ନିୟତିଙ୍କ ସୃଷ୍ଟିରେ ମଣିଷ ଏକ ବିଚିତ୍ର ପ୍ରାଣୀ । ବୁଦ୍ଧିମତାର ମାପକାଠିରେ ଶ୍ରେଷ୍ଠ ବୋଲି ଗଣାଯାଉଥିବା ମଣିଷ ବିଚାର ଓ ବୁଦ୍ଧିର ବହୁତ ଆଗରେ ।
ତେବେ ଏ ସମାଜ ଏବେ ବି ସେମିତି କିଛି ଲୋକଙ୍କୁ ସାହାଯ୍ୟ ତ ଦୂରର କଥା , ସହାନୁଭୂତି ଦେବା ପାଇଁ ବି ପଛଘୁଂଚା ଦିଏ । ଓଡ଼ିଶାରେ ଜନଜାତି ଓ ଆଦିବାସୀ ସମ୍ପ୍ରଦାୟର ଲୋକ ବି ବସବାସ କରୁଛନ୍ତି । ତେବେ ଏମାନଙ୍କ କଥାକୁ କିଏ କେବେ ଦୃଷ୍ଟି ଦେବାର କଥା ଖୁବ କ୍ୱଚିତ୍ ଦେଖିବାକୁ ମିଳେ । କିନ୍ତୁ ସେମିତି କିଛି ଛାତ୍ର ଗୋଷ୍ଠୀ ଯେଉଁମାନେ ଏ ଜନଜାତି ସମ୍ପ୍ରଦାୟର ଲୋକଙ୍କ ପାଇଁ ସମର୍ପିତ , ସେମାନେ ହେଉଛନ୍ତି ନବଜ୍ୟୋତି ସଂସ୍ଥାର ସଦସ୍ୟଗଣ । ନବଜ୍ୟୋତି- ନବଜାଗରଣର ବାର୍ତ୍ତା ବାଣ୍ଟୁଛି । ଜନଜାତିମାନଙ୍କୁ ଜୀବିକାର ନୂଆ ବାଟ ବି ଦେଖାଉଛି । ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ମୁଖ୍ୟ ମଙ୍ଗ ଧରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛାତ୍ରାବସ୍ଥାରୁ ଏମିତି ଏକ ମହତ କାର୍ଯ୍ୟ କରି ସମାଜସେବାର କଥାକୁ ଦୋହରାଇଛି ରିତେଶ। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଦୀର୍ଘ ଛଅ ବର୍ଷ ହେବ ଏହି ଜନଜାତି ମାନଙ୍କୁ ଆତ୍ମନିର୍ଭର କରାଇବା ଦିଗରେ କାଯ୍ୟ କରୁଛି । ନିକଟରେ ନବଜ୍ୟୋତି ଦ୍ୱାରା ଆରମ୍ଭ ହୋଇଥିବା ଜନଜାତୀୟ ସମୃଦ୍ଧି ପ୍ରକଳ୍ପ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏ ଅବସରରେ ନବଜ୍ୟୋତିର ଉପାଧ୍ୟକ୍ଷ ଶ୍ରୀ ରିତେଶ ପୃଷେଠଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ଫିଚର ବିଭାଗ ମୁଖ୍ୟ ସୁଶ୍ରୀ ପ୍ରଜ୍ଞା ପରମିତା ।
‘ଆମେ ବସ୍ତି ମାନଙ୍କରେ ପିଲାମାନଙ୍କୁ କିପରି ପାଠପଢ଼ା କରାଯାଇପାରିବ , ସେ ଦିଗରେ ବି ଅଧିକ ଧ୍ୟାନ ଦେଇଛୁ । ସ୍ୱାସ୍ଥ୍ୟ
ଚେକଅପ୍ ହେଉ ଅବା ଚାଷବାସ କ୍ଷେତ୍ରରେ ଆମେ ସେମାନଙ୍କୁ ସଚେତନ କରାଇଛୁ । ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ପ୍ରଶିକ୍ଷଣ ବି ଦେଉଛୁ । ବର୍ତ୍ତମାନ ସମୟରେ ଆରମ୍ଭ ହୋଇଥିବା ଏହି ଜନଜାତୀୟ ସମୃଦ୍ଧି ପ୍ରକଳ୍ପ ସମ୍ୂର୍ଣ୍ଣ ଭାବରେ ଆଦିବାସୀ ମାନଙ୍କର ଜୀବିକାକୁ ନୂତନ ମାର୍ଗ ଦେବା ପାଇଁ ପରିକଳ୍ପିତ । ଆମେ ଆଦିବାସୀ ମାନଙ୍କୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରିଛୁ । ଆମେ ସେମାନଙ୍କୁ କଡ଼କନାଥ କୁକୁଡ଼ା ଯୋଗାଇଦେଇଥିଲୁ । ସେମାନଙ୍କ ଘର ପଛ ବାଡ଼ିରେ କିପରି ପାକଶାଳା ବଗିଚା
କରାଯାଇପାରିବ , ସେ ଦିଗରେ ପ୍ରୋତ୍ସାହିତ ମଧ୍ୟ କରିଥିଲୁ । ଉଦ୍ୟାନକୃଷିକୁ ସାଥ କରି କିପରି ସେମାନେ ଭବିଷ୍ୟତରେ ଆଗକୁ ଯାଇପାରିବେ , ସେ ବିଷୟରେ ପ୍ରଶିକ୍ଷଣ ବି ଦେଇଛୁ । ଛତୁ ଚାଷ , ଫଳ ଚାଷ ହେଉ ଅବା ଛେଳି ଚାଷ ଏସବୁ ଥିରେ ଆମେ ସେମାନଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରିବା ଦିଗରେ ଚେଷ୍ଟା କରିଛୁ । ସେମାନଙ୍କର ବିକାଶ ପାଇଁ ଆମେ କୃଷିକୁ ବିକାଶର ମାଧ୍ୟମ ଭାବେ ଗ୍ରହଣ କରିଛୁ । ଆଦିବାସୀ ପିଲାମାନଙ୍କୁ ରୋଜଗାରକ୍ଷମ କରିବା ତଥା ନିଶା ନିବାରଣକୁ ରୋକିବା ପାଇଁ ବି ଚେଷ୍ଟା କରିଛୁ । ଜନଜାତିଙ୍କର ଆର୍ଥିକ ସମସ୍ୟାକୁ ଦୂରୀକରଣ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ । ବର୍ତ୍ତମାନ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ କଡ଼କନାଥ ପ୍ରଜନନ କେନ୍ଦ୍ର ଓ ଦେଶୀ ଜ୍ଞାନ କୌଶଳରେ ନିର୍ମିତ ୨୦୦୦କ୍ଷମତା ବିଶିଷ୍ଟ ଇନକୁବେଟର ନିର୍ମାଣ କରାଯାଇଛି । ଘର ବାଡ଼ିରେ ବିଭିନ୍ନ ଫୁଲ ଓ ଫଲ ଚାଷ କରିବା ପାଇଁ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛୁ ।
ଆଦିବାସୀ ମାନଙ୍କର ପଶୁସମ୍ପଦର ସୁରକ୍ଷା ପାଇଁ ଆମେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛୁ । ସର୍ବୋପରି ଗ୍ରାମ ଜୀବନରେ ସମୃଦ୍ଧି ଓ ଉନ୍ନତି ଆଣିବା ଆମର ପ୍ରଥମ ଲକ୍ଷ୍ୟ ।’
ସାକ୍ଷାତ – ପ୍ରଜ୍ଞା ପରମିତା , ପ୍ରସ୍ତୁତି – ଡ଼ି ଶୁଭମ୍