ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ଏଥି ମଧ୍ୟରୁ କୃଷି କ୍ଷେତ୍ର ପାଇଁ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ। କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ମୋଟ ୧୪,୭୦୧ କୋଟି ଟଙ୍କାର ବ୍ଯୟ ବରାଦ କରାଯାଇଛି। ଚଳିତ ଖରିଫ ଋତୁରେ ଫେବୃୟାରୀ ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ। ତେଣୁ ରାଜ୍ୟର କୃଷି କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ କୃଷି ହିଁ ଅଧିକାଂଶ ଲୋକଙ୍କୁ ଜୀବିକା ଯୋଗାଇବାରେ ସାହାଯ୍ୟ କରୁଛି। ଲୋକମାନେ ବାହାର ରାଜ୍ୟରେ କାମ କରିବା ଅପେକ୍ଷା ନିଜ ଅଞ୍ଚଳରେ ଚାଷ କାର୍ଯ୍ୟ କରିବା ପାଇଁ ମନ ବଳାଉଛନ୍ତି। ଚାଷର ଅମଳ ପରବର୍ତ୍ତୀ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ