ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗିରରେ ଏକ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟନ କରିଛନ୍ତି। ସାଧାରଣତଃ କୃଷି ଯନ୍ତ୍ରପାତି ମେଳା ରାଜ୍ୟର ପରିଶ୍ରମୀ ଚାଷୀମାନଙ୍କ ପାଇଁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ। ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ୬୦ ପ୍ରତିଶତରୁ ବି ଉର୍ଦ୍ଧ୍ଵ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାରୁ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କ ଆୟରେ ବୃଦ୍ଧି କରିବା ଓ ପରିଶ୍ରମକୁ କୋହଳ କରିବା ଯନ୍ତ୍ରପାତି ଏକ ପ୍ରମୁଖ ସାହାରା। ତେଣୁ ନୂତନ ଯନ୍ତ୍ରପାତି ସହ ନୂତନ ଜ୍ଞାନକୌଶଳ ଚାଷୀଙ୍କ ପାଖରେ ପହଞ୍ଚାଇବା ନିତାନ୍ତ ଜରୁରୀ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମେଳା ଉଦଘାଟନ କରିବା ପରେ ଏଠାରେ ପ୍ରଦର୍ଶିତ ବିଭିନ୍ନ ଷ୍ଟଲ୍ ଗୁଡ଼ିକ ବୁଲିବା ସହ କୃଷି ଯନ୍ତ୍ରପାତି ଗୁଡ଼ିକୁ ଦେଖିଥିଲେ ଏବଂ ଯନ୍ତ୍ରପାତି ବିଷୟରେ ସମ୍ୟକ୍ ଜ୍ଞାନ ଆହରଣ କରିଥିଲେ। କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିପରି ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରୁ କିଛି ହ୍ରାସ କରାଯାଇପାରିବ ଓ ଦକ୍ଷତା, ଉତ୍ପାଦକତା ଏବଂ ଶେଷରେ ଲାଭଦାୟକତା ବୃଦ୍ଧି କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି। କୃଷି ଯାନ୍ତ୍ରୀକିକରଣ ଓ କୃଷି ଭିତ୍ତିକ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାର ବ୍ୟୟବରାଦ ମଧ୍ୟ ଘୋଷଣା କରୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ