ସମ୍ପ୍ରତି ପରିବେଶ ପ୍ରଦୂଷଣ, ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତ ପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି। ପରିଣାମ ସ୍ୱରୂପ, ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଲାଣି। ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା ହିଁ ସମ୍ପୂର୍ଣ୍ଣ ସମାଜକୁ ନିର୍ମଳତା ଓ ସୁସ୍ଥ ପଥ ଅତିକ୍ରମ କରିବାର ସଫଳତା ଦେଇପାରିବ।
ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ। ସମଗ୍ର ପରିବେଶ ଏବଂ ପରିବେଶ ସମ୍ପର୍କୀୟ ସମସ୍ୟା ପ୍ରତି ଏକ ସମ୍ବେଦନଶୀଳ ସଚେତନ ମନୋଭାବର ଜାଗ୍ରତ ନିମନ୍ତେ ବ୍ୟକ୍ତି ଏବଂ ସାମାଜିକ ଗୋଷ୍ଠୀଗୁଡିକୁ ସାହାଯ୍ୟ କରିବା ଏବଂ ଅତ୍ୟାଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶର ସମତା କିପରି ନଷ୍ଟ ହେଉଛି ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ଦ୍ୱାରା ଜନସାଧାରଣଙ୍କ ମନରେ ପରିବେଶ ପାଇଁ ଉତ୍ତମ ପ୍ରଭାବ ପକାଇପାରିବ। ପରିବେଶର ଅବକ୍ଷୟ ଆମ ଦେଶ ତଥା ସାରା ପୃଥିବୀର ମଣିଷ ସମାଜ ପାଇଁ ଏକ ଗୁରୁତର ସଙ୍କଟ ସୃଷ୍ଟି କରିଛି। ସେଥିପାଇଁ ଏହି ସମସ୍ୟାର ବିଭିନ୍ନ ଦିଗ ଉପରେ ଜନ ସଚେତନା ସୃଷ୍ଟି କରାଇବାର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଅନୁଭୂତ ହେଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
