ଆଜି ପବିତ୍ର ମକର ସଂକ୍ରାନ୍ତି। ଏହା ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଉତ୍ସବମୁଖର ହୋଇ ଉଠିଛି ଦିଲ୍ଲୀରୁ ପଲ୍ଲୀ। ଓଡ଼ିଶାରେ ମଧ୍ୟ ଆଜିର ଦିନରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ ହେବାର ପରମ୍ପରା ରହିଛି। ଯାହାକୁ ମକର ଚାଉଳ କୁହାଯାଏ। ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। କେତେକ ଅଞ୍ଚଳରେ ଏହି ନୂଆ ଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ। ଓଡିଆ ପ୍ରବାଦ ଅନୁଯାୟୀ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୋଇଥାଏ। ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ଅଧିକ ପ୍ରଖର ହୋଇଥାଏ।
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ଯାହାର ଖୁବ୍ ମାନ୍ୟତା ରହିଛି। ଏହା ଉଭୟ ପାରମ୍ପରିକ ଏବଂ କୃଷିଭିତ୍ତିକ ପର୍ବ ମଧ୍ୟ। ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ। ଓଡ଼ିଶାର ଉତ୍ତରାଞ୍ଚଳରେ, ସାଧାରଣତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକର ଯାତ୍ରା ଏକ ପ୍ରଧାନ ପର୍ବ। ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥାନ୍ତି। ସର୍ବ ଶେଷରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍ଭାବନାର ମହୋତ୍ସବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ