ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ। ଖାଦ୍ୟ ବିବିଧତାର ଏହା ଅନନ୍ୟ ପରିଚୟ। ଓଡ଼ିଶାର ପାରମ୍ପାରିକ ଭୋଜନ ପଖାଳ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଏହା ପ୍ରତ୍ୟେକ ଓଡ଼ିଆର ଭାବାବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ। ପଖାଳକୁ ସାରା ଦେଶ ଓ ବିଶ୍ବରେ ପରିଚିତ କରାଇବା ପାଇଁ ପ୍ରାୟାସ ଜାରି ରହିଛି। ଓଡ଼ିଶାର ପାରମ୍ପରିକ ଏହି ଖାଦ୍ୟକୁ ଲୋକପ୍ରିୟ କରିବାକୁ ପ୍ରତିବର୍ଷ ଆଜିର ଦିନରେ ପ୍ରତିଟି ଓଡ଼ିଆ ପାଳନ କରୁଛନ୍ତି ‘ବିଶ୍ୱ ପଖାଳ ଦିବସ’। ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା।
ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ। ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା। ଖରା ଦିନେ ଗରମରୁ ରକ୍ଷା ପାଇବା ପାଇଁ ବା ଟିକିଏ ତୃଷ୍ଣା ନିବାରଣ ପାଇଁ ପ୍ରତି ଓଡ଼ିଆ ଖାଇଥାଏ ପଖାଳ। ତେବେ ଖାଲି ଖରାଦିନ ନୁହଁ ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଶ୍ରୀଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁ ଠାରୁ ପଞ୍ଚତାରକା ହୋଟେଲ ଯାଏଁ ମହକୁଛି। ଖାଲି ଓଡ଼ିଶା ନୁହଁ ଅନ୍ୟ ରାଜ୍ୟରେ ମଧ୍ୟ ରହିଛି ପଖାଳର ମହକ। ପ୍ରଣାଳୀ ସମାନ କିନ୍ତୁ ନାମ ହେଉଛି ଭିନ୍ନ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ