କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍ ଏ – ମାଲକାନଗିରି ପଞ୍ଚାୟତ କାଉଗୁଡ଼ା ଅଞ୍ଚଳର ଚାଷୀ ଭାଇଭଉଣୀମାନେ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ଓ ଉପଯୁକ୍ତ ତାଲିମକୁ ଆଧାର କରି ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିଲେ, ସେମାନେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୭୦ କେଜି ଷ୍ଟ୍ରବେରୀ ଉତ୍ପାଦନ କରି ବେଶ୍ ଖୁସି ଅଛନ୍ତି। ସେମାନେ ଉତ୍ପାଦିତ ଷ୍ଟ୍ରବେରୀକୁ ବଜାରରେ ବିକ୍ରି କରି ଅର୍ଥ ଆକାରରେ ନିଜର ପ୍ରଥମ ସଫଳତା ହାସଲ କରିଛନ୍ତି, ଯାହାକି ଚାଷୀଙ୍କ ମୁହଁରେ ହସ ଭରିଦେଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଏକ ଷ୍ଟଲ୍ ଉଦ୍ଘାଟନ କରି ୫୦୦ ଟଙ୍କା ପ୍ରତି କିଲୋରେ ଏହି ଷ୍ଟ୍ରବେରୀ ବିକ୍ରି କରି ରୋଜଗାର କରିବାରେ ତତ୍ପର ଅଛନ୍ତି।
କୋରାପୁଟ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଏହି ଚାଷ କରାଯାଉଥିଲା କିନ୍ତୁ ଜିଲ୍ଲାର ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଅନୁକୂଳ ଥିବାରୁ ଏହି ଚାଷ ଅନ୍ୟ ଅଞ୍ଚଳ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି। ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟ ଜିଲ୍ଲା ସୁନାମ ଅର୍ଜନ କରୁଥିବା ବେଳେ ଅନେକ ଚାଷୀ ଉପକୃତ ମଧ୍ୟ ହେଉଛନ୍ତି। ଆଗରୁ ଲୋକେ ପନିପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ, କିନ୍ତୁ ବର୍ତ୍ତମାନ ଏହି ଲାଭଦାୟକ ଫଳ ଚାଷ କରିବା ପାଇଁ ଅତ୍ୟଧିକ ମନ ବଳାଉଛନ୍ତି। ଭଲ ଉତ୍ପାଦନ ଓ ଭଲ ରୋଜଗାର ମିଳୁଥିବାରୁ ସେମାନେ ଚାଷ କାର୍ଯ୍ୟକୁ ଆହୁରି ଅଗ୍ରଗାମୀ କରିବା ପାଇଁ ଉତ୍ସାହିତ ଅଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ