ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶାର ଅର୍ଥନୀତି ପାଇଁ ମତ୍ସ୍ୟ ଚାଷ ଓ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ରାଜ୍ୟରେ ପ୍ରାୟ ୧୨ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି। ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’। ସେହି କଳ୍ପନାକୁ ସାକାର କରିବା ଦିଗରେ ସମ୍ବଲପୁର ଗୋଶାଳା ବସନ୍ତପୁରରେ ଏକ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୋଦୀ ସରକାର ପ୍ରାୟ ୧୦୦କୋଟି ଟଙ୍କା ଦେଇଛନ୍ତି। ଡବଲ ଇଞ୍ଜିନ ସରକାରର ସହଯୋଗରେ ଏଠାରେ ସମୟୋପଯୋଗୀ ତାଲିମ ଶିବିର ଆୟୋଜନ କରାଯିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ