ଉନ୍ନତମାନର ବାଇଗଣ ଚାଷ ପ୍ରଣାଳୀ

ବାଇଗଣ ଏକ ଲାଭଜନକ ପରିବା । ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ। ବର୍ଷାଦିନେ ଅଧିକ ବର୍ଷା ହେଲେ ଗଛରୁ ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ–ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ନଭେମ୍ବର ଆଡ଼କୁ ଫୁଲ ଧରି ପ୍ରଚୁର ଫଳେ । ସେହିପରି ଜୁନ୍‌ ମାସରେ ମଧ୍ୟ ବାଇଗଣ ଲଗାଇଲେ ଅଗଷ୍ଟ ମାସ ଆଡ଼କୁ ଫଳ ଆରମ୍ଭ ହୋଇଥାଏ । ବାଇଗଣ ବିଲରେ ପାଣି ଜମିଲେ ଗଛ ମରିଯାଏ । ନିଗିଡ଼ା ଦୋରସା ମାଟି ବାଇଗଣ ଚାଷ ପାଇଁ ଉକୃଷ୍ଟ । ନଦୀ ପଠା ମାନଙ୍କରେ ମଧ୍ୟ ଶୀତଦିନେ ବାଇଗଣ ଚାଷ କରାଯାଇପାରେ। ବାଇଗଣ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ ଉନ୍ନତ ବିହନ କିସମ ଚୟନ କରିବା ସହିତ ବିହନ ବୁଣିବା ଆଗରୁ, ବିହନ ବିଶୋଧନ ନିହାତି ଆବଶ୍ୟକ।

ଏକ ଏକର ବାଇଗଣ ଚାଷ ପାଇଁ ୨୦୦ ଗ୍ରାମ ଉନ୍ନତ କିସମ ବିହନ ଏବଂ ୮୦ ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ଓଡ଼ିଶା ଜଳବାୟୁରେ ବିଭିନ୍ନ ଉନ୍ନତ କିସମର ବାଇଗଣ ଚାଷ କରାଯାଏ, ଯଥା: ଉତ୍କଳ ତାରିଣୀ, ଉତ୍କଳ କେଶରୀ, ଉତ୍କଳ ମାଧୁରୀ, ଉତ୍କଳ ଜ୍ୟୋତି, ସଫେଦ ମୋତି, ଭୈରବୀ ଇତ୍ୟାଦି। ବାଇଗଣ ଚାଷ ପାଇଁ ପ୍ରଥମେ ବିହନରୁ ତଳି ପ୍ରସ୍ତୁତ କରାଯାଇଥାଏ। ବିହନ ବୁଣିବା ୧୦ ଦିନ ଆଗରୁ ପ୍ରତି ପଟାଲିରେ ୨୦ କେଜି ଭଲ ସୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାଯାଏ। ଉତ୍ତମ ପ୍ରଣାଳୀରେ ବିହନକୁ ବିଶୋଧନ କରାଯାଇଥାଏ। ବିହନ ତଳି ୪ ସପ୍ତାହର ହେଲା ପରେ ଏହାକୁ ମୁଖ୍ୟ ଜମିରେ ଲଗାଯାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×