ନୂଆ ଆଶା , ନୂଆ ବିଶ୍ୱାସ, ନୂଆ ସଂକଳ୍ପ

ଆମେ ଏକ ସାମାଜିକ ପରିବେଶ ଭିତରେ ବାସ କରୁଛନ୍ତି । ଆମ ଜୀବନଶୈଳୀରେ ଖାଦ୍ୟ ଏକ ପ୍ରମୁଖ ଉପାଦାନ । ଆମେ ଖାଦ୍ୟ କଥା ମନରେ ଚିନ୍ତା କଲେ ସର୍ବପ୍ରଥମେ କୃଷି ବା ଚାଷର କଥା ଆସେ । ଏ ଚାଷର କଥା ସରେନି । ଏ ଚାଷର ଗାଥା ବି ସରେନି । ଚାଷ ଆମ ଜୀବନ ଜୀଇଁବାର ଏକ ଅଧ୍ୟାୟ । ଆଉ ଚାଷୀ ଏ ସବୁର ମଙ୍ଗୁଆଳ । ଚାଷୀ ଏ ଚାଷ ମାଧ୍ୟମରେ ମାଟିକୁ ଜୀବନ୍ୟାସ ଦିଏ । ମାଟି ଉପରେ ସବୁଜିମାର ଶିହରଣ ରଚନା କରେ । ମାଟି ଉପରେ ଫସଲର ଗୁଣ ଗାଏ । ସେଇ ଚାଷୀ ହିଁ ବିନ୍ଧାଣୀ ସାଜି ଶ୍ୟାମଳ ପରିବେଶରେ ସୁବର୍ଣ୍ଣର ମାହୋଲ ରଚନା କରେ । ଏଇ ଚାଷୀ ଓ ଚାଷକୁ ଆଧାର କରି ଆମେ ୨୦୧୮ରେ ଆରମ୍ଭ କରିଥିଲୁ କୃଷି ଭିତ୍ତିକ ଏକ ପତ୍ରିକା। ନାଁ ଥିଲା ଶ୍ୟାମଳ ସୁବର୍ଣ୍ଣ ।

ପତ୍ରିକା ଆରମ୍ଭ ସମୟରେ ମନରେ କେବଳ ଗୋଟିଏ କଥା ଥିଲା –ଚାଷୀକୁଳ ପାଇଁ କାମ କରିବା । ଯେହେତୁ ଆମେ କୃଷି ବିଜ୍ଞାନର ଛାତ୍ର ଥିଲୁ ତେଣୁ ଚାଷର କଥାକୁ କଲମ ମାଧ୍ୟମରେ ପହଁଚାଇବାକୁ ଏକ ଦୁଃସାହାସ କରିଥିଲୁ । ଜାଣି ନଥିଲୁ ଆମେ କେତେ ସଫଳ ହେବୁ । କିନ୍ତୁ ସବୁଠାରୁ ଉପରେ କୃଷକ ମାନଙ୍କ ପାଇଁ ଲେଖିବାର ନିଶା ଯୋଗୁଁ ଆମେ ପତ୍ରିକାଟିଏ ପ୍ରକାଶ କରିବାକୁ ସକ୍ଷମ ହୋଇପାରିଲୁ । ୨୦୧୮ଏପ୍ରିଲ ୧ ରେ ଏହାର ପ୍ରଥମ ସଂଖ୍ୟା ଶୁଭାରମ୍ଭ ହୋଇଥିଲା । ମାତ୍ର ୨୦୦କପିରେ ଆରମ୍ଭ ହୋଇଥିବା ଏ ପତ୍ରିକା ସେତେବେଳେ ଲୋକଙ୍କ ପାଖରେ ପହଁଚାଇବାକୁ ଆମେ ଅବିରତ ଉଦ୍ୟମ କରିଥିଲୁ । ପରେ ପରେ କୃଷି ଭିତ୍ତିକ ଲେଖାର ମାନ ତଥା ଉପାଦେୟ ଆଲେଖ୍ୟ ଓ ନିରନ୍ତର ପ୍ରକାଶନ ଯୋଗୁଁ ବର୍ତ୍ତମାନ ଏହା ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ କୌଣସି ସମୟରେ କାହା ସହ ପ୍ରତିଦ୍ୱନ୍ଦିତା କରିବା କଥା ଚିନ୍ତା କରିନଥିଲୁ କି କରିବୁନାହିଁ । କାରଣ ଶ୍ୟାମଳ ସୁବର୍ଣ୍ଣ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ସୃଷ୍ଟ ହୋଇନଥିଲା । ଏହାର ଚିନ୍ତାଧାରା ଓ ବିଚାରଧାର ସମ୍ପୂର୍ଣ୍ଣ ଭିନ୍ନ । ଆମେ ଆଲେଖ୍ୟରେ ଏହାର ମାନ ଉପରେ ଗରୁତ୍ୱ ଦେଉ । ଚାଷୀଙ୍କ ପାଖରେ କିପରି ଉପାଦେୟ ଲେଖା ପହଁଚିପାରିବ, ସେ ଦିଗରେ ଚିନ୍ତା କରୁ । ଏ ପତ୍ରିକା ବିକି ପେଟ ପୋଷିବା ଳକ୍ଷ୍ୟ ଆମର ନୁହେଁ । କାରଣ ପତ୍ରିକା ଆରମ୍ଭ କଲା ବେଳେ ଆମେ ଛାତ୍ର ଥିଲୁ । ଆଉ ଏବେ ବି ଛାତ୍ର । ଛାତ୍ରାବସ୍ଥାରେ କଂଚାହାତରେ ପତ୍ରିକା ସମ୍ପାଦନାରେ ତୃଟି ରହିଥାଇପାରେ । କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଏହାକୁ ସୁଧାରିବାକୁ ଚେଷ୍ଟା କରିଛୁ ।

ପତ୍ରିକାର ବରିଷ୍ଠ ଉପଦେଷ୍ଟା ତଥା ସମ୍ପାଦନା ମଣ୍ଡଳୀର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଆମେ ଆଜି କାହା ସହ ପ୍ରତିଯୋଗିତା ନୁହେଁ ବରଂ ନିଜ ପାଇଁ ଏକ ସ୍ଥାନ ତିଆରି କରିସାରିଛୁ । କଥାରେ ଅଛି ଭଲ ଦେଖିଲେ ଲୋକ କହିବେ। ଠିକ୍‌ ସେମିତି ଆମକୁ ସମାଲୋଚନା କରିବାକୁ ଲୋକଙ୍କର ଅଭାବ ନଥିଲା। ଛାତ୍ରାବସ୍ଥାରେ ଏହା ଆରମ୍ଭ କରିଥିବା ଯୋଗୁଁ ଅନେକ ନିରୁତ୍ସାହିତ କଥା ଲୋକଙ୍କ ଠାରୁ ଶୁଣିବାକୁ ମିଳିଥଲା ଆଉ ଏବେ ବି ମିଳୁଛି ମଧ୍ୟ । ନିନ୍ଦୁକ ମାନେ ଆମକୁ ସବୁଦିନ ପ୍ରେରଣା ଦେଇଚାଲୁଛନ୍ତି । ଆଉ ଖାସ୍‌ କରି ସେଇ ନିନ୍ଦୁକ ଓ ସମାଲୋଚନକ ମାନଙ୍କ ପାଇଁ ଆମେ ନିରନ୍ତର ଭାବରେ ୧୫ଟି ସଂଖ୍ୟା ନିରନ୍ତର ପ୍ରକାଶ କରିସାରିଛୁ । ଡ଼ିଜିଟାଲ ମାଧ୍ୟମରେ ଏବେ ବେଶ ସହଜରେ କୃଷି ଭିତ୍ତିକ ତଥ୍ୟକୁ ଲୋକଙ୍କ ପାଖରେ ପହଁଚାଇପାରିଛୁ। ଖୁବ କମ ସମୟ ମଧ୍ୟରେ ୪୦୦୦୦ରୁ ଅଧିକ ଲୋକ ଆମ ସହ ଡ଼ିଜିଟାଲ ମାଧ୍ୟମରେ ଯୋଡ଼ି ହୋିଛନ୍ତି । ଯେଉଁ ନିନ୍ଦୁକ ମାନେ ଆମ ପଛପଟୁ ଆମକୁ ସମାଲୋଚନା କରୁଛନ୍ତି , ସେମାନଙ୍କୁ ଆମେ ସ୍ୱାଗତ କରୁଛୁ । ସତରେ ଆପଣଙ୍କ ପାଇଁ ଆମେ ଆମ ଗୁରୁ ଦାୟିତ୍ୱ କୁ ସୂଚାରୁ ଭାବେ ନିଭାଇପାରୁଛୁ। ତେବେ ଏ ନବବର୍ଷ ଶ୍ୟାମଳ ସୁବର୍ଣ୍ଣ ପାଇଁ ସ୍ୱତନ୍ତ୍ର । ନବବର୍ଷର ନବପୁଲକରେ ଆମେ ଛାତିରେ ଛାତିଏ ସାହାସ ଆଉ ଆଖିରେ ଆଖିଏ ସ୍ୱପ୍ନ ନେଇ ଶ୍ୟାମଳ ସୁବର୍ଣ୍ଣକୁ ନୂଆ ରଙ୍ଗ ଦେବାକୁ ଯାଉଛୁ । ଏକ ନୂଆ ରୂପ ଆଉ ନୂଆ ସ୍ପର୍ଶରେ ପାଠକମାନେ ଏଇ ନବବର୍ଷରୁ ଶ୍ୟାମଳ ସୁବର୍ଣ୍ଣକୁ ଦେଖିବାକୁ ପାଇବେ । ଶ୍ୟାମଳ ସୁବର୍ଣ୍ଣ ଆଜି ଠାରୁ ଚାଷୀର ସ୍ୱନ: ଶ୍ୟାମଳ ସୁବର୍ଣ୍ଣ ନାମରେ ସାରା ଓଡ଼ିଶାରେ ପରିଚିତ ଓ ପ୍ରକାଶିତ ହେବ । ଚାଷୀର ସ୍ୱର ହୋଇ ଆମେ ଗାଁ ଗାଁରେ ପହଁଚିବାକୁ ଚେଷ୍ଟା କରିବୁ । ସେମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରିବୁ । ଏହା ଆମ ପାଇଁ ନୂଆ ବର୍ଷର ନୂଆ ସଂକଳ୍ପ ରହିବ । ଏକ ନୂଆ ବିଶ୍ୱାସ ସହ ଆମେ ପୁଣି ଆମ ଚାଷୀଭାଇଙ୍କ ସହ ଯୋଡ଼ିହେବୁ ।

ଆଶା କରୁଛି ଆପଣ ମାନେ ଆମକୁ ଯେମିତି ସ୍ନେହ,ଶ୍ରଦ୍ଧା ଦେଇଥିଲେ ଏ ଚାଷୀର ସ୍ୱନ: ଶ୍ୟାମଳ ସୁବର୍ଣ୍ଣକୁ ବି ଆପଣ ଠିକ୍‌ ସେମିତି ଆଶୀର୍ବାଦ ଦେବେ । ପୁରୁଣା ବର୍ଷର ଭୁଲକୁ ସୁଧାରିବାକୁ ଚେଷ୍ଟା କରିବୁ ଏବଂ ନୂଆବର୍ଷରେଆଉ କିଛି ନୂଆ କରି ଦେଖାଇବୁ । ଆମ ଚାଷୀକୁଳ ହିଁ ଆମ ପାଇଁ ପ୍ରେରଣାର ଉତ୍ସ । କଥା ଦେଉଛୁ ପ୍ରତିଟି ସମୟରେ ଆମେ ଚାଷୀଙ୍କ ସହ ରହିବୁ , ଏହା ହିଁ ଆମର ନବବର୍ଷର ପ୍ରତିବଦ୍ଧତା ।

ଡ଼ି ଶୁଭମ୍‌ , ସମ୍ପାଦକ – ଚାଷୀର ସ୍ୱନ:ଶ୍ୟାମଳ ସୁବର୍ଣ୍ଣ

Spread the love

Leave a Comment

Your email address will not be published. Required fields are marked *

Scroll to Top
×