ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୫ ଡିସେମ୍ବର ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ବୈଜ୍ଞାନିକ ଉପାୟରେ ମୃତ୍ତିକାରେ ଉପଲବ୍ଧ ପୋଷକ ତତ୍ତ୍ବ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ଏବଂ କୃଷି ସମ୍ପର୍କିତ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ମୃତ୍ତିକାର ଉର୍ବରତାକୁ ରକ୍ଷା କରିବା ନିମନ୍ତେ ରାସାୟନିକ ସାମଗ୍ରୀର ହ୍ରାସ, ଜୈବିକ ପଦାର୍ଥର ପ୍ରୋତ୍ସାହନ ଏବଂ ପ୍ରାକୃତିକ ତଥା ଜଳବାୟୁ-ସହନଶୀଳ କୃଷି କୌଶଳର ବ୍ୟାପକ ପ୍ରଚଳନ ଭଳି ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁ କୃଷକ, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ। ସୁସ୍ଥ ଖାଦ୍ୟ, ସୁସ୍ଥ ଲୋକ ଏବଂ ସୁସ୍ଥ ସହର ସୁନିଶ୍ଚିତ କରିବା ପାଇଁ ମୃତ୍ତିକାକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଉପରୋକ୍ତ ବାର୍ତ୍ତା ପ୍ରଦାନ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
