ଚାଷୀଙ୍କୁ ଅମଳର ରାହା ଯୋଗାଉଛନ୍ତି ସ୍ନିଗ୍ଧା

0

ଦିନେ ତା’ ପାଇଁ ସବୁଜ ବିପ୍ଲବର ଆଦ୍ୟ ଧ୍ୱନି ସାରା ବିଶ୍ୱକୁ ପ୍ରକମ୍ପିତ କରିଥିଲା । ସେ ସାଜିଥିଲା ସବୁଜ ବିପ୍ଲବର ମହାନାୟକ ।

ତା’ରି ପାଇଁ ବନ୍ଧ୍ୟା ଜମିରେ ମହମହ ହୋଇ ସବୁଜିମାର ବାସ୍ନା ମହକି ଉଠେ । ଦରଦୀ ପ୍ରାଣରେ ସେ ସଂକଳ୍ପର ଶୁଭଶଙ୍ଖ ଫୁଙ୍କୁଥାଏ ପ୍ରତିଟି ସମୟରେ । ତା’ରି ପାଇଁ ଧାନ କ୍ଷେତରେ ପାଚିଲା କେଣ୍ଡା ଫର ଫର ହୋଇ ଉଡ଼ୁଥାଏ ତ ତା’ରି ପାଇଁ ସୋରିଷ କ୍ଷେତ ସୁବର୍ଣ୍ଣର ପଟୁଆରରେ ଝଲସୁଥାଏ । ସେ ସମାଜର ମଙ୍ଗୁଆଳ । ସେ ଚାଷୀ । ଚାଷୀ ଚାଷ କରେ କିନ୍ତୁ ଅମଳ ଉପରେ ନିଜର ହକ୍ ଜାହିର କରିପାରେ ନାହିଁ । ପ୍ରତିବନ୍ଧକ ହେଉ କି ଅନ୍ୟ କିଛି ଅସୁବିଧା , ସବୁକିଛିକୁ ସହ୍ୟ କରି କ୍ଷେତରେ ସଂଗ୍ରାମ କରୁଥାଏ ଚାଷୀ । ମାନବିକତାର ଉଦାହରଣ ଦେବାକୁ ଯାଇ ଚାଷୀଙ୍କୁ ସହାନୁଭୂତି ଦେଖାଇବାର ଦୃଷ୍ଟାନ୍ତ ଅନେକ ଦେଖିବାକୁ ମିଳେ । କିନ୍ତୁ ପ୍ରକୃତ କ୍ଷେତ୍ରରେ ତୃଣମୂଳ ସ୍ତରକୁ ଯାଇ ଚାଷୀଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ଓ ପରିବ୍ୟାପ୍ତ ସୁଯୋଗର ମାର୍ଗ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ୍ । ସେମିତି ଜଣେ ନିଆରା ବ୍ୟକ୍ତିତ୍ୱ ଯାହାଙ୍କ ହୃଦୟ ଚାଷୀଙ୍କ ପାଇଁ ସମର୍ପିତ – ସେ ସ୍ନିଗ୍ଧାରାଣୀ ପାତ୍ର(୭୯୯୫୭୩୮୨୦୪) । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ବୈଷୟିକ କୃଷିରୁ ସ୍ନାତକ ଶିକ୍ଷା ଲାଭ ପରେ ମନରେ ଚାଷୀଙ୍କ ପାଇଁ କାମ କରିବାର ଆଶା ସଂଚାର ହୋଇଥିଲା । ଆଉ ସେ ଆଶାକୁ ବାସ୍ତବିକତାର ରୂପ ଦେବାକୁ ଯାଇ ସେ ଆରମ୍ଭ କରିଥିଲେ ଏଗ୍ରିସୋଲ୍ ନାମକ କମ୍ପାନୀ(ଷ୍ଟାର୍ଟ ଅପ ସ୍ୱୀକୃତିପ୍ରାପ୍ତ) । ଜୈବିକ ଉପାୟରେ ଚାଷୀଙ୍କର ଆୟକୁ ଦ୍ୱିଗୁଣ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ପ୍ରୟାସ ବର୍ତ୍ତମାନ ସାରା ଓଡ଼ିଶାରେ କୃଷି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିଛି । ଚାଷୀ ହସୁଛି ଆଉ କ୍ଷେତ ବି ମହକୁଛି । ଜଣେ ମହିଳା ହୋଇ ଯୁବସମାଜ ପାଇଁ ଉଦ୍ୟୋଗୀକରଣର ସଂଜ୍ଞାକୁ ବେଶ ନିରିଖେଇ ବୁଝେଇଦେଇଛନ୍ତି ସ୍ନିଗ୍ଧା । ଚାଷୀ ଓ ଚାଷର ଗହନ କଥାକୁ ବୁଝି ଓଡ଼ିଶାର ବିଭିନ୍ନ ଗାଁ ମାନଙ୍କରେ ଚାଷୀମାନଙ୍କ ସହ ଯୋଡ଼ିହେବାକୁ ଚେଷ୍ଟା କରୁଛନ୍ତି । ୨୦୧୮ରୁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ମଂଜି ବୁଣି ଶେଷରେ ବର୍ତ୍ତମାନ ସମୟରେ ପ୍ରାୟ ୫୦୦୦ରୁ ଉଦ୍ଧ୍ୱର୍ ଚାଷୀଙ୍କ ନିକଟତର ହୋଇପାରିଛନ୍ତି । ମନରେ ଅସୁମାରୀ ଆଶା ଆଉ ତା’ ସହ ଚାଷୀକୁଳର ସେବା ପାଇଁ ନିଜକୁ ଯୋଡ଼ିହେବାର ଆକାଂକ୍ଷା – ଏସବୁକୁ ପାଥେୟ କରି ସେ ସୃଷ୍ଟି କରିଛନ୍ତି ଏକ ଅଭିନବ ଉଦାହରଣ । ଏହିପରି ଜଣେ ଯୁବ ଉଦ୍ୟୋଗୀଙ୍କ ସହ ଅଧିକ ଆଲୋଚନା କରିଥିଲେ ଶ୍ୟାମଳ ସୁବର୍ଣ୍ଣ ଫିଚର ବିଭାଗ ମୁଖ୍ୟ ସୁଶ୍ରୀ ପ୍ରଜ୍ଞା ପରମିତା …

ପ୍ର: କୃଷି ସ୍ନାତକ ପରେ ଆପଣ ଏମିତି ଏକ ପଦକ୍ଷେପ ନେବାକୁ କ’ଣ ପାଇଁ ଚିନ୍ତା କଲେ ?

ଉ: ଆମ ସଭ୍ୟତାର ମାନଦଣ୍ଡ ହେଉଛି ଚାଷୀ । ତେଣୁ ଚାଷୀଙ୍କ ପାଇଁ ଚିନ୍ତା କରିବାର ସମୟ ଏବେ ଆସିଛି । ସେମାନଙ୍କୁ ପ୍ରତିଟି ସ୍ତରରେ ସୁଯୋଗ ଦେବା ସହ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ହେବ । ଏହି ଉପକ୍ରମରେ ମୁଁ ପ୍ରଥମେ ଚିନ୍ତା କଲି ଚାଷୀଙ୍କର ଆୟକୁ କିପରି ଦ୍ୱିଗୁଣିତ କରିହେବ । ତେଣୁ ଏମିତି ଏକ ପଦକ୍ଷେପ ନେବାକୁ ସ୍ଥିର କଲି । ଯାହା ସମ୍ପୂର୍ଣ୍ଣ ଜୈବିକ ଉପାୟରେ ପ୍ରସ୍ତୁତ । ଯଦି ଜଣେ ଚାଷୀର କ୍ଷେତରେ ରୋଗ ପୋକର ସମୂଳ ନାଶ ହୋଇପାରିଲା , ତେବେ ଏହା ଅମଳକୁ ବଢେ଼ଇପାରିବ । ମୋର ପ୍ରଥମ ଲକ୍ଷ୍ୟ ଥିଲା କିପରି ଚାଷୀଙ୍କ ଉପଯୋଗ ମୂଲ୍ୟକୁ କମ୍ କରି ସେମାନଙ୍କ ଉତ୍ପାଦିତ ମୂଲ୍ୟକୁ ଅଧିକ କରିବା । ତେଣୁ ଯଦି ଚାଷୀଙ୍କର ଆୟ ଦ୍ୱିଗୁଣିତ ହୋଇପାରିଲା , ତେବେ ଦେଶ ଅର୍ଥନୀତିର ବିକାଶ ହୋଇପାରିବ ।

ପ୍ର: ଇକୋ ଏନ୍ ରିଚ୍ କଣ ? ଏହା କିପରି ଚାଷୀଙ୍କୁ ସାହାଯ୍ୟ କରିପାରିବ?

ଉ: ଆମେ ପ୍ରଥମେ ଚେଷ୍ଟା କରିଛୁ ଜୈବିକ ଉପାୟରେ ଚାଷୀମାନଙ୍କୁ ସାହାଯ୍ୟ କରିବ ପାଇଁ । ଇକୋ – ଏନ-ରିଚ ଏମିତି ଏକ ଦ୍ରବ୍ୟ ଯାହାକୁ ଚାଷୀମାନେ ସବୁ ଫସଲରେ ବ୍ୟବହାର କରିପାରିବେ । ଏହା ପରିବେଶ ଅନୁକୁଳ ହେବା ସହ ମୃତ୍ତିକାର ଉର୍ବରତା ବି ବଢେ଼ଇଥାଏ । ଯେହେତୁ ଏହା ଜୈବିକ ଉପାୟରେ ପ୍ରସ୍ତୁତ ତେଣୁ ଫସଲର ରୋଗ ପୋକ ସଂଖ୍ୟା ବି ଅନେକ ମାତ୍ରାରେ କମ୍ ହାଇ ପାରୁଛି । ଏହା ପରିବେଶ ସନ୍ତୁଳନକୁ ରକ୍ଷା କରିବା ସହ କୃଷି କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି ମୋର ଆଶା ।

nano urea

ପ୍ର: ଓଡ଼ିଶାର ବିଭିନ୍ନ ଗାଁ ମାନଙ୍କରେ ଚାଷୀଙ୍କ ସହ କିପରି ଯୋଡ଼ିହେଉଛନ୍ତି ?

ଉ: ଯେବେ ଏହାକୁ ଆରମ୍ଭ କରିବାର ଯୋଜନା କରିଥିଲି ସେତେବେଳ ଏହା ବରଗଡ଼ରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟରେ ଓଡ଼ିଶାର ତିରିଶଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି । ଚାଷୀ ମାନେ ବି ବେଶ ଆଗ୍ରହର ସହ ଆମକୁ ସ୍ୱାଗତ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆମର ସଂଯୋଜକ ମାନେ ଅଛନ୍ତି । ସେମାନଙ୍କ ସହାୟତାରେ ଆମେ ଗାଁ ମାନଙ୍କରେ ଚାଷୀଙ୍କ ସହ ମିଶି କଥା ବାର୍ତ୍ତା ହେବା ସହ ଇକୋ-ଏନରିଚ୍ର ଉପଯୋଗିତା ବିଷୟରେ ସବିଶେଷ ତଥ୍ୟ ବି ଦେଉଛୁ । ଏହା ଦ୍ୱାରା ଚାଷୀ ବି ଆମ ସହ ଯୋଡ଼ିହେବାକୁ ସ୍ୱତଃ ଇଚ୍ଛା ବ୍ୟକ୍ତ କରୁଛନ୍ତି । ଆଶା କରୁଛି ଆଗକୁ ଓଡ଼ିଶାର ସବୁ ଅଂଚଳ ମାନଙ୍କରେ ପହଁଚିବୁ ଓ ଚାଷୀର ଆୟକୁ ଦ୍ୱିଗୁଣ କରିବାକୁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବୁ ।

ପ୍ର: କୃଷି କ୍ଷେତ୍ର ଓ ଇକୋ ଏନ ରିଚ୍ – ଏହାକୁ ଆପଣ କିପରି ଦେଖୁଛନ୍ତି ?

ଉ: କୃଷି କ୍ଷେତ୍ରରେ ଇକୋ ଏନ ରିଚ୍ ଏକ ଆରମ୍ଭ ମାତ୍ର । ଏହାକ ଅଧିକ ଲୋକାଭିମୁଖୀ କରିବା ପାଇଁ ଆମେ ଚେଷ୍ଟିତ । କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ହେଲେ ବି ସେମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ । ଫୋଲିଆର ସ୍ପ୍ରେ ଭାବରେ ଏହାକୁ ଚାଷୀ ମାନେ କ୍ଷେତରେ ବ୍ୟବହାର କରିପାରିବେ । ଦ୍ୱିତୀୟରେ ସହରାଂଚଳ କୃଷି ଯଥା ପାକଶାଳା ବଗିଚା , ରୁଫଟପ୍ ଗାଡେର଼୍ନିଂ ଏମିତି କାର୍ଯ୍ୟରେ ମଧ୍ୟ ଉପଯୋଗ କରିହେବ । ତେଣୁ ଚାଷୀମାନେ ଏହାକୁ ଆପଣେଇବାକୁ ବେଶ ଆଗ୍ରହ କରୁଛନ୍ତି । ମୋ ଟିମ ସଦସ୍ୟ ମାନଙ୍କର ଅକୁଣ୍ଠ ସହଯୋଗ ଓ ସମଗ୍ର ଚାଷୀକୁଳର ସ୍ନେହ ଓ ଆଶୀର୍ବାଦ ପାଇଁ ଏହା ଜନପ୍ରିୟ ହାଇପାରିଛି ।

ପ୍ର:ଶ୍ୟାମଳ ସୁବର୍ଣ୍ଣ ଉପରେ ଆପଣ କ’ଣ ମତାମତ ଦେବେ?

ଉ: କୃଷି ଛାତ୍ର ମାନଙ୍କର ଏମିତି ଏକ ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । ଓଡ଼ିଶାର ଚାଷୀମାନଙ୍କ ପାଖରେ ଅଧିକରୁ ଅଧିକ ପହଁଚୁ , ଆଗକୁ ଅନେକ ସଫଳତା ସାଉଁଟୁ , ଏତିକି କାମନା ।

(ଅଧିକ ସମ୍ପର୍କ ପାଇଁ ଯୋଗାଯୋଗ କରିପାରିବେ- ସ୍ନିଗ୍ଧାରାଣୀ ପାତ୍ର , ମୋ – ୭୯୯୫୭୩୮୨୦୪)

ପ୍ରସ୍ତୁତି – ଡ଼ି ଶୁଭମ୍

Leave A Reply

Your email address will not be published.

eighteen − nine =