ଦିନକୁ ଦିନ ମାଣ୍ଡିଆ ଚାଷ ଏବଂ ମଣ୍ଡିଆର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଅନ୍ୟ ଶସ୍ୟ ଅପେକ୍ଷା ମାଣ୍ଡିଆ ଚାଷ ପ୍ରତି ମନ ବଳାଉଥିବା ଚାଷୀମାନେ ସ୍ବାବଲମ୍ବୀ ହେବା ସହ ଲାଭବାନ ହେଉଛନ୍ତି। ତେଣୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖରିଫ ଋତୁ ୨୦୨୪-୨୫ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୪୫୦୦ ଟଙ୍କା ମୂଲ୍ୟରେ ୮ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୨୯୦ ଟଙ୍କା ସହ ରାଜ୍ୟ ସରକାର କୁଇଣ୍ଟାଲ ପ୍ରତି ଅତିରିକ୍ତ ୨୧୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ମଞ୍ଜୁର କରିଛନ୍ତି।
ଏହି ପ୍ରକ୍ରିୟାର ପରିଚାଳନା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହାଭାଗିତାରେ ‘ଟିଡ଼ିସିସିଓଲ୍’ ମାଣ୍ଡିଆ କ୍ରୟ କାର୍ଯ୍ୟ ପରିଚାଳନା କରୁଛନ୍ତି। ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୪୨,୪୨୦ ଜଣ ଚାଷୀଙ୍କଠାରୁ ୪. ୫୦ ଲକ୍ଷ କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ସଂଗ୍ରହ କରାଯାଇଛି। ମାଣ୍ଡିଆ ପୁଷ୍ଟିଶସ୍ୟ ଭାବେ ଲୋକପ୍ରିୟତା ହାସଲ କରୁଥିବାରୁ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଚାଷୀଙ୍କୁ ଅଧିକ ଗୁରୁତ୍ବ ଦେବା ସହ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ