ରାଜ୍ୟର କୃଷି କ୍ଷେତ୍ର ହେବ ଅଧିକ ଗତିଶୀଳ। ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର। ଏଥିପାଇଁ ଚଳିତ ଖରିଫ ୨୦୨୬ ଋତୁ ପାଇଁ ଏକ ବୃହତ ଋଣ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ଖରିଫ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧,୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସମବାୟ ବ୍ୟାଙ୍କ, ପ୍ୟାକ୍ସ ବା PACS ଓ ଅନ୍ୟାନ୍ୟ ବ୍ୟାଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ଶୂନ୍ୟ ପ୍ରତିଶତ ରହିବ।
ରାଜ୍ୟର କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବଳରାମ ଯୋଜନା ଜରିଆରେ ଭାଗଚାଷୀ, ଜମିହୀନ ଚାଷୀ ଏବଂ ମୌଖିକ ଲିଜ୍ ଧାରିଙ୍କୁ ମଧ୍ୟ ଅଧିକ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ୟାକ୍ସଗୁଡ଼ିକ ନିଜର ମୋଟ ଋଣର ଅତିକମରେ ୧୦% ଏହି ବର୍ଗର ଚାଷୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡ଼ା ଖରିଫ ଋତୁରେ ସାର ଓ ବିହନର ଅବାଧ ଯୋଗାଣ ପାଇଁ ପ୍ୟାକ୍ସଗୁଡ଼ିକରେ ପୂର୍ବରୁ ଆବଶ୍ୟକୀୟ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବା PMFBY ଚଳିତ ଖରିଫ ଋତୁରେ ମଧ୍ୟ ଜାରି ରହିବ।
ଉପସ୍ଥାପନା- ଦିବ୍ୟାଭାରତୀ ନାୟକ
