ଭୋକରୁ ଜନ୍ମ ନିଏ ଶ୍ରମର ସଂଜ୍ଞା
କ୍ଷୁଧା ମଣିଷର ଏକ ଅନିବାର୍ଯ୍ୟ ଆବଶ୍ୟକତା । ଜୀଇଁବା ପାଇଁ ପେଟରେ ଦାନା ଦି ମୁଠା ପଡ଼ିବା ନିହାତି ଜରୁରୀ । ଭୋକିଲା ପେଟରେ କିଏ ବା ରହିପାରିବ । ଦି ଗୁଣ୍ଡା ଖାଇଲେ ତ ଦି ଓଳି କାମ କରିବୁ । ଭୋକିଲା ପେଟରେ ନିରାଶ ମନରେ ସବୁକିଛି ଦୁଃର୍ବିସହ ଲାଗେ । ମଣିଷ ଆଶା ହରାଇବସେ । ଖାଇବା ଅର୍ଥାତ କ୍ଷୁଧା ବା ଭୋକକୁ ନିଜର ପ୍ରାଥମିକତା ମନେକରେ । ଚିନ୍ତା କରେ କଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଂଚିଲେ ତ ପରିବାର ମୁହଁରେ ଖାଇବାକୁ ଦେବ । ଏସବୁ କେବଳ ମନର କଥା ନୁହେଁ ବରଂ ବର୍ତ୍ତମାନ ସମୟରେ ସମାଜରେ ଘଟୁଥିବା ଏକ ବାସ୍ତବ ଚିତ୍ର । ସମାଜିକ ପ୍ରାଣୀ ଭାବରେ ମଣିଷ ନିଜକୁ ସବୁବେଳେ ନିଜ କର୍ମମୟ ଜୀବନ ଭିତରେ ବ୍ୟସ୍ତ ରଖିଥାଏ । କାରଣ ଟଙ୍କା ଉପାର୍ଜନ କଲେ ନିଜ ପରିବାର ପ୍ରତିପୋଷଣ କରିବ । ସମାଜର ସବୁଶ୍ରେଣୀର ଲୋକ ବସବାସ କରନ୍ତି । ସମସ୍ତେ ତ ଧନୀ ଘର ପିଲା ହୋଇ ଜନ୍ମ ହୁଅନ୍ତିନି । ନିୟତି କାହା କପାଳରେ କଣ ଲେଖିଛି ସେକଥା କେବଳ ସେ ହିଁ ଜାଣେ ।
ଆମ ସମାଜରେ ବିଭିନ୍ନ ବର୍ଗର ଲୋକ ନିଜ ପରିବାର ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ସେ ସଂଗ୍ରାମରେ ସାମିଲ ହୁଏ ଟଙ୍କା ଉପାର୍ଜନ କରିବାର ମାଧ୍ୟମ । କିଏ ଶିକ୍ଷକତା ,କିଏ ଡ଼ାକ୍ତର କିଏ ଇଂଜିନିୟର ଏମିତି ଅନେକ କିଛି । କିନ୍ତୁ ନିମ୍ନ ବର୍ଗର ଲୋକଙ୍କ କଥା ଯଦି ଚିନ୍ତା କରାଯାଏ , ତାହେଲେ ଟଙ୍କାର ମୂଲ୍ୟ କଣ ସେମାନେ ହିଁ ଉପଲବ୍ଧ କରିପାରନ୍ତି । ଦିନରେ ଦି ଓଳି ଖାଇନପାରିବାର ଦୁଃଖକୁ ପ୍ରତିଟି ମୁହୂର୍ତ୍ତରେ ବେଶ ପାଖରୁ ଅନୁଭବ କରନ୍ତି । ବୁଝି ପାରନ୍ତି ଭୋକର ପ୍ରକୃତ ଅର୍ଥକୁ । ଭୋକ ପାଇଁ ଯେଉଁ ସଂଗ୍ରାମ କରିବାକୁ ପଡେ଼ ତାହାକୁ ମର୍ମେମର୍ମେ ବୁଝିପାରନ୍ତି । ଆଉ ଏଇଠାରୁ ହିଁ ଜନ୍ମ ନିଏ ଶ୍ରମିକ ହେବାର ଅନୁଚିନ୍ତା ।
ଆଜି ଶ୍ରମିକ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ଆମ ଶ୍ରମ ସଫଳତାର ଗାଥା ଗାଉ । ବିକାଶର ବିନ୍ଧାଣୀ ସାଜୁ ।