ଆମର ସମୃଦ୍ଧ ଖାଦ୍ୟ ପରମ୍ପରାର ପ୍ରସାର ସହ ବିସ୍ମୃତ ଖାଦ୍ୟ ସମୂହକୁ ପୁନଃ ଲୋକଲୋଚନକୁ ଆଣିବାକୁ ବିଭାଗ ତରଫରୁ ଆରମ୍ଭ ହୋଇଛି ପ୍ରୟାସ। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ଜନଜାତି ଭାଇଭଉଣୀମାନଙ୍କର ଅନ୍ୟତମ ପସନ୍ଦର ଖାଦ୍ୟ କୋଳଥ ଜେ ମୁନିକା ସମ୍ପର୍କରେ ଦର୍ଶାଇଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ମୋଟୁଲଗୋଡ଼ା ଗ୍ରାମରେ ଏବେବି ଏହି ରାନ୍ଧଣାର ଚାହିଦା ବଞ୍ଚିକି ରହିଛି ବୋଲି ଦେଖିବାକୁ ମିଳୁଛି। ନିଜ ପାଖାପାଖି ଅଞ୍ଚଳରୁ ନିଜର ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ଏହି ରାନ୍ଧଣା ପ୍ରସ୍ତୁତ କରିଥାନ୍ତି। ଏହା ତାଙ୍କର ଏକ ଦୈନନ୍ଦିନ ଖାଦ୍ୟ ଭାବେ ମଧ୍ୟ ପରିଚିତ ହୋଇଛି।
ଏହାକୁ ପ୍ରସ୍ତୁତ କରିବା ପାଇଁ ସଜନା ଶାଗ, କୋଳଥ, କଞ୍ଚାଲଙ୍କା, ହଳଦୀଗୁଣ୍ଡ, ଲୁଣ ଆଦି ପଦାର୍ଥ ଆବଶ୍ୟକ ହୋଇଥାଏ। ପ୍ରଥମେ ହାଣ୍ଡିରେ ପାଣି ଗରମ କରାଯାଏ, କୋଳଥକୁ ଭଲ ଭାବେ ଧୋଇଦେଇ ଏହାକୁ ସିଝାଇ ଦିଆଯାଏ। ପରେ ସଜନା ଶାଗକୁ ଚୁନ ଚୁନ କରି କାଟିଦେଇ କୋଳଥ ସିଝି ଆସିଲେ କଟା ସଜନା ଶାଗକୁ ମିଶାଇ କିଛି ସମୟ ସିଝାଇ ଦିଆଯାଏ। ପରେ ଗୋଟେ ପାତ୍ରରେ ତେଲ, ରସୁଣ, ଶୁଖିଲା ଲଙ୍କା, ଫୁଟଣ ପକାଇ ଫୁଟାଇ ଶେଷରେ ସେଇ ବଘର ହୋଇଥିବା ଫୁଟଣକୁ ସିଝୁଥିବା ସଜନା କୋଳଥ ମିଶ୍ରଣରେ ମିଶାଇ ଦିଆଯାଏ। ଏହାପରେ ପ୍ରସ୍ତୁତ ହୋଇଯାଏ କୋଳଥ କେ ମୁନିକା। ଏହା ଅତ୍ୟନ୍ତ ପୁଷ୍ଟିସାରଯୁକ୍ତ ଖାଦ୍ୟ ହୋଇଥିବା ସହ ରୋଗମୁକ୍ତ ମଧ୍ୟ କରିଥାଏ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ