କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୂସମ୍ପଦ ତଥ୍ୟାବଳୀ ରଥ ବା ଲ୍ୟାଣ୍ଡ ରିସୋର୍ସ ଇନଭେଣ୍ଟରିର ଶୁଭାରମ୍ଭ କରିଛନ୍ତି। ଏଲ. ଆର୍. ଆଇ ତଥା ବିଜ୍ଞାନଭିତ୍ତିକ ଜଳ ବିଭାଜିକା ପରିଚାଳନା ସମ୍ଵନ୍ଧରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯାତ୍ରା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ନିର୍ଦ୍ଦେଶାଳୟ ଦ୍ୱାରା ଆବଣ୍ଟିତ ଏଲ.ଆର.ଆଇ କାର୍ଡ଼ର ଉପାଦେୟତା ସମ୍ପର୍କରେ ଚାଷୀମାନେ ବିଶେଷ ଭାବରେ ଅବଗତ ହୋଇପାରିବେ।
ଏଲ.ଆର୍.ଆଇ ଯାତ୍ରା ବର୍ତ୍ତମାନ ୫ ଟି ଜିଲ୍ଲା ତଥା : ନୟାଗଡ଼, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଏବଂ ଦେବଗଡ଼ର ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହେବ। ଏହି ଯାତ୍ରାରେ ନିୟୋଜିତ ଭୁସମ୍ବଳ ତଥ୍ୟାବଳୀ ରଥର ଗତିବିଧି ଏମଆଇଏସ୍ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯିବ। ସଂପୃକ୍ତ ଜଳ ବିଭାଜିକା ଅଞ୍ଚଳ ଅନ୍ତର୍ଗତ ଚାଷୀ ସମୁହଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ। ଏହାର ସୁବ୍ୟବହାର ଦ୍ଵାରା ଜଳ ବିଭାଜିକା ଅଞ୍ଚଳରେ ଫସଲ ଅମଳ ବୃଦ୍ଧି ହେବାସହ ମୃତ୍ତିକା ଓ ଜଳ ସଂରକ୍ଷଣ ହୋଇପାରିବ ଯାହାକି ଜଳ ଛାୟା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
