ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଚଳିତ ମାସ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା ଆୟୋଜିତ ହୋଇଯାଇଛି। ଏହି ଆଦିବାସୀ ମେଳାରେ ଶ୍ରୀ ଅନ୍ନ ଅଭିଯାନ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲ ସ୍ଥାନ ପାଇଥିଲା। ଗୋଟିଏ ସ୍ଥାନରେ ଜମିଥିଲା ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର। ସୁନ୍ଦରଗଡ଼ ଜିଲ୍ଲା ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଷ୍ଟଲରେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟର ମଜା ନେବା ପାଇଁ ବେଶ୍ ଜନସମାଗମ ଦେଖିବାକୁ ମିଳିଥିଲା।
ଏହି ମେଳାର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ବିଭିନ୍ନ ପ୍ରକାରର ଆଦିବାସୀ ଗାଁ ଓ ହାଟ, ଯାହା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କ ଜୀବନଶୈଳୀ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଇତିହାସ କୁହେ ଯେ ଆଦିବାସୀ ମେଳା ବା ୧୩ ଟି ଆଦିମ ଜନଜାତି ସମେତ ଓଡିଶାର ୬୨ଟି ଆଦିବାସୀ ସମ୍ପ୍ରଦାୟର ବାର୍ଷିକ ସଂସ୍କୃତିକ-ତଥା-ବାଣିଜ୍ୟ ମେଳା ୧୯୫୧ମସିହାରେ ପ୍ରଥମେ ଓଡିଶାର ତତକାଳିନ ରାଜଧାନୀ କଟକ ଠାରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ ନୂତନ ରାଜଧାନୀ ଭୁବନେଶ୍ୱରକୁ ଏହା ସ୍ଥାନାନ୍ତରିତ ହୋଇଥିଲା।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ