ରାଜ୍ୟରେ ମତ୍ସ୍ୟ ଚାଷ ଏବଂ ଚାଷୀ ମାନଙ୍କୁ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ କରିବା ଲାଗି ମାନ୍ୟବର ରାଜ୍ୟ ସରକାର ସବସିଡି ପ୍ରଦାନ କରିବା ସହ ପ୍ରୋତ୍ସାହନ ମଧ୍ୟ କରୁଛନ୍ତି। ଯାହାଦ୍ବାରା କେନ୍ଦୁଝର ଜିଲ୍ଲାର ସୈଳଙ୍ଗ ଗ୍ରାମର ବିଶ୍ଵନାଥ ସାହୁ ଏହାର ଲାଭ ଉଠାଇ ନିଜ ଗ୍ରାମରେ ପୋଖରୀ ନିଲାମ ନେଇ ନିଜେ ଆର୍ଥିକ ଭାବରେ ସଶକ୍ତ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ପ୍ରଥମେ ଛୋଟ ପୋଖରୀ ନିଲାମ ନେଇ ମାଛ ଚାଷ କରୁଥିଲେ, ପରେ ଏବେ ସମୁଦାୟ ୭ ଏକର ପୋଖରୀ ନେଇ ମତ୍ସ୍ୟ ଚାଷ କରୁଛନ୍ତି। ଗତ ଦୁଇ ବର୍ଷ ହେଲା ସରକାରଙ୍କ ଠାରୁ ସହାୟତା ନେଇ ପ୍ରଥମ ବର୍ଷ ୬୦ ହଜାର ଟଙ୍କା ସବସିଡି ପାଇଥିଲେ।
ବର୍ଷକୁ ବର୍ଷ ଆଗ୍ରହ ଓ ଉତ୍ପାଦନ ବୃଦ୍ଧି ହେବା ଦ୍ଵାରା ଗତବର୍ଷ ମଧ୍ୟ ୪୦ ହଜାର ଟଙ୍କା ସବସିଡି ପାଇଥିଲେ। ଆସନ୍ତା ବର୍ଷ ପାଇଁ ମଧ୍ୟ ସେ ଚାଷ କାର୍ଯ୍ୟ ଉପରେ ବିଶ୍ୱାସ ଜାଗ୍ରତ କରିଛନ୍ତି। ସେ ଉଭୟ ମାଛ ଏବଂ ଜାଆଁଳ ଚାଷ କରି ବିକ୍ରୟ କରୁଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ଯାଆଁଳ ଚାଷ ହୋଇଥିବା ବେଳେ ପାଖାପାଖି ଅଞ୍ଚଳର ମତ୍ସ୍ୟ ଚାଷୀମାନଙ୍କୁ ସେ ଜାଆଁଳ ଦେଇଥାନ୍ତି। ସଫଳ ମତ୍ସ୍ୟ ଚାଷୀ ବିଶ୍ଵନାଥ ଏହି ପ୍ରୟାସ କ୍ରମେ ବାର୍ଷିକ ସମୁଦାୟ ୬ ରୁ ୭ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ନିଜର ପରିବାର ପ୍ରତିପୋଷଣ କରିବା ସହ ନିଜର ସହକର୍ମୀ ମାନେ ମଧ୍ୟ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ