏହାର ଉପଯୋଗିତା, ଭବିଷ୍ୟତରେ କୃଷିରେ କ୍ୟାରିଅର କରିବାର ସମସ୍ତ ତଥ୍ୟକୁ ଉପସ୍ଥାପନ କରିବାକୁ ଯୋଜନା କରାଯାଇଛି ।
ଆମ ରାଜ୍ୟରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଏହାକୁ ଅନ୍ତର୍ଭୁକ୍ତ କରାଯାଉ । ପିଲା ମାନଙ୍କୁ କେବଳ ବିଦ୍ୟାଳୟ ନୁହେଁ ଅଭିଭାବକ ମାନେ ମଧ୍ୟ ଏଥିପାଇଁ ଦୃଷ୍ଟି ଦିଅନ୍ତୁ । ଚାଷର ବିଭିନ୍ନ କାର୍ଯ୍ୟକ୍ରମକୁ ଟିଭିରେ ପିଲାଙ୍କୁ ଦେଖାନ୍ତୁ । ଖବରକାଗଜରେ କୃଷି ପୃଷ୍ଠାକୁ ପିଲାମାନଙ୍କୁ ପଢ଼ାଇବାକୁ ଦିଅନ୍ତୁ । ଚାଷ କେବଳ ଅଫିସର କି ଚାଷୀଙ୍କ ପାଇଁ ନୁହେଁ ଏହା ସୁବବର୍ଗର ସବୁଶ୍ରେଣୀର ଲୋକଙ୍କ ପାଇଁ ଏକ ଅମୃତତତ୍ୱର ନିଦର୍ଶନ ।
ଡ଼ି ଶୁଭମ୍ ,ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ