କୋରାପୁଟ ଜିଲ୍ଲାର ସୁଦୂର ପାଲିଗୁଡ଼ା ଗ୍ରାମ ରେ ସୁକଦେବ ସିଲପାଡ଼ିଆ ଉନ୍ନତ ଧରଣର ଚାଷକାର୍ଯ୍ୟ କରି ଚାଷ କ୍ଷେତ୍ରରେ ନିଜକୁ ଏକ ସଫଳ ଚାଷୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ସେ ଆଧୁନିକ ଜ୍ଞାନକୌଶଳକୁ ଆପଣେଇ ୨୧ ପ୍ରକାରର ମାଣ୍ଡିଆ ଚାଷ କରି ନିଜକୁ ଏକ ଅନନ୍ୟ ଚାଷୀ ଭାବେ ନିଜ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ନିଜକୁ ଅଭାବୀ ପରିବାର ଏବଂ ଜଟିଳ ଆର୍ଥିକ ପରିସ୍ଥିତିର ଭାର ନେଇ ସମସ୍ତ ପ୍ରତିବନ୍ଧକକୁ ଆଡେଇ ପଲ୍ଲୀରୁ ବାହାରି ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରି ସମଗ୍ର ଦେଶରେ ଏକ ପରିବର୍ତ୍ତନର ଧାରା ସୃଷ୍ଟି କରିଛନ୍ତି। ତେଣୁ ସେ କୋରାପୁଟ ଜିଲ୍ଲାରେ ଏକ ଜଣାଶୁଣା ସଫଳ ମାଣ୍ଡିଆ ଚାଷୀ ଭାବେ ପ୍ରଶଂସା ସାଉଁଟିବା ପାଇଁ ସକ୍ଷମ ହୋଇପାରିଛନ୍ତି।
ବିଭିନ୍ନ ପ୍ରକାର ମାଣ୍ଡିଆ ଯଥା : ଧଳା, ମାମି, ମାଟି, ରିକ୍ସା, ଗୁଡେଲ, ଚିଲିକା, ବଡ଼, ଲଡୁ, କାଦୁଆ, କଳା, ରାଇ, ଚିଲ୍ଲି ଆଦି ବହୁ ପ୍ରଜାତିର ମାଣ୍ଡିଆ ଚାଷ କରି ଚଳିତ ବର୍ଷ ୩୦ କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିଛନ୍ତି। ସେଥିମଧ୍ୟରୁ ପାଖାପାଖି ୨୦ କ୍ଵିଣ୍ଟାଲ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ପ୍ରାୟ ୯୦ ହଜାର ଟଙ୍କା ଆର୍ଥିକ ଲାଭବାନ ହୋଇପାରିଛନ୍ତି। ସୁକଦେବଙ୍କର ନିରନ୍ତର ପରିଶ୍ରମ ଓ ଅଧ୍ୟବସାୟ ପାଇଁ ୨୦୧୯ ମସିହାରେ ଦିଲ୍ଲୀସ୍ଥିତ ଏନଏଏସସି କମ୍ପ୍ଲେକ୍ସରେ ଆୟୋଜିତ ‘ ମିଲେଟ୍ସ ଫର୍ ମିଲିୟନସ୍ ‘ ରେ ଏବଂ ୨୦୨୩ ରେ ଶ୍ରେଷ୍ଠ ସଫଳ ମାଣ୍ଡିଆ ଚାଷୀ ଭାବରେ ପୁରସ୍କୃତ ହୋଇପାରିଛନ୍ତି।
ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ