ଓଡ଼ିଶାର କୋରାପୁଟ ଅଞ୍ଚଳରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା। ଏହି ବିଗତ ବହୁ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ହେକ୍ଟର ହେକ୍ଟର ଜମିରେ କଫି ଚାଷ କରାଯାଇ ପାରିଥିବାରୁ ଜିଲ୍ଲାରେ କଫି ଚାଷର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି କଫି ବୋର୍ଡ। ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାର ପ୍ରୟାସରେ କୋରାପୁଟ ଅଞ୍ଚଳରେ କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ହୋଇପାରିଛି। ଓଡ଼ିଶାରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏ କ୍ଷେତ୍ରରେ ଅଗ୍ରଗତି କରିଛି।
କଫି ଉତ୍ପାଦନରେ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କୋରାପୁଟ। ଦେଶରୁ ବିଦେଶ ସବୁଠୁ ମହକୁଛି କୋରାପୁଟ କଫି ବାସ୍ନା। ଏଠାରେ ଆଦିବାସୀମାନେ ଚାଷ କରୁଥିବା ବିଭିନ୍ନ ପ୍ରକାର କଫି ମଧ୍ୟରୁ ଅଧିକ ପୃଷ୍ଟିକର ଓ ଗୁଣାତ୍ମକ କଫି ପ୍ରଜାତି ଚିହ୍ନଟ ହୋଇଛି। କୋରାପୁଟ କଫି ରାଜ୍ୟକୁ ବିଶ୍ୱସ୍ତରରେ ପରିଚୟ କରିବା ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ସୁଦୃଢ କରୁଛି। ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କୋରାପୁଟ ଗସ୍ତ ଅବସରରେ ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ନିତ୍ୟାନନ୍ଦ ଗଣ୍ଡ କୋରାପୁଟର କଫି ବଗିଚା ଭ୍ରମଣ କରିଥିଲେ।